Categories: ଖେଳ

ଜୀବନର ଶେଷ ଭୋଟ ଦେଲେ ବୃଦ୍ଧା: ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ

ସବ୍‌ଡେଗା, ୧୯।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକର କିରାଲଗା କସ୍ତୁରବା ବାଳିକା ବିଦ୍ୟାଳୟ ଭୋଟଗ୍ରହଣ କେନ୍ଦ୍ରର ବୁଥ ନଂ. ୧୬୫ରେ ଜୀବନର ଶେଷ ଭୋଟ ଦେଇଛନ୍ତି ଜଣେ ବୃଦ୍ଧା। ସେ ହେଉଛନ୍ତି ପଟିଆଓରା ଗ୍ରାମର ହଜିରା ମିଞ୍ଜ (୮୦)। ଗୁରୁବାର ନିଜର ମତାଧିକାର ସାବ୍ୟସ୍ତ କରି ବୁଥରୁ ବାହାରି ବାରଣ୍ଡାରେ ଟଳିପଡ଼ିଥିଲେ। ତାଙ୍କୁ ତୁରନ୍ତ ସବ୍‌ଡେଗା ଡାକ୍ତରଖାନାକୁ ଅଣାଯାଇଥିଲା ା କିନ୍ତୁ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ।

ଉକ୍ତ ବୁଥରେ ଭୋଟରମାନଙ୍କ ବିଶ୍ରାମ ପାଇଁ କୌଣସି ଟେଣ୍ଟ କରାଯାଇ ନ ଥିଲା । ବସିବା ପାଇଁ କୌଣସି ଜାଗା ନ ଥିଲା। ଲୋକେ ଖରାରେ ଧାଡିବାନ୍ଧି ଘଣ୍ଟାଘଣ୍ଟା ଛିଡା ହୋଇ ଭୋଟ ଦେଇଥିଲେ। ମହିଳାଙ୍କୁ ୮୦ ବର୍ଷ ହୋଇଥିଲେ ମଧ୍ୟ ଭୋଟ ଦେବା ପାଇଁ ପ୍ରଥମେ ପ୍ରଧାନ୍ୟ ଦିଆଯାଇ ନ ଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହୋଇଛି। କୌଣସି ନିୟମ ଏଠାରେ ପାଳନ କରା ନ ଯାଇ ଉକ୍ତ ବୁଥକୁ ସବୁଠିକ ଥିବାର ତଥ୍ୟ କିଏ ଜିଲାପାଳଙ୍କୁ ହସ୍ତାନ୍ତର କରିଥିଲା ଏହାର ତଦନ୍ତ ଜରୁରୀ ହୋଇପଡିଛି। ଉକ୍ତ ବିଷୟରେ ସବ୍‌ଡେଗା ବିଡିଓ ଲମ୍ବୋଦର ଧୁରୁଆଙ୍କୁ ଖବର ଦିଆଯାଇଥିଲା । ହେଲେ ଘଟଣାସ୍ଥଳରେ କେହି ହେଲେ ପହଞ୍ଚତ୍ ନ ଥିଲେ । ପରିବାର ଲୋକେ ମୃତଦେହକୁ ନେଇ ଘରକୁ ଚାଲିଯାଇଥିଲେ। ତାଙ୍କ ପୁଅ ପାରବଲ ମିଞ୍ଜଙ୍କୁ ପଚାରିବାରୁ ସେ କହିଲେ, ବରିଷ୍ଠ ନାଗରିକମାନଙ୍କ ବିଶ୍ରାମ ପାଇଁ ଏଠାରେ କୌଣସି ବ୍ୟବସ୍ଥା ହୋଇ ନ ଥିଲେ ା ମା’ଖରାର ଅଧିକ ସମୟ ଠିଆ ହେବା ପରେ ଏହି ଦୁଃଖଦ ଘଟଣା ଘଟିଛି ା

Share