ଡ୍ରେସ କୋଡ ପରିବର୍ତ୍ତନ ନେଇ ଅସନ୍ତୋଷ : ଜିଲାପାଳଙ୍କୁ ଭେଟିଲେ ଛାତ୍ର ପ୍ରତିନିଧି ଦଳ

ଭବାନୀପାଟଣା,୧୧।୮(ଡି.ଏନ.ଏ.)
ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଶନିବାର ଛାତ୍ର ପ୍ରତିନିଧି ଦଳ କଳାହାଣ୍ଡି ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ସାକ୍ଷାତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇ ଚଳିତ ଶିକ୍ଷାବର୍ଷରୁ ସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ କଲେଜ ପୋଷକ ପରିବର୍ତ୍ତନର ନିଷ୍ପତ୍ତି ନେଇ ଗତ ୭ ଅଗଷ୍ଟରେ କପଡାର ନମୁନା ସହ ଏକ ନୋଟିସ ଜାରି କରିଛନ୍ତି। ଏଥିପାଇଁ ଅଧ୍ୟକ୍ଷ ଇସି କମିଟିର ଅନୁମୋଦନ, ଷ୍ଟାଫ କାଉନସିଲର ରିଜୋଲ୍ୟୁସନ କିମ୍ବା ଆଲୁମିନି ସହ କୌଣସି ଆଲୋଚନା କରିନାହାନ୍ତି ବୋଲି ପୁରାତନ ଛାତ୍ର ସଂଘ ଅଭିଯୋଗ କରିଛି। ଏ ନେଇ ପୁରାତନ ଛାତ୍ର ସଂଘ ପକ୍ଷରୁ ପୂର୍ବତନ ଛାତ୍ର ସଂସଦ ସଭାପତି ଅବିନାଶ ଠାକୁର, ଯୁବନେତା ମଣ୍ଟୁ ନାଏକ, ଅଜିତ ସାହୁ, ଛାତ୍ରନେତା କେ. ପ୍ରବୀଣ କୁମାର, ଅଶିଷ ମହାପାତ୍ର, ଶିବାନନ୍ଦ ସାହୁ, ସୂର୍ଯ୍ୟ କୁମାର, ସୂରଜ ଅଗ୍ରୱାଲ, ଉକତ୍ଳ ହରପାଲ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ପୁରୁଣା ଡ୍ରେସକୋଡକୁ ଲାଗୁ କରିବା ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ତରବରିଆ ଭାବେ ଅଧ୍ୟକ୍ଷ ଏକଚାଟିଆ ବାବେ ନିଷ୍ପତ୍ତି ନେଇ ପୋଷାକ ପରିବର୍ତ୍ତନର ଆବଶ୍ୟକତା କାହିଁକି ପଡିଲା ତାହା ଏବେ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ସେହିଭଳି କଲେଜ ପରିସରରେ ଜଣେ ବ୍ୟବସାୟୀଙ୍କୁ ପୋଷାକ ବିକ୍ରି ପାଇଁ ମୌଖିକ ଅନୁମତି ଦିଆଯିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଓଡିଶା ଗେଜେଟ ନୋଟିଫିକେସନ ଶୀଘ୍ର ପ୍ରକାଶ କରିବା, ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ, ହଷ୍ଟେଲଗୁଡ଼ିକ ମରାମତି କରିବା ଆଦି ଦାବି ନେଇ ଉଚ୍ଚ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ।