Categories: ଖେଳ

ଡୋପ୍‌ ଜାଲରେ ଟପ୍‌ ଭାରୋତ୍ତୋଳକ

ନୂଆଦିଲ୍ଲୀ,୧୭।୭- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ହିମାଂଶୁ କୁମାର ଚାଙ୍ଗ, ଏସିଆନ ବ୍ରୋଞ୍ଜ ପଦକଧାରୀ ଲଭପ୍ରୀତ ସିଂ, ରାଜ୍ୟଗୋଷ୍ଠୀ ଯୁବ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଲଲିଥା ଗାରା ଓ ଜାତୀୟ ଚାମ୍ପିୟନ ସାହିଲ ଶର୍ମା (୧୦୨ କେଜି) ଭାରୋତ୍ତୋଳନ କ୍ରୀଡ଼ାରେ ନୂଆ କରି ଡୋପ ଜାଲରେ ଧରା ପଡ଼ିଛନ୍ତି। ଏମାନେ ଚଳିତ ବର୍ଷ ଫେବୃୟାରୀରେ ବିଶାଖାପାଟଣାଠାରେ ଅନୁଷ୍ଠିତ ୭୧ତମ ପୁରୁଷ ଓ ୩୪ତମ ମହିଳା ସିନିୟର ନ୍ୟାଶନାଲ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ବେଳେ ହୋଇଥିବା ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି। ଏହି କ୍ରୀଡ଼ାରେ ଆଥ୍‌ଲେଟମାନେ କୌଣସି ପ୍ରତିଯୋଗିତାବେଳେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ନିଷିଦ୍ଧ ଔଷଧ ବ୍ୟବହାର କରନ୍ତି। ଏଥିଯୋଗୁ ବିଭିନ୍ନ ବର୍ଗରେ ଅନ୍ତର୍ଜାତୀୟ ଇଭେଣ୍ଟରେ ସଫଳତା ପାଇସାରିଥିବା ଆଥ୍‌ଲେଟ ଡୋପ ଟେଷ୍ଟରେ ବିଫଳ ହେଉଛନ୍ତି। ବର୍ତ୍ତମାନ ଡୋପ ଟେଷ୍ଟରେ ବିଫଳ ହୋଇଥିବା ନୂଆ ଆଥ୍‌ଲେଟ୍‌ଙ୍କ ତାଲିକା ଆସିବା ପରେ ଭାରତୀୟ ଓ୍ବେଟଲିଫ୍ଟିଂ ଫେଡେରେଶନ (ଆଇଡବ୍ଲ୍ୟୁଏଲଏଫ୍‌) ଓ ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା ଉପରେ ପ୍ରଶ୍ନ ଉଠିଛି। ନିଷିଦ୍ଧ ଔଷଧ ସମ୍ପର୍କରେ ଆଥ୍‌ଲେଟ ଓ କୋଚ୍‌ଙ୍କୁ ଶିକ୍ଷା ଦେବା ଏହି ଦୁଇ ସଂସ୍ଥାର ଦାୟିତ୍ୱ। ଉଲ୍ଲେଖଥାଉ କି, ଆଇଡବ୍ଲ୍ୟୁଏଲଏଫ୍‌ ଆଗରୁ ସଙ୍କଟରେ ପଡ଼ିଛି। ଅନ୍ତର୍ଜାତୀୟ ଓ୍ବେଟଲିଫ୍ଟିଂ ଫେଡେରେଶନର ନୂଆ ନିୟମ ଅନୁଯାୟୀ, ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ କୌଣସି ଦେଶରେ ୨୦ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଡୋପ ଟେଷ୍ଟରେ ବିଫଳ ହେଲେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେହି ଦେଶ କେବଳ ଜଣେ ପୁରୁଷ ଓ ଜଣେ ମହିଳା ଆଥ୍‌ଲେଟଙ୍କୁ ପଠାଇପାରିବ। ଯଦି ସମାନ ସମୟ ମଧ୍ୟରେ କୌଣସି ଦେଶର ୧୦ରୁ ୧୯ ଆଥଲେଟ ଡୋପରେ ବିଫଳ ହୁଅନ୍ତି, ତେବେ ଉକ୍ତ ଦେଶର ୪ ଜଣ ଭାରୋତ୍ତୋଳକ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ। ଏହା ବ୍ୟତୀତ ଦେଶର ଟପ୍‌ ଭଲିବଲ ଖେଳାଳି ଅମିତ କୁମାର ମଧ୍ୟ ଡୋପରେ ବିଫଳ ହୋଇଛନ୍ତି। ଏମାନଙ୍କୁ ଆଣ୍ଟି ଡୋପିଂ ନିୟମ ଭଙ୍ଗ କରିବା ଲାଗି ନାଡା ପକ୍ଷରୁ ସାମୟିକ ଭାବେ ବାସନ୍ଦ କରାଯାଇଛି। ସେମାନଙ୍କୁ ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ (ଏଡିଡିପି) ନିକଟରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଛି।

Share