ଟ୍ରକ ବନ୍ଦୀରେ କେନ୍ଦୁଝର ସହର

କେନ୍ଦୁଝର, ୭ା୨ (ସ୍ବ.ପ୍ର.)-ବହୁ ସଂଖ୍ୟାରେ ଏବଂ ଅନିୟନ୍ତ୍ରିତ ଲୁହାପଥର ବୋଝେଇ ଟ୍ରକ ଚଳାଚଳ ଯୋଗୁ କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡିଛି। କଟକଣା ଅଭାବରୁ କେନ୍ଦୁଝର ସହର ଦେଇ ହଜାର ହଜାର ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ ଦିନ ରାତି ଚଳାଚଳ କରୁଥିବାରୁ ଯାତାୟାତ ଅସୁରକ୍ଷିତ ହୋଇପଡୁଛି । ସହରର ବାଲିଆଗୁଡା-ଧ୍ରୂପଦା-ଗାନ୍ଧୀ ଛକ ରାସ୍ତାରେ ଲୁହାପଥର ବୋଝେଇ ଟ୍ରକର ଲମ୍ବାଧାଡି ଯୋଗୁ ସାଧାରଣ ଲୋକ ଯିବାଆସିବା କରିପାରୁ ନାହାନ୍ତି। ଫଳରେ ଏଭଳି ଅବସ୍ଥା କାରଣରୁ ବୁଧବାର ଲୋକ ମାନେ ପ୍ରାୟ ୧୦ କି.ମି. ବୁଲି ପୁରୁଣାସହର ଦେଇ ସହରକୁ ଆସିବାକୁ ବାଧ୍ୟ ହେଉଥିବା କହିଛନ୍ତି। କେନ୍ଦୁଝର ସେହିପରି ଗାନ୍ଧୀଛକରୁ ଜୁଡିଆ ରାସ୍ତାରେ ଏହି ସବୁ ଲୁହାପଥର ବୋଝେଇ ଟ୍ରକ ଯିବା ଆସିବା କରୁଥିବାରୁ ରାସ୍ତାଜାମ ହେବା ସହ ଧୂଳିଧୂଆଁ ପ୍ରଦୂଷଣ, ଦୁର୍ଘଟଣା ଆଦି ଘଟୁଛି।
ପ୍ରକାଶ ଯେ ଶୁଆକାଠି ଖଣି ଅଞ୍ଚଳରୁ ଏନ୍‌ଏଚ୍‌ ୪୯ ଦେଇ ପାରାଦୀପ ଯାଉଥିବା ଲୁହାପଥର ବୋଝେଇ ଟ୍ରକ, ଟ୍ରେଲର ଆଦି ଭାରିଯାନ କେନ୍ଦୁଝର ସହର ଗାନ୍ଧୀ ଛକରୁ ବାଲିଆଗୁଡା ଦେଇ ଏନ୍‌ଏଚ୍‌ ୨୦ରେ ବୁଲି ଯିବା ଆସିବା କରୁଛି । ଜୁଡିଆ ଘାଟି ନିକଟରେ ଏନ୍‌ଏଚ୍‌ ୪୯ ନିକଟରେ ଏନ୍‌ଏଚ୍‌ ୨୦ ଯାଇଥିଲେ ହେଁ ସଂଯୋଗ ରାସ୍ତା ନ ଥିବାରୁ ହଜାର ହଜାର ସଂଖ୍ୟାରେ ଟ୍ରକ କେନ୍ଦୁଝର ସହର ଦେଇ ଅଯଥା ପାଖାପାଖି ୧୫ କି.ମି. ବୁଲି ଯାଉଥିବାରୁ ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡୁଛି । ଏଠାରେ ସୂଚନାଯୋଗ୍ୟ ଯେ, ଜୁଡିଆ ନିକଟରେ ଦମକଳ ବିଭାଗ କାର୍ଯ୍ୟାଳୟ ନିକଟରେ ଏନଏଚ ୪୯ ଓ ଏନଏଚ ୨୦ କୁ ସଂଯୋଗ କରିବା ପାଇଁ ଏକ ବ୍ୟୟବହୁଳ କଂକ୍ରିଟ ରାସ୍ତା ନିର୍ମାଣ ହୋଇ କାମ ସରିଥିଲେ ହେଁ ଖୋଲାଯାଉନଥିବାରୁ ଲୁହାପଥର ବୋଝେଇ ଟ୍ରକଗୁଡ଼ିକ ସହର ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ପ୍ରଶାସନ ଫୁ କରି ରାସ୍ତା ଖୋଲାଯାଉନଥିବା ଅଭିଯୋଗ ହେଉଛି । ରାସ୍ତାକାମ ସରିଥିବାରୁ ଏହାକୁ ତୁରନ୍ତ ଖୋଲା ଯାଇ ସହରକୁ ଟ୍ରାଫିକ ସମସ୍ୟାରୁ ଉଦ୍ଧାର କରିବାକୁ ବିଧାୟକ ମୋହନ ଚରଣ ମାଝି ଦାବି କରିଛନ୍ତି। ସେହିପରି ଗାନ୍ଧୀଛକଠାରୁ ଜୁଡିଆ ରାସ୍ତା କଡ଼ରେ ନୋ ପାର୍କିଂ ବୋର୍ଡ ମରାଯାଇଥିଲେ ହେଁ ବେଆଇନ ଭାବେ ଟ୍ରକ ପାର୍କିଂ କରାଯାଉଥିବାରୁ ଅନେକ ସମୟରେ ରାସ୍ତା ଜାମ ହୋଇ ଦୁର୍ଘଟଣା ଘଟୁଛି । ଏଣୁ ଏ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।