Categories: ଖେଳ

ଡୋପ୍‌ ସାମ୍ପଲ ସଂଗ୍ରହ ଆରମ୍ଭ ହେବ

ନୂଆଦିଲ୍ଲୀ, ୧୯ା୫ (ପି.ଟି.)-କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ରେ କୋହଳ କରାଯାଇଛି। ଏଣିକି ଆଥଲେଟ୍‌ମାନେ ଷ୍ଟାଡିୟମ ଅବା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଟ୍ରେନିଂ ନେଇପାରିବେ। ସେମାନଙ୍କଠାରୁ ଡୋପ୍‌ ସାମ୍ପଲ ସଂଗ୍ରହ କରାଯାଇପାରିବ। ତେବେ ବର୍ତ୍ତମାନ ପରିସ୍ଥିତିରେ କେତେଜଣ ଡୋପ୍‌ କଣ୍ଟ୍ରୋଲ ମେଡିକାଲ ଅଫିସର(ଡିସିଓ) କୋଭିଡ୍‌-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଫ୍ରଣ୍ଟ୍‌ ଲାଇନ୍‌ ମେଡିକାଲ ଓ୍ବାର୍କର ଭାବେ କାର୍ଯ୍ୟକରୁଛନ୍ତି। ସେମାନଙ୍କୁ ଡୋପ୍‌ ସାମ୍ପଲ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ ବୋଲି ନ୍ୟଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା) ମହାନିର୍ଦ୍ଦେଶକ ନବୀନ ଅଗରଓ୍ବାଲ କହିଛନ୍ତି। ଗୃହ ମନ୍ତ୍ରଣାଳୟ ବିନା ଦର୍ଶକରେ ସ୍ପୋଟର୍‌ସ କମ୍ପ୍ଲେକ୍ସ ଷ୍ଟାଡିୟମ ଖେଳିବା ଲାଗି ଅନୁମତି ଦେବାପରେ ନାଡା ବ୍ୟାପକ ଭାବେ ଡୋପ୍‌ ସାମ୍ପଲ ସଂଗ୍ରହ ଓ ଟେଷ୍ଟିଂ ଉପରେ ଗୁରୁତ୍ୱାରୋପ କରିଛି। ଏଥିପାଇଁ କ୍ରୀଡ଼ା ମନ୍ତ୍ରଣାଳୟଠାରୁ ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି। ଯେଉଁ ସେଣ୍ଟରଗୁଡ଼ିକରେ କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ ହୋଇ ପାରିବ ତାହାର ଏକ ତାଲିକା ପ୍ରଦାନ ପାଇଁ ଆମେ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛୁ ବୋଲି ଅଗରଓ୍ବାଲ କହିଛନ୍ତି। ନାଡ଼ାର ଅଧିକାଂଶ ଡୋପ୍‌ କଣ୍ଟ୍ରୋଲ ମେଡିକାଲ ଅଫିସର ସରକାରୀ ମେଡିକାଲରେ କାର୍ଯ୍ୟରତ। ବର୍ତ୍ତମାନ କେବଳ ମୂତ୍ର ସାମ୍ପଲ ସଂଗ୍ରହ କରାଯିବ ଯେଉଁମାନଙ୍କ ନାମ ରେଜିଷ୍ଟର୍ଡ ଟେଷ୍ଟିଂ ପୁଲ୍‌ (ଆରଟିପି)ରେ ଥିବ ଏବଂ ଆସନ୍ତା ବର୍ଷ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବେ। ଏଲିଟ୍‌ ପ୍ରତିଯୋଗୀମାନେ ବର୍ତ୍ତମାନ ସେମାନଙ୍କ ଅବସ୍ଥିତି ସମ୍ପର୍କରେ ଆଣ୍ଟି ଡୋପିଂ ଏଜେନ୍ସିକୁ ଅବଗତ କରାଇବେ। ବର୍ତ୍ତମାନ ପରିସ୍ଥିତିରେ ରକ୍ତ ସାମ୍ପଲ ସଂଗ୍ରହ ହୋଇ ପାରିବ ନାହିଁ। କାରଣ ଏହାର ତୁରନ୍ତ ପରିବହନ ସହଜ ନୁହେଁ, ଯାହା ଫଳରେ ଲୋହିତ ରକ୍ତ କଣିକା ନଷ୍ଟ ହୋଇଯିବାର ଆଶଙ୍କା ରହିଥାଏ। ସୋମବାର ଅଗରଓ୍ବାଲ ଏବଂ ନାଡାର ଟପ୍‌ ଅଫିସିଆଲମାନେ ଏକ ଭିଡ଼ିଓ କନଫରେନ୍ସ ଜରିଆରେ ଦେଶବ୍ୟାପୀ ଡୋପ୍‌ କଣ୍ଟ୍ରୋଲ ଅଫିସରମାନଙ୍କ ସହିତ ଏହି ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ।

Share