ଝିଅ ପର ବୋହୂ ନିଜର

ହରିଶଙ୍କର ମିଶ୍ର
କନ୍ୟାଦାନ ଦ୍ୱାରା ଗୋଟିଏ ନୂଆ ସାଂସାରିକ ସମ୍ପର୍କ ଓ ଦାମ୍ପତ୍ୟ ଜୀବନ ଆରମ୍ଭ ହୁଏ। ସେଇ କନ୍ୟା ଗର୍ଭଜାତ ସନ୍ତାନ ଉତ୍ତରଦାୟାଦ ହୋଇ ଗ୍ରହୀତାଙ୍କର ବଂଶରକ୍ଷା କରିଥାଏ। ସମୟକ୍ରମେ ସେଇ ପୁତ୍ର ପିତାଙ୍କ ତିନିପୁରୁଷ ସହ ଅଜାଙ୍କ ତିନିପୁରୁଷ ପାଇଁ ତର୍ପଣ ଓ ପିଣ୍ଡଦାନ କରିଥାଏ। ଉଭୟ ପରିବାରର ପିତୃପୁରୁଷଙ୍କ ସନ୍ତୋଷ ଏବଂ ଦୁଇଟି ପରିବାର ମଧ୍ୟରେ ରକ୍ତଗତ ଓ ବଂଶଗତ ସମ୍ପର୍କ ସୃଷ୍ଟିର କାରକ ଭାବେ ଦୁହିତାକୁ ଦୁଇକୁଳର ହିତା କୁହାଯାଏ। ଝିଅଟିଏ ବିବାହଯୋଗ୍ୟା ହେବା ପରେ କନ୍ୟାପିତା ସାମାଜିକ ପ୍ରଥା ଅନୁଯାୟୀ ଜାମାତା ଚୟନ କରିଥାନ୍ତି। ବାଗ୍‌ଦାନ ବା ନିର୍ବନ୍ଧ ପରେ ନିର୍ଦ୍ଦିଷ୍ଟ ଶୁଭଲଗ୍ନରେ ବ୍ରାହ୍ମଣ, ଅଗ୍ନି, ଆତ୍ମୀୟଙ୍କ ଉପସ୍ଥିତିରେ ଦେବତାଙ୍କୁ ସାକ୍ଷୀ ରଖି ସଦକ୍ଷିଣା କନ୍ୟାଦାନ କରାଯାଏ। ଦକ୍ଷିଣା ଦାନର ଏକ ଅଙ୍ଗ ହେଲେ ବି ତାହା ଶକ୍ତିମୁତାବକ। ଏହାର ମୂଲଚାଲ, ଦାବି, ପୂର୍ବାଲୋଚନା, ପ୍ରାକ୍‌ ସୂଚନା ବା ପରେ ଦେବାର ପ୍ରତିଶ୍ରୁତି ଦାନକୁ ଅସଫଳ କରାଏ। ଏଥିରେ କନ୍ୟାଦାତା ଓ ଗ୍ରହୀତା ଧାର୍ମିକ ଏବଂ ସାମାଜିକ ଅପରାଧୀ ହୋଇଥାନ୍ତି। କନ୍ୟାର ଦଶଦୋଷ ମାର୍ଜନା ସହ ଆଜୀବନ ସ୍ବାମୀଭାବେ ସ୍ତ୍ରୀର ମର୍ଯ୍ୟାଦା ଓ ସୁରକ୍ଷାର ସମ୍ମତି ଦେଇ ଗ୍ରହୀତା କନ୍ୟାଦାନ ଗ୍ରହଣ କରିଥାନ୍ତି। ବିବାହ ପରେ କନ୍ୟାର ନାମ, ଗୋତ୍ର ଓ ପରିଚୟ ପରିବର୍ତ୍ତନ ସହ ନିଜ ଘର ତା’ପାଇଁ ପର ହୋଇଯାଏ। ଜନ୍ମଦାତା ବାପାମା’ଙ୍କ ଦେହାନ୍ତରେ ସେ ଅଶୌଚ ହୁଏ ନାହିଁ। ଘରର ମହାଲକ୍ଷ୍ମୀ ପ୍ରସାଦରୁ ମଧ୍ୟ ସେ ବଞ୍ଚିତ ହୁଏ। ଅପରପକ୍ଷରେ ସେଇ ଦିନରୁ କୁଳବଧୂ ମାନ୍ୟତାରେ ସେ ଶ୍ୱଶୁରାଳୟର ଦେବ ଓ ପିତୃକର୍ମ ସହ ମହାଲକ୍ଷ୍ମୀ ପୂଜାର ଅଧିକାର ପାଇଥାଏ।
