Categories: ଖେଳ

ଡୋପିଂ ମାମଲା: ‘ଓପନ’ ହିଅରିଂ ଦାବି କଲେ ସନ୍‌

ବେଜିଂ, ୨୧ା୭ (ଏଏଫ୍‌ପି)-ସୁଇମିଂ ସୁପରଷ୍ଟାର ସନ୍‌ ୟାଙ୍ଗ୍‌ ତାଙ୍କ ଡୋପିଂ ମାମଲାର ଶୁଣାଣି ସର୍ବସାଧାରଣରେ କରିବା ଲାଗି ନିବେଦନ କରିଛନ୍ତି। ସନ୍‌ ଏକମାତ୍ର ସନ୍ତରଣକାରୀ ଭାବେ ୨୦୦, ୪୦୦ ଏବଂ ୧,୫୦୦ ମିଟର ଅଲିମ୍ପିକ ସ୍ବର୍ଣ୍ଣ ଜିତିଛନ୍ତି। ସେ ତାଙ୍କ କ୍ୟାରିୟରରେ ଅନେକ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ବିଶ୍ୱ ସନ୍ତରଣ ପରିଚାଳନା ପରିଷଦ (ଫିନା) ଦ୍ୱାରା ଲିକ୍‌ ହୋଇଥିବା ଏକ ରିପୋର୍ଟ ଅନୁସାରେ ସନ୍‌ ଗତ ସେପ୍ଟେମ୍ବରରେ ଏକ ହାମରରେ ପ୍ରହାର କରି ନିଜ ବ୍ଲଡ ସାମ୍ପଲକୁ ନଷ୍ଟ କରିଦେଇଥିଲେ। ଏହା ସତ୍ତ୍ୱେ ଫିନା ସନ୍‌ଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଅନୁମତି ଦେଇଥିଲା। କିନ୍ତୁ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଏହି ନିଷ୍ପତ୍ତି ବିରୋଧରେ ସୁଇଜରଲାଣ୍ଡର ଲାଉସାନେସ୍ଥିତ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌)ରେ ଅପିଲ କରିଥିଲା। ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବରରେ ହେବ। ସନ୍‌ଙ୍କ ଆଇନ ପରାମର୍ଶଦାତାମାନେ ମାମଲାର ଶୁଣାଣି ସର୍ବସାଧାରଣରେ କରିବା ଲାଗି ଦାବି କରିଛନ୍ତି। ଏହାଦ୍ୱାରା ସନ୍‌ଙ୍କୁ ପ୍ରକୃତ ନ୍ୟାୟ ମିଳିବ ବୋଲି ସେମାନେ କହିଛନ୍ତି। ଫିଫା ରିପୋର୍ଟରେ ସ୍ଥାନ ପାଇଥିବା ଏହି ବିସ୍ଫୋରକ ବିଷୟ ଅଷ୍ଟ୍ରେଲିଆର ସଣ୍ଡେ ଟେଲିଗ୍ରାଫ୍‌ରେ ପ୍ରକାଶ ପାଇଥିଲା। ସନ୍‌ଙ୍କ ଓକିଲମାନେ ଅଭିଯୋଗ କରିଛନ୍ତି ଖବରକାଗଜଟିରେ ଅସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ସନ୍ତରଣକାରୀଙ୍କୁ ବଦନାମ କରିବା ଲାଗି ଏହା କରାଯାଇଛି।

Share