ତେଣ୍ଟା ନାଳରେ ମାଛମରାକୁ ନେଇ ତେଜୁଛି ବିବାଦ: ବେଆଇନ ଆଡ଼ିବନ୍ଧ ଯୋଗୁ ଚାଷଜମିକୁ ଯାଇପାରୁନି ପାଣି, ବଢ଼ୁଛି ଚାଷୀ ଅସନ୍ତୋଷ

ବିିଞ୍ଝାରପୁର,୧୧।୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରପଦା ତେଣ୍ଟା ନାଳରେ ମାଛ ଧରିବାକୁ ସ୍ଲୁଇସ୍‌ ଗେଟ୍‌ ବନ୍ଦ କରିବା ସହିତ ଆଡିବନ୍ଧ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚଳିତ ବର୍ଷ ବର୍ଷା ଅଭାବରୁ ବିଞ୍ଝାରପୁର ବ୍ଲକର ପ୍ରାୟ ଅଧିକାଂଶ ପଞ୍ଚାୟତରେ ମରୁଡି ଆଶଙ୍କା ସୃଷ୍ଟି ହୋଇଥିବାବେଳେ ଗତ୨ଦିନ ତଳେ ବିଞ୍ଝାରପୁର ଅଞ୍ଚଳରେ ମୋଟ ୨୩୭ମିଲି ମିଟର ବର୍ଷା ହୋଇଥିଲା। ଫଳରେ ତେଣ୍ଟାନାଳରେ କେନାଲ ପାଣି ପ୍ରବେଶ କରିବା ସହ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମନରେ ଚାଷ କାର୍ଯ୍ୟ ପାଇଁ ନୂତନ ଆଶା ଭରିଥିଲା। ମାତ୍ର ଖୋଳା ମାହାରାଠାରୁ ବରପଦା ଚିଲ ପଡ଼ିଆ ପର୍ଯ୍ୟନ୍ତ ବହିଯାଉଥିବା ତେଣ୍ଟାନାଳରେ କେତେକ ଅସାମାଜିକ ବ୍ୟକ୍ତି ମାଛ ମାରିବାକୁ ପାଣିକୁ ଅଟକ ରଖି ମାଛ ଧରିବାକୁ ଜାଲ ବସାଇଛନ୍ତି। ଏପରି କି ଏହି ନାଳରେ ଆଡିବନ୍ଧ ବସାଇବା ଯୋଗୁଁ ଚାଷ ଜମିକୁ ପାଣି ଯାଇପାରୁ ନାହିଁ। ଏହି ପାଣି ଅଟକ ଯୋଗୁ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମି ପ୍ରଭାବିତ ହେଉଥିବାରୁ ଚାଷୀମାନେ ମୁଣ୍ଡରେ ହାତମାରି ବସିଛନ୍ତି। ଏହି ଆଡ଼ିବନ୍ଧକୁ କାଟିବା ସହିତ ସ୍ଲୁଇସ୍‌ ଗେଟକୁ ଖୋଲିବା ପାଇଁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ କିଛି ଶୁଣୁ ନାହିଁ। ସେହିପରି ନାଗପୁରା ଓ ବରପଦାକୁ ସଂଯୋଗ କରୁଥିବା ତେଣ୍ଟା ପୋଲ ନିକଟରେ ପ୍ରବଳ ଦଳ ହୋଇଥିବାରୁ ପାଣିର ଗତିପଥ ସ୍ଥିର ରହୁଛି ା ଏହି ସବୁ ସମସ୍ୟାକୁ ପ୍ରଶାସନ ସମାଧାନ ନ କଲେ ସ୍ଥାନୀୟ ଚାଷଜମି ପ୍ରଭାବିତ ହେବବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଏହି ବେଆଇନ ଭାବେ ମାଛ ଧରିବାକୁ ଆଡ଼ିବନ୍ଧ କରି ଜାଲ ବିଛାଯାଇଥିଲେ ମଧ୍ୟ ପ୍ରଶାସନ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଚିକଣା, ବ୍ରାହ୍ମଣୀ ଗଁା, ଉତ୍ତଙ୍ଗରା, ଉଡ୍ରଙ୍ଗ, ଯୋଇଁମରା, ବରପଦା ଆଦି ଅଞ୍ଚଳର ଚାଷୀମାନେ ଏହି ସମସ୍ୟାର ଶିକାର ହେଉଛନ୍ତି। ସୂଚନା ଯୋଗ୍ୟ ଗତ ବର୍ଷ ବିଞ୍ଝାରପୁର ବ୍ଲକ ଅଧିନ ନଇଆ ନାଳରେ ଆଡିବନ୍ଧ କରି ମାଛଧରାକୁ ନେଇ ଅଣ୍ଢାଳୋ ଓ ଫଳପୁର ଗ୍ରାମ ମଧ୍ୟରେ ବିବାଦ ମଧ୍ୟ ଦେଖାଦେଇଥିଲା। ବିବାଦ ଉଗ୍ରରୁପ ନେବା ସହିତ ଘଟଣାକୁ କେନ୍ଦ୍ର କରି ଫଳପୁର ଗ୍ରାମର ଜୈନିକ ବୃଦ୍ଧଙ୍କୁ ଅଣ୍ଢାଳୋ ଗ୍ରାମର କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ବିଞ୍ଝାରପୁର ଥାନା ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ଏବେ ପୁଣି ଏଭଳି ଏକ ସମସ୍ୟା ସୃଷ୍ଟି ହୋଇଥିବାରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ପୂର୍ବରୁ ଏହାର ସମାଧାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଅପରପକ୍ଷରେ ଏହି ଘଟଣାର ଖୁବଶୀଘ୍ର ତଦନ୍ତ କରାଯାଇ ଆଡିବନ୍ଧ ଭାଙ୍ଗି ଚାଷଜମିକୁ ପାଣି ଯୋଗାଇ ଦିଆଯିବ ବୋଲି ତହସିଲଦାର ମିନତୀ ଜଗଦେବ କହିଛନ୍ତି।