Categories: ଖେଳ

ତିନି ଦଶନ୍ଧିର ଖେଳାଳି ଏକାଠି

ବେନାଉଲିମ୍‌ (ଗୋଆ), ୯ା୩ (ପି.ଟି.)-ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରବିବାର ସ୍ଥାନୀୟ ବେନାଉଲିମ୍‌ ଗ୍ରାଉଣ୍ଡରେ ୩ ଦଶନ୍ଧିର ଭାରତୀୟ ମହିଳା ଫୁଟ୍‌ବଲରମାନେ ଏକାଠି ହୋଇଥିଲେ। ଭାରତରେ ହେବାକୁଥିବା ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ୨୦୨୦ ସ୍ଥାନୀୟ ଆୟୋଜକ କମିଟି ତରଫରୁ ଏହି ଇଭେଣ୍ଟର ଆୟୋଜନ କରାଯାଇଥିଲା। ଏହି ଅବସରରେ ବର୍ତ୍ତମାନ ଓ ପୂର୍ବତନ ଖେଳାଳିମାନେ ଭବିଷ୍ୟତର ଖେଳାଳିମାନଙ୍କୁ ପ୍ରେରଣା ଦେଉଥିବା ଦେଖିବାକୁ ମଳିଥିଲା। ପୂର୍ବତନ ଭାରତୀୟ ମହିଳା ଦଳର ଅଧିନାୟିକା ବେମ୍‌ବେମ୍‌ ଦେବୀ ଏବଂ ବର୍ତ୍ତମାନର ଅଧିନାୟିକା ଆଶାଲତା ଦେବୀ ଭାରତର ୧୭ ବର୍ଷରୁ କମ୍‌ ଦଳର ଖେଳାଳିମାନଙ୍କ ସହିତ ଭାବର ଆଦାନପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା, ଯେଉଁମାନେ ପ୍ରଥମ ଥର ଏକ ଫିଫା ଟୁର୍ନାମେଣ୍ଟ ଖେଳିବାକୁ ଯାଉଛନ୍ତି। ଗୋଆର ବିଭିନ୍ନ ଏନଜିଓ ଏବଂ ସ୍କୁଲଗୁଡ଼ିକରୁ ଆସିଥିବା ୧୦୦ରୁ ଊର୍ଦ୍ଧ୍ୱ ପିଲା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ନାଇଜେରିଆ ତରଫରୁ ୪ଥର ଫିଫା ମହିଳା ବିଶ୍ୱକପ୍‌ ଖେଳିଥିବା ତଥା ଭାରତର ୧୭ ବର୍ଷରୁ କମ୍‌ ଗୋଲକିପିଂ କୋଚ୍‌ ପ୍ରିସିଅସ୍‌ ଡେଡେ ସ୍କୁଲ ପିଲାମାନଙ୍କୁ ତାଙ୍କ ଗୋଲ୍‌ କିପିଂ କୌଶଳର କେତୋଟି ନମୁନା ଦେଖାଇଥିଲେ। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଚଳିତ ବର୍ଷ ଶେଷଭାଗରେ ଅହମ୍ମଦାବାଦ, ଭୁବନେଶ୍ୱର, ଗୁଆହାଟୀ, କୋଲକାତା ଏବଂ ନଭି ମୁମ୍ବାଇରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ନଭେମ୍ବର ୨ରୁ ଆରମ୍ଭ ହେବ। ଫାଇନାଲ ନଭେମ୍ବର ୨୧ରେ ହେବ।

Share