ଜୀବିକା ଛଡ଼ାଇ ନେଇଛି କରୋନା: ସରକାରୀ ସହାୟତା ଦାବି କଲା ବରଗଡ଼ ଫଟୋଗ୍ରାଫର ଆସୋସିଏଶନ

ବରଗଡ଼ ଅଫିସ,୨୭।୫- ଘାତକ କରୋନା (କୋଭିଡ-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ସରକାରଙ୍କ ଏହି କଟକଣା ଯୋଗୁ ଫଟୋଗ୍ରାଫରଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ବିଭିନ୍ନ ବିବାହ, ବ୍ରତ, ଜନ୍ମଦିନ ପାଳନରେ ଫଟୋ ଉଠାଇ ସେମାନେ ରୋଜଗାର କରୁଥିଲେ। ମାତ୍ର ଲକ୍‌ଡାଉନ୍‌ କଟକଣା ଲାଗୁ ହେବା ଦିନରୁ ରୋଜଗାର ଠପ୍‌ ହୋଇ ଯାଇଛି। ଏଭଳି ସ୍ଥିତିରେ ପରିବାର ଗୁଜୁରାଣ ମେଣ୍ଟାଇବା ମଧ୍ୟ ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡିଛି। ଫଳରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବରଗଡ଼ ଆକ୍ଟିଭ ଫଟୋଗ୍ରାଫର ଆସୋସିଏଶନ ଦାବି କରିଛି। ଏହି ଦାବି ନେଇ ବୁଧବାର ସଂଘ ପକ୍ଷରୁ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ର୍ମିଧା ଟପ୍ପୋ ସ୍ମାରକପତ୍ର ଗ୍ରହଣ କରିଥିଲେ। ସଂଘର ଉପସଭାପତି ମନବୋଧ ମେହେର, ସମ୍ପାଦକ ଦିପକ ବିଶ୍ୱାସ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।