Categories: ଖେଳ

ଟି୧୦ ପ୍ରିମିୟର ଲିଗ୍‌ ଆୟୋଜନ ଯୋଜନା

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)-
କରୋନା ଭାଇରସ ସଂକ୍ରମଣଜନିତ ପ୍ରଭାବରେ ରାଜ୍ୟରେ ସମସ୍ତ ଆଉଟଡୋର କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ଥିବାବେଳେ ସ୍ଥାନୀୟ କ୍ୟାପିଟାଲ ସ୍ପୋଟର୍‌ସ କ୍ଲବ ପକ୍ଷରୁ ଟି୧୦ ପ୍ରିମିୟର ଲିଗ୍‌ ଆରମ୍ଭ କରାଯିବାକୁ ପଦକ୍ଷେପ ନିଆଯାଇଛି। ସରକାରଙ୍କ ଗାଇଡଲାଇନ୍‌କୁ ପାଳନ ସହ ରାଜ୍ୟସ୍ତରୀୟ ଓଡ଼ିଶା ଟି୧୦ ପ୍ରିମିୟର ଲିଗ୍‌(ଓଟିପି) ଆୟୋଜନ ପାଇଁ ଏହି କ୍ଲବ ଅଣ୍ଟା ଭିଡିଛି। ଖେଳପଡ଼ିଆକୁ କେବଳ ଖେଳାଳି ଓ ଅଫିସିଆଲଙ୍କୁ ପ୍ରବେଶ ଅନୁମତି ମିଳିବ। ବିନା ଦର୍ଶକରେ ଏହି ପ୍ରତିଯୋଗିତା ଖେଳାଯିବ। ଖେଳାଳି ଓ ଅଫିସିଆଲଙ୍କ ପାଇଁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ହେବ। ଖେଳ ପରିସର ଭିତରେ ଓ ବାହାରେ ସାନିଟାଇଜର ଷ୍ଟେଶନ ରହିବ। ସାମାଜିକ ଦୂରତ୍ୱ ରକ୍ଷା କରାଯିବା ସହ ସମସ୍ତଙ୍କର ତାପମାତ୍ରା ମପାଯିବ। ଏଥିରେ ଭାଗ ନେବାକୁ ଯାଉଥିବା ସମସ୍ତଙ୍କର କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହେବ। ଫଳାଫଳ ନେଗେଟିଭ୍‌ ଥିବା ପ୍ରତିଯୋଗୀ/ଅଫିସିଆଲଙ୍କୁ ସୁଯୋଗ ମିଳିବ ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କ୍ୟାପିଟାଲ ସ୍ପୋଟର୍‌ସ କ୍ଲବର ସଭାପତି ବିଷ୍ଣୁପ୍ରସାଦ ଶତପଥୀ ଜଣାଇଛନ୍ତି।
ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କେବଳ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ ହେବ ଏବଂ ସରକାରଙ୍କ ନିର୍ଦ୍ଦେଶାବଳୀକୁ ମାନି ୬ ଦଳ ପାଇଁ ୧୨୦ ଖେଳାଳି ଚୟନ ହେବେ। ପୂର୍ବ ପ୍ରସ୍ତୁତି ସରିବାପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିଲେ ଟୁର୍ନାମେଣ୍ଟ ଆରମ୍ଭ ହେବ। ଖେଳାଳି ଗୁଗଲ ଫର୍ମ https://forms.gls/pxe5bsys7zyjspzk9sରେ କ୍ୟାପିଟାଲ ସ୍ପୋଟର୍‌ସ କ୍ଲବର ଫେସ୍‌ବୁକ୍‌ ପେଜ୍‌କୁ ଯାଇ ଜୁନ ୧୫ ତାରିଖସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ। ୬ଟି ଦଳ ମଧ୍ୟରୁ କେଉଁ ଦଳ ପକ୍ଷରୁ ଖେଳିବାକୁ ଚାହୁଁଛନ୍ତି ଖେଳାଳି ତାହା ଉଲ୍ଲେଖ କରିବେ। ଟୁର୍ନାମେଣ୍ଟରେ ଭାଗ ନେବାକୁ ଯାଉଥିବା ଦଳଗୁଡ଼ିକ ହେଲେ ଓଡ଼ିଶା ନର୍ଥ, ସାଉଥ, ସେଣ୍ଟ୍ରାଲ, କ୍ୟାପିଟାଲ ଓଡ଼ିଶା, ଓ୍ବେଷ୍ଟ ଓଡ଼ିଶା ଓ ଇଷ୍ଟ ଓଡ଼ିଶା। ମ୍ୟାଚଗୁଡ଼ିକ ଭୁବନେଶ୍ୱରର ଆଖପାଖ ଗ୍ରାଉଣ୍ଡରେ ଆୟୋଜନ କରାଯିବ। ଅନ୍‌ଲାଇନ୍‌ରେ ସବୁ ମ୍ୟାଚର ଲାଇଭ୍‌ ଷ୍ଟ୍ରିମିଂ କରିବା ପାଇଁ ପ୍ରୟାସ ରହିଛି ବୋଲି ସେ କହିଛନ୍ତି। କରୋନା ସହ ଆମକୁ ବଞ୍ଚତ୍ବାକୁ ହେବ ଏବଂ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିବାକୁ ହେବ। ଭାରତରେ ଖେଳ ଗତିବିଧି ଆରମ୍ଭ କରିବାରେ ଓଡ଼ିଶାକୁ ପ୍ରଥମ ରାଜ୍ୟଭାବେ ପରିଗଣିତ କରିବା ଆମର ଲକ୍ଷ୍ୟ ବୋଲି ବିଷ୍ଣୁ ପ୍ରକାଶ କରିଛନ୍ତି।

Share