ଡାଳି ଖାଇ ଛେଳି ଗିରଫ

ନିରଞ୍ଜନ ସାହୁ

କିଛିଦିନ ତଳେ ଗଞ୍ଜାମ ଜିଲାରେ ଘଟିଥିବା ଘଟଣାଟିଏ ଖବରକାଗଜର ଶିରୋନାମା ପାଲଟିଥିଲା। ଅବଶ୍ୟ ବେଳେବେଳେ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଖବରଦାତାମାନଙ୍କୁ ନାଟକୀୟତା ସୃଷ୍ଟି କରିବାକୁ ପଡ଼ିଥାଏ, ମାତ୍ର ଏଇ ଘଟଣାରେ ବନ ବିଭାଗର ମାତ୍ରାଧିକ ତପତ୍ରତାକୁ ଯେଉଁଭଳି ଭାବରେ ଦର୍ଶାଯାଇଥିଲା ତାହା ତାତ୍ପର୍ଯ୍ୟପୂର୍ଣ୍ଣ।
ଲୋକକଥାରେ କୁହାଯାଏ – ପାଗଳ କି ନ କହେ, ଛାଗଳ କି ନ ଖାଏ? ଯେତେ ଖାଇଲେ ବି ଛେଳିର କ୍ଷୁଧା ପୂରଣ ହୁଏନି, ସେ ଖାଇ ଚାଲିଥାଏ, ପାକୁଳି କରିଚାଲିଥାଏ ଅନବରତ । ବିଶେଷ କରି ବର୍ଷାଦିନେ ଯେତେବେଳେ ଗଛପତ୍ରରେ ନୂଆପତ୍ର କଅଁଳେ ସେତେବେଳେ ଛେଳିମାନଙ୍କର କଚେବାର। ଆଜିକାଲି ଛେଳି ଚାଷକୁ ସରକାର ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ଗରିବ ଲୋକଙ୍କୁ ଲୋନ୍‌ ଦେଉଛନ୍ତି, ଯାହାଫଳରେ ସେମାନେ ଛେଳି ଚାଷ କରି ନିଜର ଅର୍ଥନୈତିକ ପ୍ରଗତି କରିପାରିବେ।
ଆମ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଅଞ୍ଚଳରେ ଗୋଟିଏ ବିଶେଷ ପ୍ରଜାତିର ଛେଳି ମିଳନ୍ତି। ତାକୁ ବ୍ଲାକ୍‌ ବେଙ୍ଗଲ ପ୍ରଜାତିର ବୋଲି କୁହାଯାଏ ଏବଂ ସେଗୁଡ଼ିକର ମାଂସ ଅଧିକ ସ୍ବାଦିଷ୍ଟ ବୋଲି ଜୀବବିଜ୍ଞାନୀମାନେ ମତ ଦିଅନ୍ତି। ବଡ଼ ବଡ଼ ଭୋଜି ପାଇଁ ଜଙ୍ଗଲୀ ପତ୍ର ଖାଉଥିବା ଅଣ୍ଡିରା ଛେଳି ବା ଖାସିମାନଙ୍କର ଖୋଜା ପଡ଼ିବା ସ୍ବାଭାବିକ।
ଖବର ସୃଷ୍ଟି କରିଥିବା ଛେଳିର ମାଲିକ ବୋଧହୁଏ ବର୍ଷାଦିନରେ ଚାରିଆଡ଼େ ଜଙ୍ଗଲିଆ ହୋଇ ଯାଇଥିବାରୁ ଛେଳିକୁ ଛାଡ଼ି ଦେଇଥିବେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳରେ। ଆଉ ଛେଳିଟି ବନ ବିଭାଗ ଦ୍ୱାରା