ଦାନ ଗ୍ରହଣ କରି କନ୍ୟାପିତାଙ୍କୁ ଦାନର ଯଶ ଓ ଫଳପ୍ରାପ୍ତ କରାଇଥିବା ଜାମାତାଙ୍କ ସମ୍ମାନ ସ୍ବତନ୍ତ୍ର ଓ ସର୍ବାଗ୍ରେ ରହିଥାଏ। ଝିଅଟିଏ ଯେତେ ଯୋଗ୍ୟା, ଶିକ୍ଷିତା, ସ୍ବାବଲମ୍ବୀ ହେଲେ ବି ତା’ ଜୀବନର ପରିପୂର୍ଣ୍ଣତା ବିବାହ ପରେ ହିଁ ମିଳିଥାଏ। କନ୍ୟାର ପିତୃଗୃହ ତ୍ୟାଗ ବିଧିନିର୍ଦ୍ଦିଷ୍ଟ ହୋଇଥିବାରୁ ବିବାହ ବେଳେ କିଛି ଲକ୍ଷଣ ଦେଖାଯାଇଥାଏ। ବିବାହୋତ୍ତର ଭାଗ୍ୟୋଦୟ ପାଇଁ ବିବାହ ପୂର୍ବରୁ କନ୍ୟା ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଆଭ୍ୟୁଦୟିକ ବା ନାନ୍ଦୀମୁଖୀ ଶ୍ରାଦ୍ଧ ଦେଇଥାଏ। କନ୍ୟାର ବିଦାୟ ଦୃଶ୍ୟ ଯେତିକି ଶୋକାକୁଳ ସେତିକି ମର୍ମାନ୍ତକ। ଏବେ ଅନେକ ବିବାହ କାର୍ଯ୍ୟ ହୋଟେଲ ବା କଲ୍ୟାଣମଣ୍ଡପରେ ହେଉଥିବାରୁ କନ୍ୟାଦାନର ପୂର୍ବ ପରିବେଶ ଅନୁଭୂତ ହେଉନାହିଁ। ବରଂ ପରମ୍ପରା ଉଲ୍ଲଂଘନ ଓ ସାମାଜିକ ଚଳଣିର ଅବକ୍ଷୟରେ ବିବାହ ପରି ପବିତ୍ର ବନ୍ଧନ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଭାବିତ ହେଉଛି। ନିର୍ଯାତନା, ଯୌତୁକ ତାଡନା ଭଳି ଅଭିଯୋଗ ବୃଦ୍ଧିପାଉଛି।
ଏହାର କାରଣ ଖୋଜିଲେ ଅଜବ ତରିକାମାନ ନଜରକୁ ଆସିଥାଏ। ଅନେକ ମାତାପିତା କନ୍ୟାଦାନ କରି ଝିଅଟିଏ ଦେଇ ପୁଅଟିଏ ପାଉଥିବା ମାନସିକତାରେ ଦୃଢ଼ ରହୁଛନ୍ତି। କିଛି ଝିଅ ମଧ୍ୟ ବିବାହ ପରେ ବାପଘର ଚଳଣିରୁ ନିଜକୁ ଦୂରେଇ ପାରୁନାହାନ୍ତି। ସାଂସାରିକ ଚଳଣିରେ ପ୍ରତ୍ୟେକ ମା’ ଝିଅ ପାଇଁ ଜୀବନ୍ତ ଉଦାହରଣ। ପର ଝିଅରୁ ସ୍ତ୍ରୀ, ବୋହୂ ଓ ମା’ ହୋଇଥିବାରୁ ଏବଂ ଏ ସବୁର ଅଭିଜ୍ଞତା ତାଙ୍କ ପାଖରେ ଥିବାରୁ ଝିଅର ସୁନାସଂସାର ପାଇଁ ତାଙ୍କର ଉଚିତ ଉପଦେଶ ଓ ଶିକ୍ଷାର ଗୁରୁତ୍ୱ ରହିଛି। ଏବେ କିନ୍ତୁ ସଂଖ୍ୟାଧିକ ଉଗ୍ର୍ର ଦାମ୍ପତ୍ୟ କଳହ ବା ବିଚ୍ଛେଦ ମୂଳରେ ସେଇ ମା’ମାନଙ୍କର ମାତ୍ରାଧିକ କନ୍ୟାପ୍ରୀତି ମୁଖ୍ୟ କାରଣ ହେଉଛି। ଝିଅର ଶାଶୁଘର ଚଳଣିରେ ମା’ବାପାଙ୍କ ହସ୍ତକ୍ଷେପ ସର୍ବଦା ବର୍ଜନୀୟ। ଏହା ଅନଧିକୃତ ଅଧିକାର ସାବ୍ୟସ୍ତ ଯୋଗୁ ସମସ୍ୟା ସୃଷ୍ଟି କରାଇ ସମୟକ୍ରମେ ଛାଡ଼ପତ୍ର ଆଡ଼କୁ କଥା ଯାଏ।
