ତଥାପି ଅନ୍ଧାର ହଟିନାହିଁ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
ଏବେ ଆଧୁନିକତାର ଉତ୍ତାଳ ପ୍ରୀତି ପ୍ରଳୟ ରୂପ ଧାରଣ କରିଛି ପ୍ରତିଟି ଜନମାନସରେ। ବସ୍ତୁବାଦୀ ସଭ୍ୟତାର ଶିଖର ଆରୋହଣ କରି ମଣିଷ ଆଜି ସ୍ବୟଂସମ୍ପୂର୍ଣ୍ଣ। ଆଧ୍ୟାତ୍ମିକ ଅନୁଭବକୁ ଅବଜ୍ଞା କରି ଭୋଗବାଦୀ ଜୀବନଯାତ୍ରାର ଜୟଜୟକାର ମଧ୍ୟରେ ସମଗ୍ର ଜଗତ କୋଳାହଳମୁଖରିତ। ଆତ୍ମନିଷ୍ଠତାର ଉଜ୍ଜ୍ୱଳ ଆଲୋକ ମଧ୍ୟରେ ଧର୍ମଭୟ ଓ ଈଶ୍ୱରବିଶ୍ୱାସର ତଥାକଥିତ ଅନ୍ଧକାର ସତତ ପ୍ରତିହତ। ହଁ, ଅଲୋଡ଼ା ଧର୍ମ ପ୍ରତି ଭୟ ଅବା ଅଦୃଷ୍ଟ ଈଶ୍ୱରଙ୍କ ଉପରେ ବିଶ୍ୱାସ ସ୍ଥାପନ ଆଧୁନିକତାରେ ଆକ୍ରାନ୍ତ ସାମ୍ପ୍ରତିକ ନଗରସଭ୍ୟତା ପାଇଁ ଅନ୍ଧକାର ନୁହେଁ ତ ଆଉ କ’ଣ? ବିଜ୍ଞାନର ବିଶେଷ ସହାୟତା ବଳରେ ବଳୀୟାନ୍‌ ବୁଦ୍ଧିଦୀପ୍ତ ମଣିଷ ଧର୍ମ ଓ ଈଶ୍ୱରଙ୍କୁ ପିଠିକରି ଯେଉଁଠି ଆଲୋକ ରାଜ୍ୟରେ ବିଚରଣ କରେ, ସେଠି ଅନ୍ଧାରର ପରିକଳ୍ପନା ଅତ୍ୟନ୍ତ ଅବାସ୍ତବ ନିଶ୍ଚୟ। ତେବେ ପୁଣି ଏମିତି କାହିଁକି ହୁଏ?
ଦପ୍ତରର ଶୀତତାପନିୟନ୍ତ୍ରିତ ସୁସଜ୍ଜିତ କକ୍ଷରେ ଚାରିଚାରିଟି କମ୍ପ୍ୟୁଟର। ଘରର କାର୍ପେଟ ବିଛା ଡ୍ରଇଂ ରୁମରେ ଇଣ୍ଟରନେଟ୍‌ର ଇନ୍ଦ୍ରଜାଲ। ସୁଟ୍‌-ବୁଟ୍‌ପିନ୍ଧା ସମ୍ଭ୍ରାନ୍ତ କଳେବର। ଅତ୍ୟାଧୁନିକ ଇମ୍ପୋର୍ଟ କାର ଚଢି ପବନ ବେଗରେ ରାଜଧାନୀର ରାଜରାସ୍ତାରେ ଉଡିଯାଉଥିବା ସଭ୍ୟ ଶିକ୍ଷିତ ଲୋକ ପୁଣି ନିଭୃତରେ ହସ୍ତରେଖା ବିଶାରଦ ଜ୍ୟୋତିଷ ପାଖରେ ଆଣ୍ଠୋଇ ପଡି ଜାଣିବାକୁ ଚାହୁଁଥିବେ ନିଜର ଅନାଗତ ଭବିଷ୍ୟତ। ବିକଳରେ ପ୍ରତୀକ୍ଷା କରୁଥିବେ ଗଣକଙ୍କ ଗଣନାର ଫଳାଫଳକୁ ଓ ତାଙ୍କ ପରାମର୍ଶକୁ ବେଦବାକ୍ୟ ମନେକରି ଲକ୍ଷାଧିକ ଟଙ୍କା ବ୍ୟୟରେ ଅଙ୍ଗୁଳିରେ ପିନ୍ଧୁଥିବେ ପାନ୍ନା ଓ ପୋଖରାଜ ଆଦି ଦୁର୍ମୂଲ୍ୟ ମଣିଖଚିତ ମୁଦ୍ରିକାମାନ। ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ଭାଗ୍ୟ ସନ୍ଧାନରେ ଏ ପ୍ରକାର ଏକନିଷ୍ଠତାକୁ କ’ଣ ନାମ ଦିଆଯାଇପାରେ? ଅଷ୍ଟାଦଶ ଶତାବ୍ଦୀ ଅନ୍ଧବିଶ୍ୱାସର କଳା ଅନ୍ଧକାର ନା ଏକବିଂଶ ଶତାବ୍ଦୀ ଆଧୁନିକତାର ଶୁଭ୍ର ଆଲୋକ।
ସମୟ ପ୍ରାଚୀନ ହେଉ କି ନବୀନ, ଶତାବ୍ଦୀ ଊନଂବିଶ ପ୍ରାନ୍ତ ହେଉ କି ଆଦ୍ୟ ଏକବିଂଶ, ଯୁଗେ ଯୁଗେ ଅଦୃଷ୍ଟ ଈଶ୍ୱରଙ୍କ ଅଲୌକିକ ପ୍ରଭାବ ନିକଟରେ ମଣିଷ ନିଜକୁ ଅସହାୟ ମନେକରି ଆସିଛି। ଏମିତି ଅଲୌକିକତା ତା’ ମନରେ ଈଶ୍ୱରଙ୍କ ପ୍ରତି ଭକ୍ତି କମ୍‌, ଭୟ ସଂଚାର କରିଛି ବେଶି। ଶିକ୍ଷା, ସଭ୍ୟତା ଓ ଆଧୁନିକତାର ଔଜ୍ଜ୍ୱଲ୍ୟରେ ତା’ର ଆତ୍ମସତ୍ତା ଯେତେ ଆଲୋକିତ ହେଲେ ବି ଭୟର ଏ କଳା ଅନ୍ଧକାର ତଥାପି ଦୂରୀଭୂତ ହେଉନାହିଁ ମଣିଷ ମନରୁ। ସେ ଶରଣ ପଶୁଛି କେବେ ବି ପ୍ରତ୍ୟକ୍ଷ କରି ନ ଥିବା ସେଇ ରହସ୍ୟମୟ ଶକ୍ତି ପାଖରେ। ନିଜକୁ ସମର୍ପଣ କରୁଛି କେବେ ବି ପ୍ରମାଣିତ ହୋଇ ନ ଥିବା ସେଇ ବିଶ୍ୱାସ ନିକଟରେ। ସେଇ ଶକ୍ତି ଓ ବିଶ୍ୱାସ ତା’ ପାଇଁ ପାଲଟିଯାଇଛି ନିଜ ଜ୍ଞାନ, ଗରିମା, ବୁଦ୍ଧି ଓ ବିବେକଠାରୁ ଆହୁରି ନିର୍ଭରଶୀଳ ଏକ ଅପରିହାର୍ଯ୍ୟ ଆଶ୍ରୟ। ଅଥଚ ବିଡମ୍ବନାର ବିଷୟ ଏହା ଯେ ତା’ର ଏମନ୍ତ ଆଚରଣ ଓ ଏ ପ୍ରକାର ସମର୍ପଣ ବିଜ୍ଞାନବିରୋଧୀ, ନବ୍ୟ ସଭ୍ୟତାର ଏକାନ୍ତ ପରିପନ୍ଥୀ। କାରଣ ସେ କାଲିର ପ୍ରସ୍ତରଯୁଗର ଅନ୍ଧାରି ଇଲାକାର ମଣିଷ ନୁହେଁ, ଆଜିର ଆଲୋକମୟ ଯୁଗର ଅଗ୍ରଗାମୀ ମଣିଷ।
