Categories: ଖେଳ

ଟେଷ୍ଟରେ ନମ୍ବର ଓ ନାମ ଚିହ୍ନିତ ଜର୍ସି ହାସ୍ୟାସ୍ପଦ ମନେ ହେଉଛି: ଲୀ

ମେଲବୋର୍ନ,୩।୮(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏହା ସ୍ବାଗତଯୋଗ୍ୟ। ତେବେ ଟେଷ୍ଟ ମ୍ୟାଚ୍‌ରେ ନମ୍ବର ଓ ନାମ ଚିହ୍ନିତ ଶାର୍ଟ ନିହାତି ହାସ୍ବସ୍ପଦ ମନେ ହେଉଛି ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ ଲୀ କହିଛନ୍ତି। ଖେଳାଳିମାନେ ଏଭଳି ଶାର୍ଟ ବା ଜର୍ସି ପରିଧାନ କରିବା ଠିକ ମନେ ହେଉନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ପୂର୍ବତନ ଅଷ୍ଟ୍ରେଲୀୟ ଉଇକେଟକିପର ଆଡମ ଗୀଲକ୍ରିଷ୍ଟ ମଧ୍ୟ ଟେଷ୍ଟରେ ଶାର୍ଟରେ ନାମ ଓ ନମ୍ବର ଲେଖାଯିବା ପଦକ୍ଷେପକୁ କଡ଼ା ସମାଲୋଚନା କରିଥିଲେ।
ପୂର୍ବରୁ ଚଳିତ ବର୍ଷ ଆଇସିସି ଟେଷ୍ଟ ଖେଳୁଥିବା ଦେଶଗୁଡିକୁ ସେମାନଙ୍କ ଖେଳାଳିଙ୍କ ଜର୍ସିରେ ନମ୍ବର ଓ ନାମ ଲେଖିବାକୁ ଅନୁମତି ଦେଇଥିଲା। ଏହି ପଦକ୍ଷେପକୁ କେତେକ ସ୍ବାଗତ କରିଥିବା ବେଳେ ଆଉ କେତେକ ସମାଲୋଚନା କରିଥିଲେ। ଏହାକୁ ଦୃଢ଼ ବିରୋଧ କରୁଛି ବୋଲି ଲି ଟୁଇଟ କରି ଜଣାଇଛନ୍ତି। ଟେଷ୍ଟ କ୍ରିକେଟରମାନେ ପୂର୍ବରୁ ପରିଧାନ କରୁଥିବା ଜର୍ସି ଅଧିକ ଗ୍ରହଣ ଯୋଗ୍ୟ ମନେ ହେଉଛି ବୋଲି ଗୀଲକ୍ରିଷ୍ଟ କହିଛନ୍ତି। ଉଲ୍ଲେଖଥାଉ କି, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ଦେଶ ଭାବେ ଟେଷ୍ଟରେ ନମ୍ବର ଓ ନାମ ଲିଖିତ ଜର୍ସି ପରିଧାନ କରିଛନ୍ତି। ୧୪୨ ବର୍ଷରେ ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଆଇସିସି ଏପରି ପଦକ୍ଷେପ ନେଇଛି।
ପୂର୍ବରୁ ଇଂଲିଶ କାଉଣ୍ଟି ଦଳ ଓ ଅଷ୍ଟ୍ରେଲୀୟ ରାଜ୍ୟ ଦଳଗୁଡିକ ସେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟ ଖେଳିବା ଅବସରରେ ଏଭଳି ନାମ ଓ ନମ୍ବର ଚିହ୍ନିତ ଧଳା ଜର୍ସି ପରିଧାନ କରିଥାନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଆଗାମୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଖେଳାଳିମାନେ ଏଭଳି ନାମ ଓ ନମ୍ବର ଚିହ୍ନିତ ଧଳା ଜର୍ସି ପରିଧାନ କରିବେ। ଏହା ଖେଳାଳିଙ୍କୁ ଏକ ନୂଆ ଅଭିଜ୍ଞତା ପ୍ରଦାନ କରିବ।

Share