ଏବେ ଅନେକ ଶିକ୍ଷିତ ପିତାମାତା ନିଃସଙ୍କୋଚରେ କହିଥାନ୍ତି ‘ବୋହୂଟିଏ ଆଣିଲି ଯେ ସେ ପୁଅକୁ ଶ୍ୱଶୁରଘର ମୁହାଁ କରିଦେଲା। ଭାଗ୍ୟକୁ ହୀରାଭଳି ଜ୍ୱାଇଁଟିଏ ପାଇଥିବାରୁ ସେ ଭଲମନ୍ଦ ସବୁ ବୁଝୁଛି।’ ଅନେକଙ୍କ ମତରେ ତାଙ୍କ ଝିଅ ମାଛିକୁ ମ କହେନି ମାତ୍ର ଶାଶୁ ଦୁଷ୍ଟ ପ୍ରକୃତିର ଓ ଶ୍ୱଶୁର ସ୍ତ୍ରୀ-ବୋଲକରା। ପୁଅ ବାପାମା’ଙ୍କୁ ସମର୍ଥନ କରୁଛି। ଝିଅ ଶାଶୁଘରେ ଚଳି ନ ପାରି ତାଙ୍କ ପାଖରେ ରହୁଛି। ସେମାନେ କିନ୍ତୁ ବୋହୂର ବାପଘରର ହସ୍ତକ୍ଷେପକୁ ନାପସନ୍ଦ କରିଥାନ୍ତି। ଝିଅକୁ ଦଣ୍ଡେ ନ ଦେଖିଲେ ପାଗଳ ହେଉଥିବା ମା’ ବୋହୂଙ୍କୁ ତା’ ମାଙ୍କ ସଙ୍ଗେ ଟେଲିଫୋନରେ କଥାବାର୍ତ୍ତାକୁ ଭିନ୍ନ ଅର୍ଥରେ ନିଅନ୍ତି। ଏବେ ଅନେକ ଶାଶୁଙ୍କ ମତରେ ସେମାନେ ବୋହୂ ଭାବେ ଭଲ ଶାଶୁ ପାଇ ନ ଥିଲେ ଏବେ ଶାଶୁ ହୋଇ ଭଲ ବୋହୂଟିଏ ପାଇନାହାନ୍ତି। ସେମାନେ ନିଜ ମା’ ଓ ଝିଅଙ୍କ ପ୍ରଶଂସାରେ ଶତମୁଖ ହୁଅନ୍ତି। ସମାଜରେ ଏହା ବି ଦେଖାଯାଏ ଯେ ବାପଘର ଚଳଣିରେ ରୀତିମତ ହସ୍ତକ୍ଷେପ କରୁଥିବା ବିବାହିତା ଝିଅ ଶାଶୁଘରେ ବିବାହିତା ନଣନ୍ଦର ତଦ୍ରୂପ ଆଚରଣକୁ ସହ୍ୟ କରନ୍ତି ନାହିଁ। ଝିଅଟି ରୋଜଗାରକ୍ଷମ ହୋଇଥିଲେ ଯିଏ ଗଛ ଲଗାଇଛି ଫଳ ତା’ର କହି ନିଜର ଅଂଶ ନିୟମିତ ନେଉଥିବା ବେଳେ ବୋହୂ ରୋଜଗାରକ୍ଷମ ହୋଇଥିଲେ ସେ ତା’ ବାପାଙ୍କୁ ଟଙ୍କା ଦେଉଥିବାର ଆରୋପ ଆଣନ୍ତି। ସ୍ବାମୀଙ୍କୁ ଅକ୍ତିଆରରେ ରଖିଥିବା ଭଉଣୀ ଭାଇଙ୍କୁ ସ୍ତ୍ରୀ-ବୋଲକରା ଉପାଧି ଦେଇଥାଏ। ଏହି ଆରୋପ ପ୍ରତ୍ୟାରୋପ ଯେତେବେଳେ ଅହଂକାର