Categories: ଖେଳ

ଡେଭିସ୍‌ କପ୍‌ ଦଳକୁ ଫେରିଲେ ପେସ୍‌

ନୂଆଦିଲ୍ଲୀ, ୨୬।୧୦(ପି.ଟି.)- ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ଭାରତୀୟ ଡେଭିସ କପ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୧୮ ଏପ୍ରିଲ ପରେ ପ୍ରଥମଥର ପାଇଁ ସେ ଦଳକୁ ଫେରିଛନ୍ତି। ଫଳରେ ସେ ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ଟାଇରେ ଖେଳିବା ସ୍ପଷ୍ଟ ହୋଇଛି। ଏହି ଟାଇ ପାଇଁ ନିରାପତ୍ତା ତଥା ସୁରକ୍ଷା କାରଣରୁ ନନ୍‌ ପ୍ଲେଇଙ୍ଗ୍‌ କ୍ୟାପଟେନ ମହେଶ ଭୂପତି ଦଳ ସହ ପାକିସ୍ତାନ ଯିବାକୁ ମନା କରିଦେବା ପରେ ପେସ୍‌ଙ୍କୁ ସୁଯୋଗ ମିଳିଛି।
ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଏବେ ଭିଜା ହାସଲ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଯଦିଓ ଏହି ଟାଇ କୌଣସି ନିରପେକ୍ଷ ସ୍ଥାନରେ ଆୟୋଜନ ହେବ ବୋଲି ସୂଚନା ମିଳିଛି। ଆସନ୍ତା ୨୯- ୩୦ ତାରିଖରେ ଭେନ୍ୟୁ ସଂକ୍ରାନ୍ତରେ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ଏଆଇଟିଏକୁ ଅନ୍ତିମ ପ୍ରସ୍ତାବ ଦେବ। ଇସ୍‌ଲାମାବାଦରେ ଖେଳାଯିବାକୁ ଥିବା ଏହି ଡେଭିସ୍‌ କପ୍‌ ମ୍ୟାଚ୍‌କୁ ଖେଳିବାକୁ ପେସ୍‌ ସମ୍ମତି ପ୍ରକାଶ କରିଛନ୍ତି ବୋଲି ଏଆଇଟିଏ ସମ୍ପାଦକ ହିରନମୋୟ ଚାଟାର୍ଜୀ କହିଛନ୍ତି। ଖୁବ୍‌ଶୀଘ୍ର ଅନ୍ତିମ ଦଳ ଚୟନ କରାଯିବ। ତେବେ ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ। ଦଳ ଚୟନ ପାଇଁ ସାକେତ ମାଇନେନି, ଅର୍ଜୁନ ଖାଡେ, ବିଜୟ ସୁନ୍ଦର ପ୍ରଶାନ୍ତ, ଏନ୍‌. ଶ୍ରୀରାମ ବାଲାଜୀ, ସିଦ୍ଧାର୍ଥ ରାଓ୍ବତ ଓ ମନୀଷ ସୁରେଶ କୁମାର ଭଳି ଖେଳାଳିଙ୍କୁ ବିଚାରକୁ ନିଆଯିବ। କୋଚ୍‌ ଜିଶାନ ଅଲି, ଫିଜିଓ ଆନନ୍ଦ କୁମାର, ଓ ଏମ୍‌ଏସଏଲ୍‌ଟିଏ ସମ୍ପାଦକ ସୁନ୍ଦର ଆଇଟର ଟିମ୍‌ ମ୍ୟାନେଜର ହିସାବରେ ଦଳ ସହ ଯାତ୍ରା କରିବାର ସମ୍ଭାବନା ରହିଛି।

Share