ଦାମ ପୁଣି ବିଜେଡିକୁ ଫେରିବା ପ୍ରସଙ୍ଗ: ପୁଅ ସମ୍ବିତ କହିଲେ ‘ବାପା ଭାଜପାକୁ ଯାଇ ଖୁସି ନ ଥିବା ଭଳି ଲାଗୁଛି’

ଭୁବନେଶ୍ୱର,୭।୬(ବ୍ୟୁରୋ): ଭାଜପାର ବରିଷ୍ଠ ନେତା ଡା. ଦାମୋଦର ରାଉତ ପୁଣି ଘର ବାହୁଡ଼ା କରିବା ନେଇ ଚର୍ଚ୍ଚା ଜୋର ଧରିଛି। ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଶୁକ୍ରବାର ଏ ନେଇ ଟିପ୍ପଣୀ ଦେବା ପରେ ଦାମ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି କୁହାଯାଉଛି। ସମ୍ବିତ କହିଛନ୍ତି, ବାପା ଭାଜପାକୁ ଯାଇ ଖୁସି ନ ଥିବା ଭଳି ଲାଗୁଛି। ରାଜନୀତିରେ କୌଣସି କଥା ଅସମ୍ଭବ ନୁହେଁ। ଦଳର ସୁପ୍ରିମୋ ଚାହିଁଲେ ସେ ବିଜେଡିକୁ ଫେରିପାରନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି, ତାଙ୍କ ବାପା ବର୍ଜନୀୟ ବ୍ୟକ୍ତିବିଶେଷ ନୁହଁନ୍ତି। ସେ ଜନତା ଦଳରୁ କ୍ୟାରିୟର ଆରମ୍ଭ କରିଥିଲେ। ହଠାତ୍‌ ଭାଜପାକୁ ଯିବାରୁ ଲୋକେ ତାଙ୍କୁ ଗ୍ରହଣ କଲେନାହିଁ ବୋଲି ସମ୍ବିତ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମତପ୍ରାର୍ଥକ୍ୟ ଘଟିବା ଯୋଗୁ ଦାମଙ୍କୁ ଦଳରୁ ବିଦା କରାଯାଇଥିଲା। ପରେ ସେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ତାଙ୍କୁ ବାଲିକୁଦା-ଏରସମାରୁ ଦଳ ପ୍ରାର୍ଥୀ କରିଥିଲା। ସେହିଭଳି ସମ୍ବିତ ପାରାଦୀପ ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ଫଳାଫଳ ଆସିବା ପରେ ଦାମ ଶୋଚନୀୟ ଭାବେ ପରାଜିତ ହୋଇଥିବା ଜଣାପଡ଼ିଥିଲା। ହେଲେ ସମ୍ବିତ ନିଜ ଆସନରେ ବାଜିମାତ କରିଥିଲେ। ତେବେ ବାପାଙ୍କ ପରାଜୟକୁ ନେଇ ପରେ ସମ୍ବିତ ଦୁଃଖପ୍ରକାଶ କରିଥିଲେ। ଏବେ ସମ୍ବିତଙ୍କ ଏଭଳି ବୟାନ ଯୋଗୁ ସେ ଦାମଙ୍କୁ ପୁଣି ଥରେ ଦଳକୁ ଫେରାଇ ଆଣିବା ଲାଗି ଉଦ୍ୟମ କରୁଥାଇପାରନ୍ତି ବୋଲି ଆଲୋଚନା ହେଉଛି।