Categories: ଖେଳ

ଟେଷ୍ଟ ପଦାର୍ପଣ କରିବେ ରୟ

ଲଣ୍ଡନ, ୧୮।୭ (ଏଏଫ୍‌ପି)- ଇଂଲଣ୍ଡକୁ ବିଶ୍ୱକପ୍‌ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟାର୍‌ ଖେଳାଳି ଜାସନ ରୟ ଟେଷ୍ଟ ପଦାର୍ପଣ କରିବାକୁ ଯାଉଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଲାଗି ଘୋଷିତ ୧୩ ଜଣିଆ ଇଂଲଣ୍ଡ ଦଳରେ ରୟଙ୍କୁ ସ୍ଥାନ ମିଳିଛି। ଦକ୍ଷିଣ ଆଫ୍ରିକା ଜନ୍ମିତ ରୟ ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ମୋଟ୍‌ ୪୪୩ ରନ୍‌ ସଂଗ୍ରହ କରିଥିଲେ। ଏହି ପ୍ରଦର୍ଶନକୁ ଭିତ୍ତି କରି ଇଂଲଣ୍ଡ ଚୟନକର୍ତ୍ତମାନେ ତାଙ୍କୁ ଟେଷ୍ଟ କ୍ରିକେଟ୍‌ରେ ସୁଯୋଗ ଦେଇଛନ୍ତି। ଫଳରେ ଅଗଷ୍ଟ ୧ରୁ ଏଜବାଷ୍ଟନରେ ଆରମ୍ଭ ହେବାକୁ ଥିବା ଐତିହାସିକ ଆଶେସ ଟେଷ୍ଟ ସିରିଜରେ ମଧ୍ୟ ରୟ ସ୍ଥାନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଡର୍‌ହାମ ଦ୍ରୁତ ବୋଲର ମାର୍କ ଉଡ୍‌ ଆଘାତଜନିତ ସମସ୍ୟା ଲାଗି ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ସେହିଭଳି ୫ ମ୍ୟାଚ୍‌ବିଶିଷ୍ଟ ଆଶେସ ସିରିଜର ପ୍ରାରମ୍ଭରୁ ମଧ୍ୟ କେତୋଟି ମ୍ୟାଚ୍‌ ସେ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି। ଓ୍ବର୍କଶାୟର ଯୁବ ଦ୍ରୁତ ବୋଲର ଓଲି ଷ୍ଟୋନଙ୍କୁ ଦଳରେ ସ୍ଥାନ ମିଳିଛି। ଆୟର୍ଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ଜୁଲାଇ ୨୪ରୁ ଲଡର୍‌ସରେ ଆରମ୍ଭ ହେବ। ପାଞ୍ଚ ଦିବସ ପରିବର୍ତ୍ତେ ଏହା ୪ଦିନ ଖେଳାଯିବ।
ଆୟର୍ଲାଣ୍ଡ ମ୍ୟାଚ୍‌ ଲାଗି ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ମୋଇନ ଅଲି, ଜିମ୍ମି ଆଣ୍ଡରସନ, ଜନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ୍‌, ରୋରି ବ୍ରୁନ୍ସ, ସାମ୍‌ କୁରାନ, ଜୋ ଡେନ୍‌ଲୀ, ଲୁଇସ ଗ୍ରେଗୋରୀ, ଜ୍ୟାକ୍‌ ଲିଚ୍‌, ଜାସନ ରୟ, ଓଲି ଷ୍ଟୋନ ଓ କ୍ରିସ୍‌ ଓ୍ବକ୍ସ।

Share