Categories: ଖେଳ

ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜ: ବାଂଲାଦେଶର ସହଜ ବିଜୟ

ଡବ୍ଲିନ୍‌,୧୬।୫- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜରେ ବୁଧବାର ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବାଂଲାଦେଶ ୪୨ଟି ବଲ ବାକି ରଖି ୬ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଟସ୍‌ ଜିତି ଘରୋଇ ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୯୨ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୪୩ ଓଭରରେ ୪ ଉଇକେଟ ହରାଇ ୨୯୪ ରନ କରି ବିଜୟୀ ହୋଇଛି। ଏଥିସହ ବାଂଲାଦେଶର ଫାଇନାଲ ଆଶା ଆହୁରି ଦୃଢ ହୋଇଛି। ବାଂଲାଦେଶ ତରଫରୁ ତାମିମ ଇକବାଲ ୫୭, ଲିଟନ ଦାସ ୭୬, ସାକିବ ଅଲ ହାସନ ୫୦, ମୁସଫିକର ରହିମ ୩୫, ମହମୁଦୁଲ୍ଲା ଅପରାଜିତ ୩୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ଘରୋଇ ଦଳ ତରଫରୁ ବୋଏଡ ରନ୍‌କିନ ୨, ମାର୍କ ଆଡାଏର ଓ ବେରୀ ମ୍ୟାକକାର୍ଥୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଆର୍ୟଲାଣ୍ଡ ତରଫରୁ ଓପନର ପଲ ଷ୍ଟିର୍ଲିଂ ସର୍ବାଧିକ ୧୩୦, ଅଧିନାୟକ ଓ୍ବିଲିୟମ ପୋର୍ଟଫିଲ୍ଡ ୯୪ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ଆମୁ ଜାଏଦ ସର୍ବାଧିକ ୫, ମହମ୍ମଦ ସୈଫୁଦିନ ୨ ଓ ରୁବେଶ ହୁସେନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତସ୍କୋର:
ଆୟର୍ଲାଣ୍ଡ ୫୦ ଓଭରରେ ୨୯୨/୮
(ଷ୍ଟିର୍ଲିଂ- ୧୩୦, ପୋର୍ଟରଫିଲ୍ଡ- ୯୪, ଜାଏଦ- ୫/୫୮, ସୈଫୁଦିନ- ୨/୪୩)।
ବାଂଲାଦେଶ ୪୩ ଓଭରରେ ୨୯୪/୪
(ଲିଟନ- ୭୬, ତାମିମ- ୫୭, ସାକିବ- ୫୦, ମୁସଫିକର- ୩୫, ମହମୁଦୁଲ୍ଲା- ୩୫*, ରାନକିନ୍‌- ୨/୪୮)।

Share