Categories: ଖେଳ

ତ୍ରିରାଷ୍ଟ୍ରୀୟ ଟି୨୦: ବାଂଲାଦେଶ- ଆଫଗାନିସ୍ତାନ ଫାଇନାଲ

ଚିଟ୍ଟାଗଙ୍ଗ,୧୯।୯(ଏଏଫପି)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଆସନ୍ତା ମଙ୍ଗଳବାର ଫାଇନାଲ ମୁକାବିଲାରେ ଆୟୋଜକ ବାଂଲାଦେଶ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ। ଅନ୍ୟତମ ଦଳ ଜିମ୍ବାଓ୍ବେ ତା’ର ଅନ୍ତିମ ମ୍ୟାଚ୍‌ରେ ଶୁକ୍ରବାର ଆଫଗାନିସ୍ତାନକୁ ଭେଟିବ। ବୁଧବାର ଅନୁଷ୍ଠିତ ସିରିଜର ଚତୁର୍ଥ ମ୍ୟାଚ୍‌ରେ ବାଂଲାଦେଶ ୩୯ ରନରେ ଜିମ୍ବାଓ୍ବେକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ୭ ଉଇକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା। ଜବାବରେ ଜିମ୍ବାଓ୍ବେ ୨୦ ଓଭରରେ ୧୩୬ ରନ କରି ଅଲଆଉଟ ହୋଇ ପରାଜୟ ବରଣ କରିଛି। ୪୧ ବଲରୁ ୧ ଚୌକା ଓ ୫ ଛକା ସହ ୬୨ ରନର ଦ୍ରୁତ ପାଳି ଖେଳିଥିବା ବାଂଲାଦେଶ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମହମୁଦୁଲ୍ଲା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୭୬ ରନ ଟାର୍ଗେଟର ପିଛା କରିଥିବା ଜିମ୍ବାଓ୍ବେ ପକ୍ଷରୁ ରିଚ୍‌ମଣ୍ଡ ମୁଟୁମ୍ବାମି ସର୍ବାଧିକ ୫୪, ଅଧିନାୟକ ହାମିଲଟନ ମାସାକାଜା ୨୫, କାଏଲ ଜାର୍ଭିସ ୨୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ବାଂଲାଦେଶର ଶଫିଉଲ ଇସ୍‌ଲାମ ୩, ମୁସ୍ତାଫିଜୁର ରହମାନ ଓ ଅମିନୁଲ ଇସ୍‌ଲାମ ୨ଟି ଲେଖାଏ, ମହମ୍ମଦ ସୈଫୁଦ୍ଦିନ ଓ ସାକିବ ଅଲ ହାସଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତରଫରୁ ମହମୁଦୁଲ୍ଲା ସର୍ବାଧିକ ୬୨, ଲିଟନ ଦାସ ୩୮, ମୁସ୍‌ଫିକର ରହିମ ୩୨ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଜିମ୍ବାଓ୍ବେ ପକ୍ଷରୁ ବୋଲିଂରେ ଜାର୍ଭିସ ୩, କ୍ରିସ୍‌ ମୋଫୁ ୨, ରିୟାନ ବୁର୍ଲ ଓ ଟିନୋଟେଣ୍ଡା ମୁଟୋମ୍ବୋଜି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ୨୦ ଓଭରରେ ୧୭୫/୭
(ମହମୁଦୁଲ୍ଲା- ୬୨, ଲିଟନ- ୩୮, ମୁସ୍‌ଫିକର-୩୨, ଜାର୍ଭିସ- ୩/୩୨, ମୋଫୁ- ୨/୪୨)।
ଜିମ୍ବାଓ୍ବେ ୨୦ ଓଭରରେ ୧୩୬ ଅଲଆଉଟ୍‌
(ମୁଟୁମ୍ବାମି- ୫୪, ଜାର୍ଭିସ- ୨୭, ମାସାକାଜା- ୨୫, ଶଫିଉଲ- ୩/୩୬, ମୁସ୍ତାଫିଜୁର- ୨/୩୮, ଅମିନୁଲ- ୨/୧୮)।

Share