Categories: ଖେଳ

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳରେ ଅମଲା

କେପ୍‌ ଟାଉନ୍‌, ୧୯।୪- ଆଗାମୀ ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି। ଆଉଟ୍‌ ଅଫ୍‌ ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ ହାସିମ ଅମଲାଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାର ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କୁ ଚୟନକର୍ତ୍ତା ଅଣଦେଖା କରିଛନ୍ତି। ଡ୍ବେନ ପ୍ରିଟୋରିୟସ ଓ ଆଣ୍ଡିଲ ଫେଲୁକ୍ୱାଓଙ୍କୁ ଦଳରେ ନିଆଯାଇଛି। ଇଞ୍ଜୁରି ସତ୍ତ୍ୱେ ଲୁଙ୍ଗି ଏନ୍‌ଗିଡି ଓ ଅନରିଚ୍‌ ନୋରଜଙ୍କୁ ସୁଯୋଗ ଦିଆଯାଇଛି। ଫାଫ୍‌ ଡୁପ୍ଲେସି ବିଶ୍ୱକପ୍‌ରେ ଦଳର ନେତୃତ୍ୱ ନେବେ। ସେହିପରି ଅଭିଜ୍ଞ ବ୍ୟାଟ୍ସମ୍ୟାନ ଜେପି ଡୁମିନୀ ଓ ଅଭିଜ୍ଞ ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି। ସ୍ପିନ୍‌ ବିଭାଗରେ ଇମ୍ରାନ ତାହିରଙ୍କୁ ବାଦ୍‌ ଦେଲେ ତାବରେଜ ସାମସିଙ୍କୁ ମଧ୍ୟ ଦଳରେ ନିଆଯାଇଛି। କ୍ୱିଣ୍ଟନ ଡି କକ୍‌ଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ସ୍ପେଶାଲିଷ୍ଟ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରାଯାଇନାହିଁ। ପାର୍ଟଟାଇମ ଉଇକେଟକିପର ଡେଭିଡ ମିଲର ଡିକକ୍‌ଙ୍କ ବ୍ୟାକ୍‌ ରୂପେ ଦାୟିତ୍ୱରେ ରହିବେ। ଗତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ମିଲର ଉଇକେଟକିପିଂ କରିଥିଲେ ଓ ଦକ୍ଷିଣ ଆଫ୍ରିକା ୫-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ମେ ୩୦ରେ ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ତା’ର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ।

ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), କ୍ୱିଣ୍ଟନ ଡିକକ, ହାସିମ ଅମଲା, ଡେଭିଡ ମିଲର, ଜେ.ପି. ଡୁମିନୀ, ଏଡେନ ମାରକ୍ରାମ, ରସି ଭାନ ଡେର ଡୁସେନ, ଡ୍ବେନ ପ୍ରିଟୋରିୟସ, ଆଣ୍ଡିଲ ଫେଲୁକ୍ୱାଓ, କାଗିସୋ ରାବାଡ଼ା, ଡେଲ ଷ୍ଟୋଇନ୍‌, ଲୁଙ୍ଗି ଏନ୍‌ଗିଡି, ଆନରିଚ୍‌ ନୋରଜ, ଇମ୍ରାନ ତାହିର ଓ ତାବ୍ରେଜ ସାମସି।

Share