ତାହିର ପ୍ରଥମ ସ୍ପିନର

ଲଣ୍ଡନ,୩୧।୫(ପି.ଟି.)- ଦକ୍ଷିଣ ଆଫ୍ରିକା ଅଭିଜ୍ଞ ସ୍ପିନର ଇମ୍ରାନ ତାହିର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ସ୍ପିନର ଭାବେ କୌଣସି ବିଶ୍ୱକପ୍‌ର ପ୍ରଥମ ଓଭର ବୋଲିଂ କରିଛନ୍ତି। ଗୁରୁବର ଆୟୋଜକ ଇଂଲଣ୍ଡ ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ଲେଗ୍‌ ସ୍ପିନର ତାହିରଙ୍କୁ ପ୍ରଥମ ଓଭର ବୋଲିଂ କରିବାକୁ ଅଧିନାୟକ ଫାଫ୍‌ ଡୁପ୍ଲେସି ସୁଯୋଗ ଦେଇଥିଲେ। ଟସ୍‌ ଜିତିବା ପରେ ତାହିରଙ୍କୁ ଡୁପ୍ଲେସି ପ୍ରଥମ ଓଭର ବୋଲିଂ କରିବାକୁ ଡାକିଥିଲେ। ତାହିର ଅବଶ୍ୟ ଅଧିନାୟକଙ୍କୁ ନିରାଶ କରି ନ ଥିଲେ। ସେ ପ୍ରଥମ ଓଭରରେ ଦ୍ୱିତୀୟ ବଲରେ ଇଂଲଣ୍ଡ ଓପନର ଜନୀ ବେୟାରଷ୍ଟୋଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ଗୁଗଲି ପକାଇ ତାହିର ବେୟାରଷ୍ଟୋଙ୍କୁ ଚକ୍‌ମା ଦେଇଥିଲେ। ବେୟାରଷ୍ଟୋ ଉଇକେଟକିପର କ୍ୱିଣ୍ଟନ ଡିକକ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୧୯୯୨ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଅଫ୍‌ସ୍ପିନର ଦୀପ ପଟେଲ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଦ୍ୱିତୀୟ ଓଭର ବୋଲିଂ କରିଥିଲେ। ତାହିର ଏବେ ୪୦ ବର୍ଷ ୬୪ ଦିନରେ ପଦାର୍ପଣ କରିଛନ୍ତି। ସେ ବୟୋଜ୍ୟେଷ୍ଠ ଖେଳାଳିଭାବେ ଦକ୍ଷିଣ ଆଫ୍ରିକା ପାଇଁ ବିଶ୍ୱକପ ଖେଳୁଛନ୍ତି। ପୂର୍ବରୁ ଓମାର ହେନେରୀ ୪୦ ବର୍ଷ ୩୯ ଦିନରେ ବିଶ୍ୱକପ୍‌ ଖେଳିଥିଲେ। ତାହିର ଏବେ ଓମାରଙ୍କୁ ପଛରେ ପକାଇଛନ୍ତି। ଓମାନର ୧୯୯୨ ବିଶ୍ୱକପ୍‌ରେ ଓ୍ବେଲିଂଟନରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବାର ସୁଯୋଗ ହାସଲ କରିଥିଲେ।

Share