Categories: ଖେଳ

ଦଶନ୍ଧିର ଦିନିକିଆ, ଟି୨୦ ଦଳରେ ଧୋନୀ, ଟେଷ୍ଟରେ କୋହଲିଙ୍କୁ ନେତୃତ୍ୱ

ନୂଆଦିଲ୍ଲୀ,୨।୧(ପି.ଟି.)- ଇଏସ୍‌ପିଏଏନ୍‌ କ୍ରିକ୍‌ଇନ୍‌ଫୋ ତରଫରୁ ଗତ ଏକ ଦଶନ୍ଧିର ଦିନିକିଆ, ଟି୨୦ ଓ ଟେଷ୍ଟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟି୨୦ ଦଳରେ ମହେନ୍ଦ୍ର ସିଂ ଧୋନୀଙ୍କୁ ନେତୃତ୍ୱ ଦିଆଯାଇଥିବା ବେଳେ ଟେଷ୍ଟରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ୨୩ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଚୟନ କମିଟି ୩ଟି ଫର୍ମାଟ ପାଇଁ ଦଳ ଚୟନ କରିଛି। ୬ଟି ସକ୍ରିୟ ବର୍ଷର ୫୦ଟି ଟେଷ୍ଟ, ୭୫ଟି ଦିନିକିଆ ଓ ୧୦୦ଟି ଟି୨୦ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଏହି ଦଳଗୁଡିକ ଚୟନ କରାଯାଇଛି।
ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଉତ୍ଥାନ ପରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୟନରେ ଅଣଦେଖା କରାଯାଇଛି। ଟେଷ୍ଟ ଦଳରେ ଏହି ଦୁଇ ରିଷ୍ଟ ସ୍ପିନର ସ୍ଥାନ ପାଇଛନ୍ତି। ଟେଷ୍ଟ ଦଳରେ ଇଂଲଣ୍ଡର ଆଲିଷ୍ଟର କୁକ୍‌ ଓ ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ ମଧ୍ୟ ସ୍ଥାନ ପାଇଛନ୍ତି। ଗତ ଏକ ଦଶନ୍ଧିରେ କୋହଲି ୫୪.୯୭ ହାରରେ ୭,୨୦୨ ରନ ସଂଗ୍ରହ କରିଛନ୍ତି। ସେହିପରି ଅଶ୍ୱିନ ୨୫. ୩୬ ରନ ହାରରେ ୩୬୨ଟି ଉଇକେଟ ନେଇଛନ୍ତି। ଏକମାତ୍ର ଭାରତୀୟ ଖେଳାଳି ଭାବେ କୋହଲି ସବୁ ୩ଟି ଯାକ ଫର୍ମାଟରେ ସ୍ଥାନ ପାଇଛନ୍ତି। ଉପ- ଅଧିନାୟକ ରୋହିତ ଶର୍ମା ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି।
ଟି୨୦ ଦଳରେ ଯଶପ୍ରୀତ ବୁମ୍‌ରାଙ୍କ ସମେତ କୋହଲି ଓ ଧୋନୀ ସ୍ଥାନିତ ହୋଇଛନ୍ତି। ଟି୨୦ ଦଳରେ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ସେହିପରି ମହିଳା ଦିନିକିଆ ଓ ଟି୨୦ ଦଳରେ ମିଥାଲି ରାଜ ଓ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆର ମେଗ ଲାନିଂ ଅଧିନାୟିକା ନିଯୁକ୍ତ ହୋଇଛନ୍ତି।

Share