Categories: ଖେଳ

ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା

ଜୋହାନ୍ସବର୍ଗ,୧୯।୩(ପି.ଟି.)- ଭାରତ ଗସ୍ତରୁ ସ୍ବଦେଶ ଫେରିବା ପରେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା। କରୋନା ଭାଇରସ ଆତଙ୍କ କାରଣରୁ ଗସ୍ତ ଅଧାରୁ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଘରକୁ ଫେରିବାକୁ ପଡିଥିଲା। ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ଆସୋଲେଶନରେ ରହିବାକୁ କୁହାଯାଇଥିଲା ବୋଲି କ୍ରିକେଟ ସାଉଥ୍‌ ଆଫ୍ରିକା ମେଡିକାଲ ଅଫିସର ଡଃ ଶୁଆଇବ ମାନ୍‌ଜରା କହିଛନ୍ତି। ପୁଣି ଯଦି କରୋନା ଭାଇରସ୍‌ର କୌଣସି ଲକ୍ଷଣ ଦେଖାଯାଏ ତାହାଲେ ସେମାନଙ୍କର ପରୀକ୍ଷା କରିବା ପାଇଁ ମଧ୍ୟ କୁହାଯାଇଥିଲା।
ଅତିକମ୍‌ରେ ୧୪ ଦିନ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଖେଳାଳିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ଦ୍ୱାରା ଖେଳାଳିମାନେ ନିଜକୁ ରକ୍ଷା କରିବା ସହ ତାଙ୍କ ସେମାନଙ୍କ ପରିବାର, ଚତୁଃପାର୍ଶ୍ୱରେ ରହୁଥିବା ଲୋକଙ୍କର ମଧ୍ୟ ହିତ ସାଧନ କରିବାରେ ସହାୟ ହୋଇଥିଲେ। ଏହି ସମୟରେ ଯଦି କୌଣସ ଖେଳାଳିଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇଥାନ୍ତା ତାହାଲେ ନିୟମ ଅନୁସାରେ ସେମାନଙ୍କର ପରୀକ୍ଷା କରାଯାଇଥାନ୍ତା ବୋଲି ସେ କହିଛନ୍ତି।
ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ୩ଟ ଦିନିକିଆ ଖେଳିବାର କାର୍ଯକ୍ରମ ଥିଲା। ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁ ଧୋଇଯାଇଥିଲା। ଗସ୍ତରେ କେତେଜଣ ଖେଳାଳି ମାସ୍କ ପରିଧାନ କରିଥିଲେ ଓ ଆଉ କେତେକେ କରି ନ ଥିଲେ। ଘରକୁ ଫେରିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ଖେଳାଳିମାନେ କୋଲକାତାରେ ରହିଥିଲେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ ଖେଳାଳିମାନଙ୍କୁ ଏ ନେଇ ଶିକ୍ଷା ଦିଆଯାଇଛି। କରୋନା ଭାଇରସକୁ କିପରି ସାମ୍ନା କରିବାକୁ ହେବ ତାହା ଖେଳାଳିମାନେ ଭଲଭାବେ ଅବଗତ ହୋଇଛନ୍ତି। ଖେଳାଳିମାନଙ୍କ ସହ ଆମ ବିଶେଷଜ୍ଞମାନେ ସବୁବେଳେ ସମ୍ପର୍କରେ ରହିବେ ବୋଲି ମାନ୍‌ଜରା କହିଛନ୍ତି।

Share