ଦିଗପହଣ୍ଡିରେ ସ୍ଥିତି ସମୀକ୍ଷା କଲେ ଜିଲାପାଳ: ବିଭିନ୍ନ ପ୍ରକଳ୍ପ ବୁଲିଦେଖିଲେ, ସରକାରୀ ସହାୟତା ନେଇ ପଚାରି ବୁଝିଲେ

ଦିଗପହଣ୍ଡି,୧୮।୪(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ନିୟମ ନ ମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଜିଲାପାଳ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଉପସ୍ଥିତ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ, ବିଡିଓ ହଳଧର ଶବର, ବ୍ଳକ ସହକାରୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଲେଙ୍କା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ରାଜସ୍ବ ନିରୀକ୍ଷକ ଫକୀର ମୋହନ ରାଉତଙ୍କ ସହ ଦିଗପହଣ୍ଡି ଅଞ୍ଚଳର ସ୍ଥିତି ନେଇ ସବିଶେଷ ଆଲୋଚନା କରିଥିଲେ। ଅନେକ ଲୋକ ଅଯଥାରେ ଘରୁ ବାହାରି ରାସ୍ତାରେ ଚଳପ୍ରଚଳ କରୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଛଡା ଅନ୍ୟ ଯେଉଁ ଦୋକାନ ମଧ୍ୟାହ୍ନ ୧୨ଟା ପରେ ଖୋଲା ରହିବ ସେହି ଦୋକାନ ମାଲିକ ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ କରୁଥିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରୁ ନ ଥିବା ଦୋକାନୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଉପସ୍ଥିତ ପଦସ୍ଥ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲ କାର୍ଯ୍ୟାଳୟ କୁ ଯାଇ ସେ ଦିଗପହଣ୍ଡି ଅଞ୍ଚଳ ର କରୋନା ନିୟନ୍ତ୍ରଣ ସ୍ଥିତି ନେଇ ସମୀକ୍ଷା କରିଥିଲେ।ପରେ ଗୋକର୍ଣ୍ଣ ପୁର ଗାଁ ରେ ପହଞ୍ଚି ସେଠାରେ ଚାଲିଥିବା ରୁରାଲ ପାର୍କ ଓ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଗୁଡ଼ିକୁ ବୁଲି ଦେଖିଥିଲେ। ସେହିଭଳି ସିଦ୍ଧେଶ୍ୱର ଗାଁ ରେ ପହଞ୍ଚି ସେ ବିଭିନ୍ନ ଲୋକଙ୍କୁ ସରକାରୀ ସହାୟତା ଚାଉଳ ଓ ଅର୍ଥରାଶି ମିଳିଛି କି ନାହିଁ ପଚାରି ବୁଝିଥିଲେ। କୋଟି ନଡ଼ା ଗାଁରେ ନିର୍ମାଣ ଚାଲିଥିବା ରୁରାଲ ପାର୍କ ଓ ରାସ୍ତା ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। କାମ କରୁଥିବା ଲୋକଙ୍କୁ ଲେବର୍‌ କାର୍ଡରେ ସହାୟତା ରାଶି କେତେ ଟଙ୍କା ମିଳିଛି। ରାଶନ କାର୍ଡରେ କେତେ ଚାଉଳ ଓ ସହାୟତା ଟଙ୍କା ମିଳିଛି ପଚାରି ବୁଝିଥିଲେ। ଗୋକର୍ଣ୍ଣପୁର ପଞ୍ଚାୟତ ସରପଞ୍ଚ ପ୍ରତିନି ପ୍ରତିନିଧି ଅସିତ କୁମାର ସାହୁ, କୋଟି ନଡ଼ା ସରପଞ୍ଚ ପ୍ରତିନିଧି ଉମାକାନ୍ତ ବିଷୋୟୀ, ସିଦ୍ଧେଶ୍ୱର ସରପଞ୍ଚ ଅନୀତା ରାଣୀ ସ୍ବାଇଁ, ପ୍ରତିନିଧି ସରୋଜ କୁମାର ଜେନା, ବ୍ଳକ କନିଷ୍ଠ ଯନ୍ତ୍ରୀ ଇଂ.ମୋହନ ରାଓ ସୁବୁଦ୍ଧିଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟିକା ବୃନ୍ଦ ଉପସ୍ଥିତ ଥିଲେ।