Categories: ଖେଳ

ଟି୨୦ ବିଶ୍ୱକପ୍‌ ପାଇଁ ନେଦରଲାଣ୍ଡ୍ସକୁ ଯୋଗ୍ୟତା

ଦୁବାଇ, ୩୦ା୧୦ (ପି.ଟି.)-ଅଷ୍ଟ୍ରେଲିଆରେ ଆସନ୍ତା ବର୍ଷ ହେବାକୁଥିବା ଟି୨୦ ବିଶ୍ୱକପ୍‌ ପାଇଁ ନେଦରଲାଣ୍ଡ୍ସ ଯୋଗ୍ୟତା ଅର୍ଜନ କରିଛି। ମଙ୍ଗଳବାର ଅନୁଷ୍ଠିତ ଏକ କ୍ୱାଲିଫାଇଙ୍ଗ ପ୍ଲେ-ଅଫ୍‌ ମ୍ୟାଚ୍‌ରେ ଏହି ଦଳ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ୮ ଉଇକେଟରେ ହରାଇ ଦେଇଛି। ମ୍ୟାଚ୍‌ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ୯ ଉଇକେଟ ବିନିମୟରେ ମାତ୍ର ୮୦ରନ କରି ପାରିଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ବ୍ରାଣ୍ଡନ ଗ୍ରୋଭର ୪ ଉଇକେଟ ସଫଳତା ପାଇଥିବାବେଳେ ପଲ୍‌ ଭାନ୍‌ ମିକରେନ୍‌ ଏବଂ ଟି. ଭାନ୍‌ ଡର୍‌ ଗଗ୍‌ଟେନ୍‌ ଦୁଇଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ପରେ ବ୍ୟାଟିଂ କରିଥିବା ନେଦରଲାଣ୍ଡ୍ସ ୮୧ ରନର ବିଜୟ ଲକ୍ଷ୍ୟକୁ ୧୫.୧ ଓଭରରେ ୨ ଉଇକେଟ ବିନିମୟରେ ହାସଲ କରିନେଇଥିଲା। ଦଳ ପକ୍ଷରୁ ଓପନର ବେନ୍‌ କୁପର ୫୩ ବଲ୍‌ରେ ୪୧ରନର ଏକ ଆକର୍ଷଣୀୟ ଇନିଂସ ଖେଳିଥିଲେ। ଆୟର୍ଲାଣ୍ଡ ଓ ପାପୁଆ ନ୍ୟୁ ଗିନି ପରେ ନେଦରଲାଣ୍ଡ୍ସ ତୃତୀୟ ଦଳ ଭାବେ ଟି୨୦ ବିଶ୍ୱକପ୍‌ରେ ସ୍ଥାନ ପାଇଛି। ଆସନ୍ତା ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁଥିବା ଏହି ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ୮ଟି ଦଳକୁ ନେଇ ହେବ। ଏଥିଲାଗି ନେଦରଲାଣ୍ଡ୍ସ ସ୍ଥାନ ପକ୍କା କରିଛି।

Share