Categories: ଖେଳ

ଡିଙ୍ଗ୍‌କୋ ସିଂ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)-ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ପୂର୍ବତନ ବକ୍ସର ଡିଙ୍ଗ୍‌କୋ ସିଂ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଲିଭର କ୍ୟାନ୍‌ସରରେ ପୀଡ଼ିତ ଅଛନ୍ତି। ରାଡିଏଶନ୍‌ ଥେରାପି ପାଇଁ ସେ ନୂଆଦିଲ୍ଲୀ ଯାଇଥିଲେ। ତାଙ୍କୁ ପୁଣି ଜଣ୍ଡିସ୍‌ ହୋଇଥିବା ଜଣାପଡ଼ିବାରୁ ନିଜ ରାଜ୍ୟ ମଣିପୁରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ତାଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ଫଳାଫଳ ନେଗେଟିଭ୍‌ ଆସିଥିଲା। ମାତ୍ର ସେ ମଣିପୁରକୁ ପ୍ରତ୍ୟାବର୍ତ୍ତନ ପରେ ତାଙ୍କର ପୁଣି ଟେଷ୍ଟ ହେବାରୁ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ୪୧ ବର୍ଷୀୟ ଡିଙ୍ଗ୍‌କୋ ଜଣେ ପୂର୍ବତନ ବ୍ୟାଣ୍ଟମଓ୍ବେଟ୍‌ ବକ୍ସର। ସେ ବ୍ୟାଙ୍କକ୍‌ଠାରେ ଏସିଆନ ଗେମ୍ସର ୧୯୯୮ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ଅର୍ଜୁନ ଓ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହେ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଥିବାବେଳେ ତାଙ୍କ ଦାୟିତ୍ୱରେ ଥିବା ଜଣେ ନର୍ସ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ଡିଙ୍ଗ୍‌କୋ ମେଡିକାଲ ଛାଡ଼ିବା ବେଳେ ତାଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା ଏବଂ ସେ ନେଗେଟିଭ୍‌ ଥିବା ଜଣାପଡ଼ିଥିଲା। ସିଂଙ୍କର ପ୍ରକୃତରେ ମାର୍ଚ୍ଚରେ ରାଡିଏଶନ୍‌ ଥେରାପି ହେବାର ଥିଲା। ନ୍ୟାଶନାଲ ଲକ୍‌ଡାଉନ୍‌ କାରଣରୁ ତାଙ୍କୁ ଦିଲ୍ଲୀ ଆଣିବାରେ ବିଳମ୍ବ ଘଟିଥିଲା। ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ତରଫରୁ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବାରେ ସେ ଏପ୍ରିଲ ଶେଷ ସପ୍ତାହରେ ଦିଲ୍ଲୀ ଯାଇଥିଲେ। ମାତ୍ର ଜଣ୍ଡିସ୍‌ ଯୋଗୁ ତାଙ୍କର ଥେରାପି ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା। ମଣିପୁରକୁ ଆସିବା ଲାଗି ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ସଡ଼କ ପଥରେ ଦୀର୍ଘ ୨୪୦୦ କିଲୋମିଟର କଷ୍ଟସାଧ୍ୟ ଯାତ୍ରା କରିବାକୁ ପଡ଼ିଥିଲା। ହୁଏତ ଆମ୍ବୁଲାନ୍ସ କିମ୍ବା ଦିଲ୍ଲୀରେ ଥିବାବେଳେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି।

Share