ହୋଇଯାଏ ସେତେବେଳେ ସବୁ ସମ୍ପର୍କ ତୁଚ୍ଛ ହୋଇ ନାରୀ ସୁରକ୍ଷା ଆଇନକୁ ଅସ୍ତ୍ର କରାଯାଏ। ବାପାମା’ଙ୍କ ସମର୍ଥନ ପାଇଲେ ଏହା ଶତ ବ୍ରହ୍ମାସ୍ତ୍ରର ଶକ୍ତି ପାଇବାରେ ଶାଶୁଶ୍ୱଶୁରଙ୍କ ଉପଦେଶ ନିର୍ଯାତନା ଓ ଝିଅ ସଙ୍ଗେ ପ୍ରେରିତ ଦ୍ରବ୍ୟ ଦାବି ମୁତାବକ ଇଚ୍ଛାବିରୋଧୀ ଯୌତୁକ ହୋଇଯାଏ। ଦିନ ଥିଲା ଯେତେବେଳେ ଯୌଥ ପରିବାରରେ କନ୍ୟାଦାନକୁ ଗୁରୁତ୍ୱ ଦିଆଯାଉଥିଲା। ବଡ଼ବୋହୂଠାରୁ ସାନବୋହୂ ଘର ଚଳଣି ଜାଣୁଥିଲା। ଅନ୍ତତଃ ସେମାନଙ୍କର ଆଗ୍ରହ ଓ ଆନ୍ତରିକତାରେ ଖାଦ୍ୟ ପ୍ରସ୍ତୁତି ଏବଂ ଅନାବିଳ ମନର ସକାରାତ୍ମକ ପ୍ରଭାବ ପାରସ୍ପରିକ ସମ୍ପର୍କକୁ ଦୃଢ଼ କରୁଥିଲା। ସହନଶୀଳତା ଏବଂ ତ୍ୟାଗ ନାରୀର ସହଜାତ ଗୁଣ ଯୋଗୁ ତାକୁ ସର୍ବଂସହା ଧରିତ୍ରୀ ସହ ତୁଳନା କରାଯାଏ। ଗଣମାଧ୍ୟମରେ ପ୍ରକାଶ ପାଉଛି ଯେ, ଝିଅମାନେ ନିଜ ମା’ବାପାଙ୍କ ଦାୟିତ୍ୱ ନେଲେ ବୃଦ୍ଧାଶ୍ରମ ସଂଖ୍ୟା କମିଯିବ ଅର୍ଥାତ୍‌ ସେମାନଙ୍କର ବୋହୂପଣିଆରେ ବୃଦ୍ଧାଶ୍ରମ ସଂଖ୍ୟା ବଢିଚାଲିଛି।
ଅହଂକାର ତ୍ୟାଗ ଓ ପରମ୍ପରାକୁ ସମ୍ମାନ ପ୍ରତ୍ୟେକ ଘରକୁ ବୈକୁଣ୍ଠ କରିପାରିବ। ଯେଉଁଦିନ ଘରର ବୋହୂ ପ୍ରଥମେ ଝିଅ ତୁଲ୍ୟ ଅଧିକାର, ସ୍ନେହ ଓ ସ୍ବାଚ୍ଛନ୍ଦ୍ୟ ପାଇବ ସେ ତା’ ଶାଶୁଙ୍କ ପାଖରେ ବିକଳ୍ପ ମା’କୁ ଅନୁଭବ କରିବ। ତା’ ପିତାମାତା ଯେତେବେଳେ ବିଧିବ୍ୟବସ୍ଥାର ଧାର୍ମିକ ଭାବନାରେ କନ୍ୟାକୁ ପରଗୋତ୍ରୀ ବିବେଚନା କରିବେ ଝିଅଟି ନିଜର ସ୍ଥିତି ଅନୁଭବ କରି ନିଜ କର୍ତ୍ତବ୍ୟରେ ବ୍ରତୀ ହେବ। ସେତେବେଳେ ନିଶ୍ଚିତ ପ୍ରତ୍ୟେକ ଶାଶୁ କହିବେ ଝିଅଟିଏ ଛାଡି ଝିଅ ପାଇଛି ଆଉ ତାଙ୍କ ଅନ୍ତରରୁ ଭାସି ଆସିବ ‘ଝିଅ ପର ବୋହୂ ନିଜର’।
୧୧୩-ଗୁଣ୍ଡିଚା ବିହାର, ସର୍ବୋଦୟ ନଗର, ପୁରୀ, ମୋ-୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri