Categories: ଖେଳ

ଜୁଲାଇ- ସେପ୍ଟେମ୍ବରରେ ଆଇପିଏଲ୍‌ ଆୟୋଜନ ନେଇ ଯୋଜନା

ମୁମ୍ବାଇ,୧୯।୩- କରୋନା ଭାଇରସ ସଂକ୍ରମଣ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏହି ହାଇପ୍ରୋଫାଇଲ କ୍ରିକେଟ ଲିଗ୍‌କୁ ଆସନ୍ତା ଜୁଲାଇ- ସେପ୍ଟେମ୍ବରରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଲକ୍ଷ୍ୟ ରଖିଛି। ପ୍ରଥମେ ପ୍ଲାନ ବି’ ଅନୁସାରେ ବୋର୍ଡ ଆଇପିଏଲ୍‌କୁ ସଂକ୍ଷିପ୍ତ କରିବାକୁ ଯୋଜନା କରିଥିଲା। କିନ୍ତୁ ବିସିସିଆଇ ଆଇପିଏଲ୍‌କୁ ଛୋଟ କରିବାକୁ ଚାହୁଁ ନାହିଁ। ପୂରା ୬୦ ମ୍ୟାଚ୍‌ ବିଶିଷ୍ଟ ସମ୍ପୂର୍ଣ୍ଣ ଲିଗ୍‌ ଆୟୋଜନ କରିବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ତେଣୁ ଆଇପିଏଲ୍‌କୁ ଜୁଲାଇ- ସେପ୍ଟେମ୍ବରରେ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।
ଆଗାଗୀ ଦିନରେ ଯଦି ପରିସ୍ଥିତିରେ ଉନ୍ନତି ନ ଘଟେ ତା’ହେଲେ ଆଇପିଏଲ୍‌କୁ ଏହି ଦୁଇ ମାସରେ ଆୟୋଜନ କରାଯାଇପାରେ। ଜୁଲାଇ- ସେପ୍ଟେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଫ୍ୟୁଚର ଟୁର ପ୍ରୋଗ୍ରାମ ସାମାନ୍ୟ କୋହଳ ରହିଛି। ସେପ୍ଟେମ୍ବରରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଏସିଆ କପ୍‌, ପାକିସ୍ତାନର ଇଂଲଣ୍ଡ ଗସ୍ତ ଓ ଆୟର୍ଲାଣ୍ଡର ଇଂଲଣ୍ଡ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ୩ଟି କାର୍ଯ୍ୟକ୍ରମକୁ ବାଦ୍‌ ଦେଲେ ଆଉ କୌଣସି ବଡ଼ ଇଭେଣ୍ଟ ଏହି ଦୁଇ ମାସ ମଧ୍ୟରେ ନାହିଁ। ତେଣୁ ବିସିସିଆଇ ଏହାର ଫାଇଦା ନେବାକୁ ଚାହୁଁଛି। ଇଂଲଣ୍ଡ ଓ ପାକିସ୍ତାନ ଖେଳାଳିମାନେ ଆଇପିଏଲରେ ଅଂଶଗ୍ରହଣ କରିପାରିବେ ନାହିଁ। କିନ୍ତୁ ବାକି ଦେଶରେ ଖେଳାଳିମାନେ ଆଇପିଏଲ୍‌ ଖେଳିବାର ସମସ୍ୟାର ସମ୍ମୁଖୀନ ହେବେ ନାହିଁ।
ଭାରତ ସେପ୍ଟେମ୍ବରରେ ଏସିଆ କପ୍‌ ଖେଳିବ। ପୁଣି ଜୁନ/ ଜୁଲାଇରେ ଶ୍ରୀଲଙ୍କା ବପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏବେ ଏହି କାର୍ଯ୍ୟସୂଚୀରେ କିଭଳି ପରିବର୍ତ୍ତନ କରିହେବ ସେ ନେଇ ବିସିସିଆଇ ଚିନ୍ତା କରୁଛି। ଉଲ୍ଲେଖଥାଉ କି, ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଆଇପିଏଲ ମାତ୍ର ୩୭ ଦିନ ମଧ୍ୟରେ ଖେଳଯାଇଥିଲା। ଆବଶ୍ୟକ ହେଲେ ଆଇପିଏଲକୁ ଆଂଶିକ ଭାବେ ଭାରତରେ ଓ ବିଦେଶରେ ଆୟୋଜନ କରାଯାଇପାରେ। କିମ୍ବା ପୂରା ଟୁର୍ନାମେଣ୍ଟକୁ ବିଦେଶକୁ ସ୍ଥାନାନ୍ତର କରାଯାଇପାରେ। ତେବେ କରୋନା ଭାଇରସ୍‌ର ସଂକ୍ରମଣ ନିୟନ୍ତ୍ରଣ ଉପରେ ସବୁକିଛି ନିର୍ଭର କରୁଛି ବୋଲି କୁହାଯାଉଛି।

Share