ତୃତୀୟ ସନ୍ତାନର ପିତା ହେଲେ ଓ୍ବାର୍ନର

ଲଣ୍ଡନ, ୨।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ ମଝିରେ ବିସ୍ଫୋରକ ଅଷ୍ଟ୍ରେଲୀୟ ଓପନିଂ ବ୍ୟାଟ୍ସମ୍ୟାନ ଡେଭିଡ୍‌ ଓ୍ବାର୍ନରଙ୍କ ପାଇଁ ଖୁସି ଖବର ଆସିଛି। ସେ ତୃତୀୟ ସନ୍ତାନର ପିତା ହୋଇଛନ୍ତି। ଓ୍ବାର୍ନରଙ୍କ ସ୍ତ୍ରୀ କ୍ୟାଣ୍ଡିସ ରବିବାର ରାତିରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହି ନବଜାତ କନ୍ୟାର ନାମ ଇଲା ରୋଜ୍‌ ରଖଯାଇଛି। ତେବେ ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରି ସାରିଥିବାରୁ ଓ୍ବାର୍ନର ସ୍ବଦେଶ ପ୍ରତ୍ୟାବର୍ତ୍ତନ ନ କରି ଇଂଲଣ୍ଡରେ ରହିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ ପୂର୍ବରୁ କ୍ୟାଣ୍ଡିସ ଅଷ୍ଟ୍ରେଲିଆ ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ୮ ମ୍ୟାଚ୍‌ରୁ ୫୧୬ ରନ୍‌ ସଂଗ୍ରହକରି ସର୍ବୋଚ୍ଚ ସ୍କୋରର ରହିଥିବା ଓ୍ବାର୍ନର ସୋସିଆଲ ମିଡିଆରେ ପ୍ରଥମେ ଏହି ଖୁସି ଖବର ପ୍ରକାଶ କରିଥିଲେ। ‘ଆମେ ଆମ ପରିବାରର ନୂତନ ସଦସ୍ୟ ଇଲା ରୋଜ୍‌ଙ୍କୁ ରବିବାର ବିଳମ୍ବିତ ରାତିରେ ସ୍ବାଗତ କରିଛୁ। କ୍ୟାଣ୍ଡିସ ଓ୍ବାର୍ନର ବହୁତ ଭଲ। ଉଭୟ ମା ଓ ଝିଅ ସମ୍ପୂଣ୍ଣ ସୁସ୍ଥ ଥିବା ସହ ଇଲାଙ୍କ ବଡ଼ ଭଉଣୀ ଖୁସି ରହିଛନ୍ତି’ ବୋଲି ଓ୍ବାର୍ନର ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଏହା ଉଲ୍ଲେଖ କରିଛନ୍ତି। ସେହିଭଳି ଓ୍ବାର୍ନର ଆହୁରି ମଧ୍ୟ କହିଛନ୍ତି, ‘ମୁଁ ବାପା ହୋଇ ବହୁତ ଖୁସି। ମୋ ପାଖରେ ଏକ ସାହାଯ୍ୟକାରୀ ସ୍ତ୍ରୀ ଏକ ସୁନ୍ଦର ପରିବାର ରହିଛି। ଏଠାରେ ମଧ୍ୟ ମୋ ସାଥୀ ଖେଳାଳି ଖୁସି ରହିଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସେମାନେ ସମନ୍ତେ ମୋ ପାଖରେ ଠିଆ ହୋଇଛନ୍ତି’। ଇଲାଙ୍କ ଜନ୍ମ ଫଳରେ ଓ୍ବାର୍ନର ବର୍ତ୍ତମାନ ୩ ସନ୍ତାନର ପିତା ହୋଇଛନ୍ତି। ପୂର୍ବରୁ ତାଙ୍କର ଇଭି-ମାଇ (୫ ବର୍ଷ) ଓ ଇଣ୍ଡି-ରାଇ (୩ ବର୍ଷ) ନାମରେ ୨ କନ୍ୟା ସନ୍ତାନ ରହିଛି। ଉଲ୍ଲେଖଯୋଗ୍ୟ, ବହୁଚର୍ଚ୍ଚିତ ବଲ୍‌ ଟ୍ୟାମ୍ପରିଂ ମାମଲାରେ ଓ୍ବାର୍ନର ଗତବର୍ଷ ୧୨ ମାସ ଲାଗି ବାସନ୍ଦ ହୋଇଥିବାବେଳେ କ୍ୟାଣ୍ଡିସଙ୍କର ୨ଥର ଗର୍ଭପାତ ହୋଇଥିଲା।

Share