Categories: ଖେଳ

ଜୋକୋଭିଚଙ୍କୁ ମିଳିଲା ଅଷ୍ଟ୍ରେଲିଆ ଭିଜା

କାନବେରା,୧୮ା୧୧(ପି.ଟି): ସର୍ବିଆର ନୋଭାକ୍‌ ଜୋକୋଭିଚଙ୍କୁ ମିଳିଛି ଅଷ୍ଟ୍ରେଲିଆ ଭିଜା। ଗୁରୁବାର ଏହି ସୂଚନା ମିଳିବା ସହିତ ସେ ଆସନ୍ତା ବର୍ଷର ଅଷ୍ଟ୍ରେଲିଆନ ଓପନରେ ଅଂଶଗ୍ରହଣ କରିବା ଆପାତତଃ ସ୍ପଷ୍ଟ ହୋଇଛି। ୨୦୨୨ ଜାନୁୟାରୀରେ କୋଭିଡ୍‌-୧୯ ଟିକାକରଣ ବିବାଦ କାରଣରୁ ତାଙ୍କୁ ଅଷ୍ଟ୍ରେଲିଆରୁ ପ୍ରତ୍ୟର୍ପଣ କରାଯାଇଥିଲା। ଏହା ବିରୋଧରେ ସେ କୋର୍ଟରେ ଅପିଲ କରିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା। ୩ ବର୍ଷ ପାଇଁ ଜୋକୋଭିଚଙ୍କ ଭିଜାକୁ ମଧ୍ୟ ଋଦ୍ଦ କରି ଦିଆଯାଇଥିଲା। ମାତ୍ର ଅଷ୍ଟ୍ରେଲୀୟ ଭିଜା ନିୟମରେ ସଂଶୋଧନ ହେବା ପରେ ଅଷ୍ଟ୍ରେଲିଆନ୍‌ ଓପନରେ ତାଙ୍କର ଅଂଶଗ୍ରହଣ ସମ୍ଭାବନା ସୃଷ୍ଟି ହୋଇଥିଲା। ଗୁରୁବାର ପ୍ରବାସ ବିଭାଗ(ଇମିଗ୍ରେସନ୍‌) ମନ୍ତ୍ରୀ ଆଣ୍ଡ୍ର୍ୟୁ ଗାଇଲ୍ସ ଏନେଇ ସ୍ପଷ୍ଟୋକ୍ତି ପ୍ରଦାନ କରିବା ସହିତ ଜୋକୋଭିଚ୍‌ଙ୍କ ଭିଜାକୁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଆସିବା ପରେ ଖୁସି ଜାହିର କରିଛନ୍ତି ୩୫ ବର୍ଷୀୟ ଜୋକୋଭିଚ୍‌। ଇଟାଲୀର ଟ୍ୟୁରିନରେ ଥିବା ଜୋକୋଭିଚ୍‌ ଆଣ୍ଡି ରୁବଲେଭ୍‌ଙ୍କୁ ପରାସ୍ତ ସେମିରେ ପ୍ରବେଶ କରିଛନ୍ତି। ଏହି ଖବର ମୋ ପାଇଁ ଅତ୍ୟନ୍ତ ଖୁସିର ଖବର ବୋଲି କହିଛନ୍ତି ଜୋକୋଭିଚ୍‌। ଅଷ୍ଟ୍ରେଲିଆନ୍‌ ଓପନରେ ମୁଁ ମୋର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥାଏ। ଏଠାରେ ଅନେକ ସ୍ମୃତି ମଧ୍ୟ ରହିଛି। ରେକର୍ଡ ୯ ଥର ଜୋକୋଭିଚ୍‌ ଏହି ଟୁର୍ନାମେଣ୍ଟ ଜିତିବାରେ ସମର୍ଥ ହୋଇଛନ୍ତି। ଆସନ୍ତା ଜାନୁୟାରୀ ୧୬-୨୯ ମଧ୍ୟରେ ଅଷ୍ଟ୍ରେଲିଆନ୍‌ ଓପନ ଅନୁଷ୍ଠିତ ହେବ।

Share