Categories: ଖେଳ

ଟେବୁଲ ଟେନିସ: ମନିକାଙ୍କ ଲଢ଼ୁଆ ପ୍ରଦର୍ଶନ

ଟୋକିଓ, ୨୬।୭(ପି.ଟି.)- ଚଳିତ ଅଲିମ୍ପିକ୍ସରେ ଭାରତର ମହିଳା ଟେବୁଲ ଟେନିସ ତାରକା ମନିକା ବାତ୍ରା ଲଢ଼ୁଆ ପ୍ରଦର୍ଶନ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ସେ ବିଶ୍ୱର ୩୨ ନମ୍ବର ଖେଳାଳି ମାର୍ଗାରେଟା ପେସୋସ୍କାଙ୍କୁ ପରାସ୍ତ କରିଛନ୍ତି। ତେବେ ଜି. ସାଥିଆଁ ନିଜ ଅଲିମ୍ପିକ୍‌ ଡେବ୍ୟୁରେ ଚାପ ପରିସ୍ଥିତିକୁ ମୁକାବିଲା କରି ନ ପାରି ପୁରୁଷ ସିଙ୍ଗଲ୍ସରୁ ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ୨୬ତମ ସିଡ୍‌ ସାଥିଆଁ ଦ୍ୱିତୀୟ ରାଉଣ୍ଡରେ ବିଶ୍ୱ ୯୪ ନମ୍ବର ଖେଳାଳି ହଂକଂର ସିଉ ହାଙ୍ଗ ଲାମଙ୍କୁ ହରାଇ ଦେବେ ବୋଲି ଆଶା କରାଯାଉଥିଲା। ମାତ୍ର ତାହା ସମ୍ଭବ ହୋଇ ନ ଥିଲା। ୩୮ ର଼୍ୟାଙ୍କ୍‌ପ୍ରାପ୍ତ ସାଥିଆଁ ଏକଦା ୩-୧ରେ ଆଗୁଆ ରହି ନିଜର ସ୍ଥିତିକୁ ଦୃଢ଼ କରିଥିଲେ। ମାତ୍ର ପରେ କ୍ରମାଗତ ୪ ମ୍ୟାଚ ହାରି ନିଜଠାରୁ ଲୋ ର଼୍ୟାଙ୍କ୍‌ପ୍ରାପ୍ତ ଖେଳାଳିଙ୍କଠାରୁ ହାର ମାନିଥିଲେ। ତେବେ ୯୪ ର଼୍ୟାଙ୍କ୍‌ପ୍ରାପ୍ତ ମନିକାଙ୍କ କ୍ଷେତ୍ରରେ ଏହାର ବିପରୀତ ଫଳାଫଳ ଦେଖିବାକୁ ମିଳିଥିଲା। ପ୍ରଥମ ୨ ଗେମ୍‌ରେ ପରାଜିତ ହେବା ସତ୍ତ୍ୱେ ସେ ମନୋବଳ ନ ହରାଇ ତାଙ୍କଠାରୁ ବହୁ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇବାରେ ସକ୍ଷମ ହୋଇଥିଲେ। ୫୭ ମିନିଟ ଧରି ଚାଲିଥିବା ମ୍ୟାଚ୍‌ରେ ମନିକା ୪-୧୧, ୪-୧୧, ୧୧-୭, ୧୨-୧୦, ୮-୧୧, ୧୧-୫, ୧୧-୭ ପଏଣ୍ଟରେ ବିଜୟୀ ହୋଇଥିଲେ। ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିବାକୁ ହେଲେ ମନିକାଙ୍କୁ ସୋମବାର ତୃତୀୟ ରାଉଣ୍ଡରେ ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କୁ ହରାଇବାକୁ ପଡ଼ିବ। ମନିକା ଯଦି ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିପାରନ୍ତି ତେବେ ନିଜର ଦ୍ୱିତୀୟ ଅଲିମ୍ପିକ୍ସକୁ ସେ ଅଧିକ ସ୍ମରଣୀୟ କରିପାରିବେ।
ପ୍ରଥମ ରାଉଣ୍ଡ ପରି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ମନିକା ନିଜ କର୍ନରରେ ଜାତୀୟ କୋଚ୍‌ଙ୍କ ସହାୟତା ନେଇ ନ ଥିଲେ। ତେବେ ତାଙ୍କ ବ୍ୟକ୍ତିଗତ କୋଚ୍‌ ସନ୍ମୟ ପାରାଞ୍ଜାପେଙ୍କୁ ଗ୍ୟାଲେରିରେ ଦେଖିବାକୁ ମିଳିଥିଲା। ପୂରା ଗେମ୍‌ରେ ସେ ଯେପରି ଲଢ଼େଇ କରିଥିଲେ ସେଥିରୁ ତାଙ୍କ ଆତ୍ମବିଶ୍ୱାସ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ତେଣୁ କୋର୍ଟ ସାଇଡ୍‌ରୁ ସମର୍ଥନ ଆବଶ୍ୟକ ପଡ଼ି ନ ଥିଲା।

Share