ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ

ଲଣ୍ଡନ,୨୪।୬(ପି.ଟି.)- ଶେଷରେ ପାକିସ୍ତାନ ଜୋରଦାର୍‌ ପ୍ରତ୍ୟାବର୍ତ୍ତନ ସହ ବିଶ୍ୱକପ୍‌ର ୩୦ତମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରି ତା’ର ସେମିଫାଇନାଲର କ୍ଷୀଣ ଆଶାକୁ ଉଜ୍ଜୀବିତ ରଖିଛି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୦୮ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ନ ଉଇକେଟ ହରାଇ ୨୫୯ ରନ କରି ପରାଜୟ ବରଣ କରିଛି। ଏଥିସହ ପାକିସ୍ତାନ ୬ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନକୁ ଉଠିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୭ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୫ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ତାଲିକାର ନବମ ସ୍ଥାନକୁ ଖସିଛି। ଏଥି ସହିତ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିଛି।
୩୦୯ ରନ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ଅଭିଜ୍ଞ ହାସିମ ଅମଲା (୨ ରନ)ଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଅଧିନାୟକ ଫାଫ୍‌ ଡୁପ୍ଲେସି (୬୩ ରନ, ୭୯ ବଲ, ୫ ଚୌକା) ଓ କ୍ୱିଣ୍ଟନ ଡିକକ୍‌ (୪୭ ରନ, ୬୦ ବଲ, ୩ ଚୌକା, ୨ ଛକା)ଙ୍କୁ ବାଦ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର ହାସଲ କରିପାରି ନ ଥିଲେ। ନିୟମିତ ଅନ୍ତରରେ ଦଳ ଉଇକେଟ ହରାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାସି ଭାନ୍‌ ଡେର ଡୁସେନ ୩୬, ଡେଭିଡ ମିଲର ୩୧, କ୍ରିସ ମୋରିସ ୧୬ ରନ କରି ଆଉଟ ହୋଇଥିଲେ। ତେବେ ଶେଷ ଆଡ଼କୁ ଆଣ୍ଡିଲ ଫେଲୁକ୍ୱାୟୋ ୩୨ ବଲରୁ ୬ ଚୌକା ସହ ୪୬ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ଓ୍ବାହାବ ରିୟାଜ ଓ ସଦାବ ଖାଁ ୩ଟି ଲେଖାଏ, ମହମ୍ମଦ ଆମୀର ୨ ଓ ଶାହୀନ ଶାହ ଆଫ୍ରିଦୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ତରଫରୁ ପ୍ରତ୍ୟାବର୍ତ୍ତନ କରିଥିବା ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ହାରିସ ସୋହେଲ ଜବରଦସ୍ତ ବ୍ୟାଟିଂର ନମୁନା ପ୍ରଦର୍ଶନ କରିଥିଲେ। ମାତ୍ର ୫୯ଟି ବଲର ସମ୍ମୁଖୀନ ହୋଇ ସୋହେଲ ୯ ଚୌକା ଓ ୩ ଛକା ସହ ଦ୍ରୁତ ୮୯ ରନ ସଂଗ୍ରହ କରି ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳି ୩୦ ବର୍ଷୀୟ ସୋହେଲ ଚତୁର୍ଥ ଉଇକେଟରେ ବାବର