ରୋପିତ ହୋଇଥିବା ଗଛର କିଛି ନୂଆ ନୂଆ କଅଁଳ ପତ୍ରକୁ ଖାଇ ଦେଇଥିବ। ସେଥିରେ କ୍ରୋଧାନ୍ବିତ ହୋଇ ବନ ବିଭାଗର ବଡ଼ ହାକିମଙ୍କ ନିର୍ଦ୍ଦେଶରେ ବିଚରା ଛେଳିକୁ ଗିରଫ କରାଯାଇଛି। ଏଇ ଖବର ଖାଲି ରୋଚକ ନୁହେଁ, ବରଂ ଅନେକ କଥା କହି ଦେଉଛି ଯାହା ଲେଖାଯାଇନାହିଁ।
ଆମର ବନସମ୍ପଦ ରକ୍ଷା କେବଳ ବନ ବିଭାଗର କର୍ମଚାରୀ କରିପାରିବେ ନାହିଁ ଏହା ସତ, ଏଥିରେ ସମୁଦାୟ ସମାଜ ଓ ଗୋଷ୍ଠୀର ସଚେତନତା ଜରୁରୀ। ଆଗରୁ କିପରି ସମଗ୍ର ଅଞ୍ଚଳ ବନ ଅରଣ୍ୟାନିରେ ଭରି ରହିଥିଲା ତାହା କାହାକୁ ଅଜଣା ନାହିଁ। କ୍ରମଶଃ ସଭ୍ୟତାର ବିକାଶ ନଁାରେ ଜଙ୍ଗଲ କମି କମି ଗଲା। ପ୍ରଥମେ ସେଇ ଅଞ୍ଚଳ ନେଲା କୃଷି ବିସ୍ତାରରେ। କ୍ରମେ କେତେବେଳେ ରାସ୍ତା ପାଇଁ ଜଙ୍ଗଲ କମିଲା ତ କେଉଁଠି ଶିଳ୍ପ ପାଇଁ ଜଙ୍ଗଲକୁ ବଳି ଦେବାକୁ ହେଲା ଏବଂ ଜଙ୍ଗଲର ଦ୍ରୁତପତନ ପରେ ଚେତା ପଶିଲା ସରକାରଙ୍କୁ ଯେ ଆମର ବନୀକରଣ ନିହାତି ଜରୁରୀ? ଯେଉଁ ବନ ବିଭାଗର ବାବୁମାନେ ଜଙ୍ଗଲ ସଂରକ୍ଷଣ ପାଇଁ ଅଣ୍ଟାଭିଡ଼ି ପରାସ୍ତ ହୋଇଥିଲେ ଏବେ ସେମାନେ ଗଁାରେ, ସହରରେ ଅଥବା ପଥପାର୍ଶ୍ୱରେ ବନୀକରଣ କରିବା ପାଇଁ ସହରମୁହଁା ହେଲେ। ବନୀକରଣରେ ଲାଭ ଖୁବ୍‌। ଯଦି ଆପଣ ସେଇ ବିଭାଗର ଗଛଟିଏ ବଞ୍ଚାଇବାକୁ କେତେ ପଇସା ଖର୍ଚ୍ଚ କରାଯାଉଛି ତା’ର ଅନୁଧ୍ୟାନ କରିବେ ତା’ହେଲେ ଆପଣ ହତାଶ ଅନୁଭବ କରିବେ, ତା’ର ବଡ଼ କାରଣ ହେଲା ଆମେ ଗୋଷ୍ଠୀକୁ ଆମ ସାଥିରେ ନେଇପାରିନାହୁଁ।
ଆଜକୁ ପ୍ରାୟ ପଚିଶ ବର୍ଷ ତଳେ ଗୋଟିଏ ବନୀକରଣ ପ୍ରକଳ୍ପ ବୁଲିବାକୁ ଯାଇଥିଲି ଜଣେ ୟୁରୋପୀୟ ଅତିଥିଙ୍କ ସହିତ। ଆମର ଗଛମାନଙ୍କୁ ଯେଉଁପରି ତାରବାଡ଼ ଭିତରେ ରଖାଯାଇଥାଏ ତାହା ଦେଖି ସେ ହଠାତ୍‌ ବୁଝିପାରିଲେ ନାହିଁ। ମୋତେ ବୁଝାଇବାକୁ ପଡ଼ିଲା ଯେ ବୁଲା ଗୋରୁ, ଛେଳି ମେଣ୍ଢାଙ୍କ ଦାଉରୁ ଗଛକୁ ରକ୍ଷା କରିବା ପାଇଁ ଏଇ ବ୍ୟବସ୍ଥା କରାଯାଇଛି। ସେଦିନ କ୍ଷେତ୍ର ପରିଦର୍ଶନ କଲାବେଳେ ସେ ମହାଶୟ ତାଙ୍କର ଅନୁଭୂତି ବର୍ଣ୍ଣନା କରିବା ବେଳେ ରୋଚକ ଢଙ୍ଗରେ କହିଲେ, ତାଙ୍କ ଦେଶରେ ଗୋମହିଷାଦି ପ୍ରାଣୀମାନଙ୍କୁ ଆବଦ୍ଧ କରି ରଖାଯାଏ, ମାତ୍ର ଆମ ଦେଶରେ ଗଛମାନଙ୍କୁ ଆବଦ୍ଧ କରି ରଖାଯାଉଛି, ଏତିକି ହିଁ ପାର୍ଥକ୍ୟ।
ଯେହେତୁ ସବୁବେଳେ ତାହା ଏକ ନିରୁପଦ୍ରୁତ ବ୍ୟବସ୍ଥା ନୁହେଁ ଆମର ବିଭାଗୀୟ ଅଧିକାରୀମାନେ ଏପରି ଗଛ ଲଗେଇବାକୁ ଚାହୁଁଛନ୍ତି, ଯାହାକି ଗାଈ ବା ଛେଳି ଖାଇବେ ନାହିଁ। ଏହି କ୍ରମରେ ଭଲ ଗଛ ବା ଫଳଗଛ ପ୍ରାୟତଃ ରୋପଣ ହେଉନାହିଁ। ଯେଉଁ ସଅଳ ବଢ଼ିବା ଗଛମାନ ଲଗାଯାଉଛି ତାହା ଭୂତଳ ଜଳସ୍ତର ଶୋଷି ନେବାରେ ପ୍ରବୀଣ। ଆମର ପୂର୍ବପୁରୁଷମାନେ ରାସ୍ତା କଡ଼ରେ କେତେ ଫଳଗଛ ରୋପଣ କରିଥିଲେ। ରାସ୍ତା ପ୍ରଶସ୍ତୀକରଣ ନଁାରେ ଆମେ ସେସବୁ ଗଛରୁ ବହୁଳାଂଶ ଲୋପ କରିସାରିଲେଣି, ମାତ୍ର କେଉଁଠି କେମିତି ରହିଯାଇଛି କିଛି ବିଶାଳ ଆମ୍ବଗଛ, ବେଲଗଛ, ପଣସଗଛ ଇତ୍ୟାଦି। ମାତ୍ର ଆଜିକାଲି ବନୀକରଣରେ ଏମିତି ଗଛସବୁ ନିଷିଦ୍ଧାତ୍ମକ ତାଲିକାରେ!
ଛେଳି ପ୍ରସଙ୍ଗକୁ ପୁନରାୟ ପ୍ରବେଶ କରିବା। ଛେଳି ଗୋଟିଏ ନିରୀହ ପ୍ରାଣୀ। ସେମାନେ ଜନ୍ମ ହୋଇଥାନ୍ତି କେବଳ ମରିବା ପାଇଁ। ଅନ୍ୟ କାହାର ଆହାର ହେବା ପାଇଁ। ଛେଳିମାନେ ଦୁର୍ବଳ ବୋଲି ବଳିପଡ଼ନ୍ତି। କେବେ ବାଘ ବା ସିଂହ ବଳି ପଡ଼ୁଥିବାର ଆପଣ ଶୁଣି ନ ଥିବେ। ଛେଳିଟିକୁ ଗିରଫ କରିଦେଲେ ବନ ବିଭାଗର କର୍ମଚାରୀ ଓ ଅଧିକାରୀ। କାରଣ ସିଏ ଦୁର୍ବଳ। ଛେଳିଟାକୁ ଧରି ଆଣି ଖୁଆଡ଼ରେ ରଖିଦେବା ଭାରି ସହଜ କାମ; ମାତ୍ର ବନୀକରଣ କାହିଁକି ଆଶାନୁରୂପ ହୋଇପାରୁନି ଏବଂ ତା’ର ଯେଉଁ ଚିତ୍ର ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ତାହା ଭିତରେ ଛେଳି ଏକ ଅନ୍ୟତମ କାରଣ ନୁହେଁ ତ। ଅଥଚ ସବୁଦିନ ଜଙ୍ଗଲ କଟାଚାଲିଛି। କେଉଁଠି ଜଙ୍ଗଲ ମାଫିଆ ସହିତ ସଲାସୁତୁରା କରି ଶାଗୁଆନ ଜଙ୍ଗଲ ସଫା ହୋଇଗଲାଣି ତ ଆଉ କେଉଁଠି ହାତୀକୁ ମାରି ଦେଇ ତା’ର ଦାନ୍ତ କାଟି ନେଲେଣି ଦୁର୍ବୃତ୍ତ। ୟେ ସବୁ କ୍ରମାଗତ ବିଫଳତା କେବେ ବି ଆମ ଜଙ୍ଗଲ ବିଭାଗର ବାବୁମାନଙ୍କୁ ଆକ୍ରାନ୍ତ କରୁନାହିଁ କିମ୍ବା ଆଗରୁ ଯେଉଁପରି ନିଷ୍ଠାପର ଜଙ୍ଗଲ ସେବା ଅଧିକାରୀ ଥିଲେ ସେମାନେ ଆଜିକାଲି ମରିହଜି ଗଲେଣି କିମ୍ବା ଆଜିକାଲିର ବ୍ୟବସ୍ଥାରେ ସେମାନେ ନିଷ୍ପ୍ରଭ ଓ ନିର୍ବାକ।
ଛେଳି ଗିରଫ ଘଟଣାଟି ମନେପକେଇ ଦେଉଛି ସମସ୍ୟାକୁ ଆମେ କିପରି ଦେଖୁଛେ। ବଡ଼ ବଡ଼ ସମସ୍ୟାରେ ଆମେ ମୁଣ୍ଡ ନ ପୂରେଇ ମାମୁଲି ଖୁଚୁରା କଥାରେ ସମୟ ବିତଉଛୁ। ଯେତେବେଳେ ସାରା ଦୁନିଆ କରୋନା ସାଙ୍ଗରେ ଯୁଝୁଥିଲା, ଯେତେବେଳେ ରାସ୍ତାଘାଟ ବଜାର ସବୁ ଆପଣାଛାଏଁ ବନ୍ଦ ହୋଇ ଯାଇଥିଲା ସେତେବେଳେ ଜଣେ ବନ ବିଭାଗର ତୁଙ୍ଗ ଅଧିକାରୀ କିପରି ବ୍ୟକ୍ତିଗତ ବିମାନରେ ବନ୍ଧୁ ପରିବାରଙ୍କ ସହିତ ବିଭିନ୍ନ ଦେଶ ପରିଭ୍ରମଣ କରି ଅୟସ କରୁଥିଲେ ତାହା କାହାକୁ ଅଜଣା ନାହିଁ। ଅବଶ୍ୟ ଗୋଟିଏ ଖବର ଯେତେବେଳେ ପ୍ରକାଶିତ ହୁଏ ଓ ସାମାଜିକ ଗଣମାଧ୍ୟମରେ ବେଶି ଚର୍ଚ୍ଚା ହୁଏ ତା’ ଉପରେ, ସେତେବେଳେ ତାହା ଆଉ ଲୁଚି ରହିପାରେନା। ସେଇ କ୍ରମରେ ସଂପୃକ୍ତ ଛେଳିକୁ ଖଲାସ କରିଦେଇଛନ୍ତି ସମ୍ପୃକ୍ତ ଅଧିକାରୀ। ଆଶା କ୍ରମାଗତ ଲଘୁଚାପ ବର୍ଷାରେ ଛେଳି ଖାଇଥିବା ଡାଳ ଏବେ ପୁନର୍ବାର କଅଁଳ ଉଠିଥିବ। ଆଉ ତା’ ସହିତ ପୁନର୍ଜାଗ୍ରତ ହୋଇଥାଉ ସମ୍ପୃକ୍ତ ଅଧିକାରୀଙ୍କ ଅପହୃତ ବିବେକ।
ମୋ : ୯୪୩୮୪୮୨୯୧୧
ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri