Categories: ଖେଳ

ଟେଷ୍ଟ ବଞ୍ଚିବା ଶିଖାଏ, ଏହା ଶ୍ରେଷ୍ଠ: ଗେଲ୍‌

ନୂଆଦିଲ୍ଲୀ,୨୩।୬(ପି.ଟି.): ସୀମିତ ଓଭର କ୍ରିକେଟରେ ସବୁଠାରୁ ବିପଜ୍ଜନକ ବିବେଚିତ ହେଉଥିବା ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ କିନ୍ତୁ ଟେଷ୍ଟ କ୍ରିକେଟକୁ ଅଧିକ ପସନ୍ଦ କରନ୍ତି। ଟେଷ୍ଟ ହେଉଛି କ୍ରିକେଟର ଶ୍ରେଷ୍ଠ ଫର୍ମାଟ। ଟେଷ୍ଟଠାରୁ କ୍ରିକେଟ ଆଉ କୌଣସି ଫର୍ମାଟ ଅଧିକ ଚ୍ୟାଲେଞ୍ଜିଂ ନୁହଁ। ପୁଣି ଟେଷ୍ଟ କ୍ରିକେଟ ବଞ୍ଚିବା ଶିଖାଇଥାଏ ଓ ଜୀବନର ଅର୍ଥ ବୁଝାଇବାରେ ସହାୟ ହୋଇଥାଏ ବୋଲି ଗେଲ୍‌ କହିଛନ୍ତି।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅନ୍‌ଲାଇନ୍‌ ଶୋ ‘ଓପନ ନେଟ୍ସ’ରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ସହ ବାର୍ତ୍ତାଳାପ କଲା ବେଳେ ଗେଲ ଏହି କଥା କହିଛନ୍ତି। ଟେଷ୍ଟ ଖେଳିବାର ଅଭିଜ୍ଞତା ସବୁଠାରୁ ନିଆରା। ତେବେ କ୍ୟାରିୟରରେ ୧୦୩ଟି ଟେଷ୍ଟ ଖେଳିଥିବା ଗେଲ୍‌ ୨୦୧୪ ପରେ ଏହି ୫ ଦିନିଆ ଫର୍ମାଟ୍‌ ଖେଳିନାହାନ୍ତି। ଟେଷ୍ଟ ଖେଳିବା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବାରୁ ଏହା କିଭଳି ବଞ୍ଚିବାକୁ ହୁଏ ତାହା ଶିଖାଇଥାଏ। ଶୃଙ୍ଖଳିତ ଜୀବନଧାରଣ ଟେଷ୍ଟରୁ ହିଁ ଶିକ୍ଷା କରାଯାଇପାରେ। ଟେଷ୍ଟରେ ଜଣେ ଖେଳାଳି ମାନସିକ ଓ ଶାରୀରିକ ପରୀକ୍ଷାର ସମ୍ମୁଖୀନ ହୋଇଥାଏ। କଷ୍ଟକର ପରିସ୍ଥିତିରେ କିପରି ଧୈର୍ଯ୍ୟ ଧରିବାକୁ ହୁଏ, ତାହା ମଧ୍ୟ ଏହି ଫର୍ମାଟ୍‌ରେ ଶିକ୍ଷା କରିବାର ସୁଯୋଗ ରହିଥାଏ ବୋଲି ସେ କହିଛନ୍ତି। ଟେଷ୍ଟ ଖେଳିବା ଉପରେ ଗୁରୁତ୍ୱ ଦେବାକୁ ସେ ଯୁବ କ୍ରିକେଟରମାନଙ୍କୁ ପରାମର୍ଶ ଦେଇଛନ୍ତି।

Share