ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ ଚିକିତ୍ସା ଆଶାରେ ପହଞ୍ଚନ୍ତି, ସେଠାରେ ଚିକିତ୍ସା ମିଳୁଥିଲେ ମଧ୍ୟ ଶଯ୍ୟା ଅଭାବରୁ ରୋଗୀଙ୍କୁ କଷ୍ଟ ଭୋଗିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।
କନ୍ଧମାଳ ଜିଲାର ଏକ ବୃହତ୍ ବ୍ଲକ ଭାବେ ଦାରିଙ୍ଗବାଡ଼ି ବ୍ଲକ ପରିଚିତ। ଏହି ବ୍ଲକର ୨୫ଟି ପଞ୍ଚାୟତର ଲକ୍ଷାଧିକ ଲୋକ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। ତେବେ ଦୀର୍ଘବର୍ଷ ହେଲା ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତଃବିଭାଗରେ ମାତ୍ର ୧୬ଟି ରୋଗୀ ଶଯ୍ୟା ରହିଛି। ଫଳରେ ଏହାଠାରୁ ଅଧିକ ରୋଗୀ ଭର୍ତ୍ତି ହେଲେ, ଶଯ୍ୟା ଅଭାବରୁ କେତେକ ରୋଗୀଙ୍କୁ ଚଟାଣ ଓ ବାରଣ୍ଡାରେ ଶୁଆଇ ଚିକିତ୍ସା କରାଯାଉଥିବା ଅଭିଯୋଗ ହୋଇଛି। ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଉଥିବା ମଧ୍ୟ କୁହାଯାଇଛି।
ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଛନ୍ତି। ତେବେ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ନିର୍ବାଚନ ପରେ ତାହା ପାଳନ କରାଯାଉନାହିଁ ବୋଲି ଦାରିଙ୍ଗବାଡ଼ି ଅଞ୍ଚଳର ଯୁବ ସମାଜସେବୀ ଅକ୍ଷୟ ପରିଛା ଅଭିଯୋଗ କରିଛନ୍ତି।
କେବଳ ରୋଗୀ ଶଯ୍ୟା ନୁହେଁ, ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ନଥିବାରୁ ଅନେକ ସମୟରେ ପ୍ରସୂତି ମହିଳା, ଶିଶୁ ଓ ଅନ୍ୟାନ୍ୟ ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରୁ ନ ଥିବାରୁ ଅକାଳରେ ଜୀବନ ହରାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦାରିଙ୍ଗବାଡ଼ିରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ସମେତ ଶିଶୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ମଧ୍ୟ ଦାବି ହୋଇଛି।
ସେହିପରି ଅଲଟ୍ରାସାଉଣ୍ଡ ବ୍ୟବସ୍ଥା କରିବା ସହ ଚିକିତ୍ସା କ୍ଷେତ୍ରରେ ଉନ୍ନତି ପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି, ଷ୍ଟାଫ୍ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ପୂରଣ ଏବଂ ବୃଦ୍ଧି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଦୂରଦୂରାନ୍ତରୁ ଅନେକ ରୋଗୀ ପ୍ରତିଦିନ ଚିକିତ୍ସା ପାଇଁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସନ୍ତି। ତେବେ ସ୍ୱାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ଅଭାବ ଓ ସମସ୍ୟା ମଧ୍ୟରେ ଚାଲିଥିବାରୁ ରୋଗୀଙ୍କୁ ଉତ୍ତମ ସେବା ମିଳିବା କଷ୍ଟକର ହୋଇପଡ଼ୁଛି। ବାରଣ୍ଡା ଓ ଚଟାଣରେ ରୋଗୀଙ୍କୁ ଶୁଆଇ ଚିକିତ୍ସା କରାଯାଉଥିବା ଘଟଣାରୁ ଏହା ସ୍ପଷ୍ଟ ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।
ଦାରିଙ୍ଗବାଡ଼ି ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉପରୋକ୍ତ ସମସ୍ୟାଗୁଡ଼ିକ ପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଆଗାମୀ ଦିନରେ ରୋଗୀଙ୍କୁ ଖଟ ଓ ଶଯ୍ୟାରେ ଶୁଆଇ ଚିକିତ୍ସା କରାଯିବାକୁ ମଧ୍ୟ ଦାବି ହୋଇଛି।
ଏନେଇ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ସ୍ୱାଗତ ସେନାପତିଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଛନ୍ତି, ସ୍ୱାସ୍ଥ୍ୟକେନ୍ଦ୍ରରେ ପୂର୍ବରୁ ରୋଗୀଙ୍କ ପାଇଁ ୧୬ଟି ଏବଂ ଲେବର ରୁମ୍ରେ ୨ଟି ଶଯ୍ୟା ରହିଛି। ଅଧିକ ରୋଗୀ ଆସିବାରୁ ସେମାନଙ୍କୁ ବାରଣ୍ଡା ଓ ଚଟାଣରେ ଶୁଆଇ ଚିକିତ୍ସା କରାଯାଉଛି। ରୋଗୀଙ୍କୁ ଭର୍ତ୍ତି କରି ଚିକିତ୍ସା କରିବାକୁ ଆମେ ବାଧ୍ୟ। ସେମାନେ ଚଟାଣରେ ଶୋଇଥିବା ବେଳେ ଆମକୁ ମଧ୍ୟ ସେଠାରେ ବସି ସାଲାଇନ୍ ଓ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