ଏବେ ଟିଭି ଖବରରୁ ଦେଖିବାକୁ ମିଳିଲା ତିନୋଟି ଭୟଙ୍କର ଦୃଶ୍ୟ। ଦୃଶ୍ୟ ତିନୋଟିକୁ ଗଭୀର ମନୋଯୋଗ ସହକାରେ ତର୍ଜମା କଲେ ଲାଗିବ ଏ ଯାଏ ବି ଶିକ୍ଷା ବା ସଭ୍ୟତାଠାରୁ ଅପହଞ୍ଚ ଦୂରତାରେ ଅଛନ୍ତି ବେଶ୍‌ ଥୋକେ ଲୋକ, ଯେଉଁମାନଙ୍କୁ ବେଶ୍‌ କବଳିତ କରିରଖିଛି ସେଇ ଆଦିମ ଯୁଗର ଅନ୍ଧବିଶ୍ୱାସ। ପ୍ରଥମ ଘଟଣାରେ ଜଣେ ଆଠବର୍ଷର ଶିଶୁକୁ ଦୁଇଜଣ ଗୁଣିଆ ନିର୍ମମ ଭାବେ ନିର୍ଘାତ ପିଟି ଚାଲିଛନ୍ତି ଓ ଅର୍ଦ୍ଧଶତାଧିକ ଲୋକ ଦୃଶ୍ୟଟିକୁ ନିର୍ବିକାରରେ ଉପଭୋଗ କରି ଚାଲିଛନ୍ତି। ନିଷ୍ପାପ, କୋମଳ ଶିଶୁଟିର ଦୋଷ ହେଉଛି ସେ ବିଗତ କେଇ ମାସ ଧରି କ୍ରମାଗତ ଅସୁସ୍ଥ ହୋଇରହୁଛି। ତା’ର କଅଁଳ ଶରୀରଟିକୁ ପ୍ରେତ କବଳିତ କରିରଖିଛି ବୋଲି ଚିହ୍ନଟ କରି ଗୁଣିଆଦ୍ୱୟ ପ୍ରେତ ବିତାଡନ କାର୍ଯ୍ୟରେ ଲାଗିପଡିଛନ୍ତି ପିଲାଟିକୁ ନିର୍ଘାତ ପ୍ରହାର କରି। ବିକଳରେ କାନ୍ଦୁଥିବା ଶିଶୁଟିକୁ ରୋଗମୁକ୍ତ କରିବାର ଏ ଆସୁରିକ ପ୍ରକ୍ରିୟାକୁ ନୀରବରେ ଉପଭୋଗ କରୁଛନ୍ତି ତା’ର ପିତାମାତା ଓ ଅନ୍ୟମାନେ। ଦ୍ୱିତୀୟ ଘଟଣାରେ ବିଷାକ୍ତ ନାଗସାପ ଦଂଶନର ଶିକାର ହୋଇଥିବା ଜଣେ ଯୁବକଙ୍କୁ ଡାକ୍ତରଖାନା ନ ନେଇ ବହୁ ଜନସମାଗମ ମଧ୍ୟରେ ଏକ ପୋଖରୀ ଭିତରକୁ ନେଇ ମନ୍ତ୍ର ଉଚ୍ଚାରଣ ସହ ମୁଣ୍ଡରେ ଶହେ କୋଡିଏ କଳସୀ ପାଣି ଢାଳି ବିଷ ହରଣ କରିବାର ଅପଚେଷ୍ଟା ଚାଲିଛି। ବିଷଜ୍ୱାଳା ପ୍ରଭାବରେ ମୁଣ୍ଡ ଘୂରାଇବା ଭଳି ବିପଜ୍ଜନକ ଉପସର୍ଗର ଆଭାସ ମିଳିଲା ପରେ ବି ପୋଖରୀ ସମୀପସ୍ଥ ମନ୍ଦିରର ମୂକ ଦେବତାଙ୍କ ଉପରେ ଆସ୍ଥା ସ୍ଥାପନ କରୁଛନ୍ତି ନିଜେ ପୀଡ଼ିତ ବ୍ୟକ୍ତି ଜଣକ।
ତୃୃତୀୟ ଘଟଣାଟିର ସଂଖ୍ୟା ଏକରେ ସୀମିତ ନୁହେଁ। ଏକ ଆଦିବାସୀ ଗ୍ରାମର ଅଶିକ୍ଷିତ ମହିଳା ଜଣଙ୍କୁ ଜଘନ୍ୟ ଭାବେ ହତ୍ୟାକରି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦିଆଯାଉଛି। ଅତ୍ୟନ୍ତ ନିରୀହ ଭାବେ ମହିଳାଙ୍କର ପୁଅ ଅଭିଯୋଗ କରୁଛି ଟିଭି ଚାନେଲର ଖବରଦାତାଙ୍କ ନିକଟରେ ଯେ, ତାଙ୍କ ଗାଁରେ ଚାରିଜଣ ପିଲାଙ୍କ ମୃତ୍ୟୁ ଓ ବହୁ ଜଣଙ୍କ ଅସୁସ୍ଥତାର କାରଣ ଥିଲା ତାଙ୍କ ମା’ର ଗୁଣିଗାରେଡି। ତେଣୁ ତାକୁ ମାରି ଦିଆଯାଇଛି। ନିଜ ମା’ର ବୀଭତ୍ସ ହତ୍ୟା ସମ୍ପର୍କରେ ପୁଅର କି ବିଚିତ୍ର କୈଫିୟତ୍‌। ଅଥଚ ସେଇ ଆଖପାଖ ଗାଁରେ ଆଉ ଜଣେ ଆଦିବାସୀ କନ୍ୟା ବିମାନ ଚଳାଇ ଆକାଶରେ ଉଡିବାର ଯୋଗ୍ୟତା ହାସଲ କଲେଣି। ପୁଣି ସେଇ ସମ୍ପ୍ରଦାୟର ଆଉ ଜଣେ ବିଶିଷ୍ଟ ସନ୍ତାନ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ଭଳି ବିରଳ ସମ୍ମାନର ଅଧିକାରୀ ହେଲେଣି।
ପ୍ରାୟ ଦୁଇମାସ ତଳେ ଏ ଲେଖକର ହ୍ବାଟ୍‌ସଆପକୁ ଜଣେ ବନ୍ଧୁଙ୍କ ନମ୍ବରରୁ ଏକ ବିଚିତ୍ର ବାର୍ତ୍ତା ଆସିଲା। ବାର୍ତ୍ତାଟି ଥିଲା ଦୁର୍ବଳଚିତ୍ତ ଲୋକମାନଙ୍କ ପାଇଁ ଭୟ ଉଦ୍ରେକକାରୀ। ଲେଖା ଥିଲା, ମହାବୀର ହନୁମାନଙ୍କ ଆଜ୍ଞାରେ ଏ ବାର୍ତ୍ତା ପ୍ରେରଣ କରାଯାଉଛି। ଏହାକୁ ଅବଜ୍ଞା କରି କାଟି ଦେଉଥିବା ଲୋକର ପ୍ରଭୂତ କ୍ଷତି ହେବ ଏବଂ ଶ୍ରଦ୍ଧାର ସହ ଚାଳିଶ ଜଣଙ୍କ ନିକଟକୁ ପ୍ରେରଣ କରୁଥିବା ଲୋକର ଅଶେଷ ମଙ୍ଗଳ ହେବ। ବନ୍ଧୁ ଜଣଙ୍କୁ ଏ ପ୍ରକାର ଅସଙ୍ଗତ ବାର୍ତ୍ତା ପ୍ରେରଣ ପାଇଁ ମୃଦୁ ଭର୍ତ୍ସନା କରିବାରୁ ଯାହା ଉତ୍ତର ମିଳିଲା, ତାହା ଭିତରେ ଭରି ରହିଥିଲା କେବଳ ଅସଭ୍ୟ, ଅଶିକ୍ଷିତ ଆଦିବାସୀମାନଙ୍କର ନୁହେଁ, ସଭ୍ୟ ଶିକ୍ଷିତବର୍ଗମାନଙ୍କର ଅହେତୁକ ଭୟଭ୍ରାନ୍ତିର ଏକ ସଂବେଦ୍ୟ ସଙ୍କେତ। ବନ୍ଧୁ ଏଭଳି ବାର୍ତ୍ତା ପ୍ରେରଣ ପାଇଁ ଦୁଃଖ ପ୍ରକାଶ କଲେ ସତ, କିନ୍ତୁ ଏକ ଅଭିନବ ସ୍ବୀକାରୋକ୍ତି କରି କହିଲେ, କୋଡିଏ ଭିତରେ ନିର୍ଦ୍ଦେଶ ଥିଲେ ଆପଣଙ୍କୁ ସାମିଲ କରି ନ ଥାନ୍ତି। ଚାଳିଶ ଜଣଙ୍କୁ ପଠାଇବାକୁ ପଡିଲାରୁ ଆପଣ ଆସିଗଲେ। ଏଭଳି ଆଦେଶକୁ ଅମାନ୍ୟ କରି ଐଶ୍ୱରୀୟ କୋପର ଶିକାର ହେବାକୁ କିଏ ବା ଦୁଃସାହସ କରନ୍ତା ଆଜ୍ଞା!