ଆଜମଙ୍କ ସହ ୮୦ ବଲରୁ ୬୯ ରନ ସଂଗ୍ରହ କରିଥିଲେ। ସେହିପରି ପଞ୍ଚମ ଉଇକେଟରେ ଇମାଦ ଓ୍ବାସିମଙ୍କ ସହ ସୋହେଲ ୪୦ ବଲରୁ ୭୧ ରନ ସଂଗ୍ରହ କରିଥିଲେ। ଅନ୍ତିମ ୧୦ ଓଭରରେ ପାକିସ୍ତାନ ୯୧ ରନ ସଂଗ୍ରହ କରିଥିଲା ଓ ଏଥିରେ ସୋହେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଜ୍ଞ ସୋଏବ ମଲିକଙ୍କ ସ୍ଥାନରେ ସୋହେଲଙ୍କୁ ଅନ୍ତିମ ଏକାଦଶରେ ସାମିଲ କରାଯାଇଥିଲା। ସୋହେଲ ମଧ୍ୟ ଏହାର ଯଥାର୍ଥତା ପ୍ରତିପାଦନ କରିଥିଲେ।
ଦୁଇ ଓପନର ଇମାମ ଉଲ ହକ ଓ ଫକର ଜମାନ ୪୪ ରନ ଲେଖାଏ କରି ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ଦ୍ୱାରା ଆଉଟ ହୋଇଥିଲେ। ପ୍ରଥମେ ଫକର ଓ ପରେ ଇମାମ ଆଉଟ ହୋଇଥିଲେ। ପ୍ରଥମ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୮୧ ରନ ସଂଗ୍ରହ କରିଥିଲେ। ଏହାପରେ ଅଭିଜ୍ଞ ମହମ୍ମଦ ହାଫିଜ୍‌ ୨୦ ରନ କରିଥିବା ବେଳେ ଏଡେନ ମାରକ୍ରାମଙ୍କ ଦ୍ୱାରା ଆଉଟ ହୋଇଥିଲେ। ନିର୍ଭରଯୋଗ୍ୟ ବାବର ଆଜମ ଆଶା ଅନୁରୂପ ପ୍ରଦର୍ଶନ କରିଥିଲେ ଓ ୮୦ଟି ବଲରୁ ୭ ଚୌକା ସହ ୬୯ ରନ କରି ଆଣ୍ଡିଲ ଫେଲୁକ୍ୱାୟୋଙ୍କ ଶିକାର ହୋଇଥିଲେ। ଇମାଦ ଓ୍ବାସିମ ୧୫ ବଲରୁ ୩ ଚୌକା ସହ ଦ୍ରୁତ ୨୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଲୁନ୍‌ଗି ଏନ୍‌ଗିଡିଙ୍କ ଦ୍ୱାରା ଆଉଟ ହେବା ପୂର୍ବରୁ ସୋହେଲ ଦଳର ସ୍କୋରକୁ ୩୦୦ ପାର କରାଇଥିଲେ। ଓ୍ବାହାବ ରିୟାଜ ୪ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ସର୍ଫରାଜ ଅହମ୍ମଦ ୨ ଓ ଶଦାବ ଖାଁ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଲୁନ୍‌ଗି ଏନ୍‌ଗିଡି ସର୍ବାଧିକ ୩, ତାହିର ୨, ଫେଲୁକ୍ୱାୟୋ ଓ ମାରକ୍ରାମ ଗୋଟିଏ କରି ଉଇକେଟ ହାସଲ କରିଥିଲେ। ତାହିର ଏଥିସହିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ରେକର୍ଡ କରିଛନ୍ତି। ସେ ମୋଟ ୩୮ଟି ଉଇକେଟ ଅକ୍ତିଆର କରି ଆଲାନ ଡୋନାଲ୍ଡଙ୍କୁ ଅତିକ୍ରମ କରିଛନ୍ତି।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ୫୦ ଓଭରରେ ୩୦୮/୭
(ସୋହେଲ- ୮୯, ଆଜମ- ୬୯, ଇମାମ- ୪୪, ଫକର- ୪୪, ଇମାଦ- ୨୩, ହାଫିଜ- ୨୦, ଏନ୍‌ଗିଡି- ୩/୬୪, ତାହିର- ୨/୪୧)।
ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୨୫୯/୯
(ଡୁପ୍ଲେସି- ୬୩, ଡିକକ୍‌- ୪୭, ଫେଲୁକ୍ୱାୟୋ- ୪୬*, ଡୁସେନ- ୩୬, ମିଲର- ୩୧, ରିୟାଜ- ୩/ ୪୬, ଶଦାବ- ୩/୫୦, ଅମୀର- ୨/୪୯)।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri