Categories: ଖେଳ

ଡ୍ରାଭିଡ୍‌ଙ୍କ ସହ ସମୟ ବିତାଇଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୨୦।୯: ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜ୍‌ର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଖେଳାଯିବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅପଶନାଲ ଟ୍ରେନିଂ ସେସନରେ ଯୋଗ ଦେଇଥିଲା। ଭାରତୀୟ ଦଳର ଖେଳାଳିଙ୍କ ଟ୍ରେନିଂ ଉପରେ କଡ଼ା ନଜର ରଖିଥିଲେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। ଏହି ଅବସରରେ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ରାହୁଲ ଡ୍ରାଇଡ। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଟିମ୍‌ ଇଣ୍ଡିଆର ସଦସ୍ୟଙ୍କୁ ଭେଟିଥିଲେ। ବିସିସିଆଇ ଏହାକୁ ନେଇ ଏକ ଫଟୋ ପୋଷ୍ଟ କରିଛି, ଯେଉଁଥିରେ ଡ୍ରାଭିଡ ଓ ଶାସ୍ତ୍ରୀ ପରସ୍ପରକୁ ଭେଟୁଛନ୍ତି। ଏହାର କ୍ୟାପଶନରେ ବିସିସିଆଇ ଲେଖିଛି, ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ। ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ମୋହାଲିଠାରେ ଅନୁଷ୍ଠିତ ମ୍ୟାଚ୍‌କୁ ଭାରତୀୟ ଦଳ ୭ ଉଇକେଟ ଜିତିନେଇଥିଲ। ଭାରତୀୟ ଦଳ ୩ୟ ଟି୨୦ ଜିତି ସିରିଜ୍‌ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି।

Share