ଚାଳିଶଜଣଙ୍କୁ ଏମିତି ବାର୍ତ୍ତାହୀନ ବାର୍ତ୍ତା ପଠାଇ ନିଜକୁ ଚିନ୍ତାମୁକ୍ତ କରିଥିବା ଏ ବନ୍ଧୁଙ୍କର କାମ ଶେଷ ହେଲା ଯେଉଁଠି, ସେଇଠି ଆରମ୍ଭ ହେଲା ଆଉ ଚାଳିଶ ଜଣଙ୍କର ଚିନ୍ତା, ମନର ଅସ୍ଥିରତା ଓ ଅହେତୁକ ଆଶଙ୍କାକୁ ନେଇ ମନ ବିଚଳିତ ହେଲା ଭଳି ଏକ ଭୟଙ୍କର ଅବସ୍ଥା। ଈଶ୍ୱରୀୟ ସତ୍ତାର ପ୍ରଚାର ଓ ପ୍ରସାର ପାଇଁ ବାର୍ତ୍ତା ପ୍ରେରଣର ଏ ଭୟଙ୍କର ଅସରନ୍ତି ଖେଳ ପ୍ରଥମେ କିଏ କେବେ ଆରମ୍ଭ କରିଥିଲା କେଜାଣି, ସେଦିନରୁ ଏ ଯାଏ ଏକରୁ ଚାଳିଶ, ଚାଳିଶରୁ ଚାଳିଶ ଗୁଣନ ଚାଳିଶ ଓ ପୁଣି ପରବର୍ତ୍ତୀ ବର୍ଗ ନିର୍ଦ୍ଧାରଣ ଆଦି ଗାଣିତିକ ପ୍ରକ୍ରିୟା ମଧ୍ୟରେ ଏ ଖେଳ ଏ ଯାଏ ବି ଚାଲୁ ରହିଛି। କେଇବର୍ଷ ପୂର୍ବରୁ ପୋଷ୍ଟକାର୍ଡ ପ୍ରେରଣ ମାଧ୍ୟମରେ ତ ଏବେ ମୋବାଇଲ ବାର୍ତ୍ତା ମାଧ୍ୟମରେ। ତାହା ପୁଣି ଏମିତି ଏକ ସମୟରେ, ଯେତେବେଳେ ସଭ୍ୟ ମଣିଷ ଆଧୁନିକ ଜୀବନର ଉଜ୍ଜ୍ୱଳ ଆଲୋକରେ ଯାବତୀୟ କୁସଂସ୍କାର ଓ ଅନ୍ଧବିଶ୍ୱାସର ଅନ୍ଧକାରକୁ ଦୂରୀଭୂତ କରିପାରିଛି ବୋଲି ନିତିଦିନ ଡିଣ୍ଡିମ ପିଟିବାରେ ଲାଗିଛି।
ଉପସଂହାରରେ ଆଉ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୃଷ୍ଟାନ୍ତ। ଟିଭିରେ ଭାଗ୍ୟ ଭବିଷ୍ୟ ଓ ବାସ୍ତୁ ବିଚାର ଆଦି କାର୍ଯ୍ୟକ୍ରମକୁ ଧ୍ୟାନର ସହ ଦେଖୁଥିବା ଜଣେ ଅନ୍ୟଥା ଆଧୁନିକ ରମଣୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇ ଜଣେ ବିବ୍ରତ ଗୃହସ୍ବାମୀ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ତାଙ୍କ ନୂଆ ଗ୍ୟାରେଜଟିକୁ ଭାଙ୍ଗିଦେବାକୁ ବାଧ୍ୟ ହୋଇଛନ୍ତି। କଥା ହେଲା, ବାସ୍ତୁ ବିଚାରର ବିଚିତ୍ର ତତ୍ତ୍ୱ ଅନୁଯାୟୀ ଗୃହର ଯେଉଁ ଦିଗରେ ଗ୍ୟାରେଜ ନିର୍ମିତ ହେବା କଥା, ତାହା ହୋଇନାହିଁ ବୋଲି ପତ୍ନୀ ମହୋଦୟା ଟିଭି କାର୍ଯ୍ୟକ୍ରମରୁ ଜାଣିଲା ପରେ ଆରମ୍ଭ ହୋଇଥିଲା ଘରେ ଅଶାନ୍ତି। ଘରର ସମୁଚିତ ଦିଗରେ ଗ୍ୟାରେଜ ନ ଥାଇ ଅନ୍ୟ ଦିଗରେ ଥିଲେ ଘରର ଶାନ୍ତି ବ୍ୟାହତ ହେବ ବୋଲି ଚେତାବନୀ ଶୁଣୁ ଶୁଣୁ ଆରମ୍ଭ ହୋଇଥିଲା ଅଶାନ୍ତି। ଈଶ୍ୱର କାଳେ ଅମଙ୍ଗଳ କରନ୍ତି ବୋଲି ବାସ୍ତୁବିତ୍‌ମାନେ ମତପୋଷଣ କରନ୍ତି। ଅଥଚ ଈଶ୍ୱର ଯେ ସଦା ମଙ୍ଗଳମୟ, ଘରର ଗ୍ୟାରେଜ ପୂର୍ବ ଦିଗରେ ନ ରହି ପଶ୍ଚିମରେ ରହିଲେ ତାଙ୍କ ମଙ୍ଗଳ କରିବାର କ୍ରିୟା ଊଣା ହୋଇଯାଏ ନାହିଁ, ଏ ସତ୍ୟକୁ କେହି ଗ୍ରହଣ କରନ୍ତି ନାହିଁ। ବିଶ୍ୱାସ ଅବିଶ୍ୱାସ, ଆସ୍ଥା ଅନାସ୍ଥାର ଊର୍ଦ୍ଧ୍ୱରେ ବୋଲି ତ ସେ ସର୍ବସମ୍ପନ୍ନ, ସର୍ବବ୍ୟାପୀ ଈଶ୍ୱର। ତାଙ୍କୁ ମାନୁଥିବା ଲୋକଙ୍କ ପାଇଁ ସେ ଯେତିକି ଈଶ୍ୱର, ତାଙ୍କୁ ନ ମାନୁଥିବା ଲୋକଙ୍କର ବି ସେ ସେତିକି ଈଶ୍ୱର। ସୁତରାଂ ତାଙ୍କ ନାମ ନେଇ ଯାବତୀୟ ଅସ୍ପୃହଣୀୟ ଓ ଅକରଣୀୟ କାର୍ଯ୍ୟ ଯେ ତାଙ୍କ ଈଶ୍ୱରତ୍ୱର ଅପମାନ, ଏ କଥା ବିଜ୍ଞାନ ଓ ବୌଦ୍ଧିକତାର ଶୀର୍ଷରେ ଉପନୀତ ହୋଇ ବି ସାମ୍ପ୍ରତିକ ସମୟର ଆଲୋକିତ ମଣିଷ ବୁଝିନାହିଁ। ଅନ୍ଧାର ତଥାପି ହଟିନାହିଁ।
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?