Categories: ଖେଳ

ସେମିଫାଇନାଲରେ ଜୋକୋଭିଚ୍‌

ପ୍ୟାରିସ, ୯।୧୦(ଏପି)-ବାମ ହାତରେ ଯନ୍ତ୍ରଣା ସତ୍ତ୍ୱେ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଲୋ ଷ୍ଟାର୍ଟ କରିଥିବା ଏହି ଟପ୍‌ ସିଡ୍‌ ଖେଳାଳି କ୍ୱାର୍ଟର ଫାଇନାଲରେ ୧୭ତମ ସିଡ୍‌ ପାବ୍‌ଲୋ କାରେନୋ ବୁଷ୍ଟାଙ୍କୁ ୪-୬, ୬-୨, ୬-୩, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଏହା ୟୁଏସ ଓପନର ରିମ୍ୟାଚ ଥିଲା। ସେତେବେଳେ ଅଜାଣତରେ ଜଣେ ଲାଇନ୍‌ଜଜ୍‌ଙ୍କୁ ବଲ୍‌ରେ ଆଘାତ ଦେଇଥିବାରୁ ଜୋକୋଭିଚ୍‌ଙ୍କୁ ଅଧାରୁ ମ୍ୟାଚ ଛାଡ଼ିବାକୁ ପଡ଼ିଥିଲା। ତେବେ ତାହା ଏବେ ଅତୀତ ହୋଇ ଯାଇଛି। ଇତିମଧ୍ୟରେ ସେ ଖେଳିଥିବା ୧୦ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଏହାକୁ ମିଶାଇ ଜୋକୋଭିଚ୍‌ ୧୦ମ ଥରପାଇଁ ଫ୍ରେଞ୍ଚ୍‌ ଓପନ ସେମିରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ୫ମ ସିଡ୍‌ ଷ୍ଟିଫାନୋସ ସିତ୍‌ସିପାସ୍‌ଙ୍କୁ ଭେଟିବେ। କ୍ୱାର୍ଟର ଫାଇନାଲରେ ସିତ୍‌ସିପାସ ୭-୫, ୬-୨, ୬-୩ ସେଟ୍‌ରେ ୧୩ତମ ସିଡ୍‌ ଆନ୍ଦ୍ରେ ରୁବଲେଭ୍‌ଙ୍କୁ ପରାସ୍ତ କରିଥିଲେ। ସତ୍‌ସିପାସଙ୍କ ପାଇଁ ଏହା ପ୍ରଥମ ଫ୍ରେଞ୍ଚ୍‌ ଓପନ ସେମିଫାଇନାଲ ପ୍ରବେଶ। ଅନ୍ୟ ସେମିରେ ରାଫାଲ ନାଡାଲ ଓ ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କ ମଧ୍ୟରେ ମୁକାବିଲା ହେବ। ସ୍କ୍ବାର୍ଜମ୍ୟାନ ପୂର୍ବରୁ କେବେହେଲେ ବଡ଼ ପ୍ରତିଯୋଗିତାର ସେମିଫାଇନାଲ ଖେଳିବା ଅଭିଜ୍ଞତା ରଖି ନ ଥିବାବେଳେ ନାଡାଲ କ୍ୟାରିୟରର ୧୩ତମ ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତିବା ଲକ୍ଷ୍ୟରେ ଅଛନ୍ତି।

 

Share