Categories: ଖେଳ

ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ହକିଭାରତୀୟ ମହିଳା ଦଳରେ ଲିଲିମା, ଦୀପଗ୍ରେସ୍‌

ନୂଆଦିଲ୍ଲୀ, ୨୭।୭-
୨୦୨୦ ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟ ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଶୁକ୍ରବାର ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ୨ ଓଡ଼ିଆ ଖେଳାଳି ଲିଲିମା ମିଞ୍ଜ ଓ ଦୀପ୍‌ ଗ୍ରେସ୍‌ ଏକ୍କା ସ୍ଥାନ ପାଇଛନ୍ତି। ରାଣୀ ରାମପାଲ ଅଧିନାୟିକା ଏବଂ ଗୋଲକିପର ସବିତା ଉପଅଧିନାୟିକା ମନୋନୀତ ହୋଇଛନ୍ତି।
ମୁଖ୍ୟକୋଚ୍‌ ଜୋର୍ଡ ମାରିଜନେଙ୍କ ତତ୍ତ୍ୱାବଧାନରେ ହିରୋସିମାରେ ଅନୁଷ୍ଠିତ ୨୦୧୯ ଏଫଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ଖେଳିଥିବା ଭାରତୀୟ ଦଳର କମ୍ବିନେଶନ ସମାନ ରହିଛି। ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ମାରିଜନେ ୧୮ ଜଣିଆ ଦଳରେ ମାତ୍ର ୨ ପରିବର୍ତ୍ତନ କରିଛନ୍ତି। ଯୁବ ଖେଳାଳି ଶର୍ମିଳା ଦେବୀ ଓ ରୀନା ଖୋଖର ଦଳରେ ସ୍ଥାନ ପାଇଛନ୍ତି। ହିରୋସିମା ଟୁର୍ନାମେଣ୍ଟରେ ଖେଳିଥିବା ସୁନୀତା ଲାକ୍ରା ଓ ଜ୍ୟୋତିଙ୍କୁ ବିଶ୍ରାମ ଦିଆ ଯାଇଛି। ଆହତ ସମସ୍ୟା ଯୋଗୁ ଦଳଠାରୁ ଦୂରରେ ଥିବା ଖୋଖର ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଶର୍ମିଳା ଦେବୀ ସିନିୟର ଦଳରେ କ୍ୟାରିୟର ଆରମ୍ଭ କରିବା ସୁଯୋଗ ପାଇଛନ୍ତି। ସମ୍ପ୍ରତି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୦ମ ସ୍ଥାନରେ ଥିବା ଭାରତ ଆଗାମୀ ଟୁର୍ନାମେଣ୍ଟରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। କାରଣ ପ୍ରତିଯୋଗିତାରେ ବିଶ୍ୱର ୨ ନମ୍ବର ଅଷ୍ଟ୍ରେଲିଆ, ୧୧ ନମ୍ବର ଚାଇନା ଓ ୧୪ତମ ସ୍ଥାନରେ ଥିବା ଜାପାନ ସହିତ ରାଣୀଙ୍କ ଦଳକୁ ମୁକାବିଲା କରିବାକୁ ହେବ।
ଭାରତୀୟ ଦଳରେ ୨ ଅଭିଜ୍ଞ ଗୋଲକିପର ସବିତା ଓ ରଜନୀ ଇଟିମାରପୁ, ଡିଫେଣ୍ଡର ଦୀପ୍‌ ଗ୍ରେସ୍‌ ଏକ୍କା, ରୀନା ଖୋଖର, ଗୁରଜିତ କୌର, ସାଲିମା ଟେଟେ ଓ ନିଶା ସ୍ଥାନ ପାଇଛନ୍ତି। ସେହିପରି ମିଡ୍‌ଫିଲ୍ଡରେ ସୁଶିଲା ଚାନୁ ପୁଖରାବାମ୍‌, ନିକ୍କି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ, ଓ ନେହା ଗୋୟଲ ଏବଂ ଫରଓ୍ବାର୍ଡ ଲାଇନ୍‌ରେ ରାଣୀ, ନଭନୀତ କୌର, ବନ୍ଦନା କାଟରିୟା, ଲାଲରେମସିଆମି, ନଭଜୋତ କୌର ଓ ଶର୍ମିଳା ଦେବୀ ଭାରତୀୟ ଚ୍ୟାଲେଞ୍ଜ ସମ୍ଭାଳିବେ। ”ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟରେ ଆମେ ୩ଟି ଶୀର୍ଷସ୍ଥାନୀୟ ଦଳ ସହ ଖେଳିବାକୁ ଯାଉଛୁ। ଆମେ ସେହି ଦଳଗୁଡ଼ିକ ବିପକ୍ଷରେ କିପରି ଖେଳୁଛୁ ତାହା ଦେଖିବାକୁ ମୁଁ ବହୁତ ଆଗ୍ରହୀ। ଏହି ଟୁର୍ନାମେଣ୍ଟର ପ୍ରଦର୍ଶନ ଭିତ୍ତିରେ ଆମେ ତ୍ରୁଟି ସୁଧାରି ଅଲିମ୍ପିକ୍ସ କ୍ୱାଲିଫାଇଂ ଟୁର୍ନାମେଣ୍ଟ ଖେଳିବୁ। ଅଲିମ୍ପିକ୍ସ କ୍ୱାଲିଫାଇଂ ବେଳକୁ ପ୍ରଦର୍ଶନରେ ଉନ୍ନତି ଉପରେ ଆମର ଫୋକସ ରହିବ“ ବୋଲି ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ
ସବିତା(ଗୋଲକିପର/ଉପ ଅଧିନାୟିକା), ରଜନୀ ଇଟିମାରପୁ(ଗୋଲକିପର), ଦୀପ୍‌ ଗ୍ରେସ୍‌ ଏକ୍କା, ରୀନା ଖୋଖର, ଗୁରଜିତ କୌର, ସୁଶିଲା ଟେଟେ, ନିଶା, ନିକ୍କି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ, ନେହା ଗୋୟଲ, ରାଣି ରାମପାଲ(ଅଧିନାୟିକା), ନଭନୀତ କୌର, ବନ୍ଦନା କାଟରିଆ, ଲାଲରେମସିଆମି, ନଭଜୋତ କୌର, ଶର୍ମିଳା ଦେବୀ।

Share