Categories: ଖେଳ

ଜାତୀୟ ହକି ପ୍ରଶିକ୍ଷଣ ଶିବିର ବୀରେନ୍ଦ୍ର, ଅମିତ୍‌

ନୂଆଦିଲ୍ଲୀ,୧୪।୧୦(ପି.ଟି.)- ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ହକି ଇଣ୍ଡିଆ ରବିବାର ୨୨ ଖେଳାଳିଙ୍କୁ ନେଇ ଏକ ତାଲିକା ଘୋଷଣା କରିଛି। ସୋମବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ଖେଳାଳିମାନେ ହେଡ୍‌ କୋଚ୍‌ ଗ୍ରାହମ ରେଡ୍‌ଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଆସନ୍ତା ମାସ ଏହି ଅଲିମ୍ପିକ କ୍ୱାଲିଫାୟର୍ସରେ ଭାରତ ଦୁଇଟି ମ୍ୟାଚ୍‌ରେ ରୁଷିଆକୁ ଭେଟିବ।
ଗତ ବେଲଜିୟମ ଗସ୍ତରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲା। ବିଶ୍ୱ ଚାମ୍ପିୟନ ବେଲଜିୟମକୁ ଭାରତ ୩ଟି ମ୍ୟାଚ୍‌ରେ ଯଥାକ୍ରମେ ୨-୦, ୨-୧ ଓ ୫-୧ରେ ପରାସ୍ତ କରିଥିଲା। ଏହାପରେ ଭାରତ ସ୍ପେନ୍‌କୁ ମଧ୍ୟ ଦୁଇଟି ମ୍ୟାଚ୍‌ରେ ୬-୧ ଓ ୫-୧ ଗୋଲରେ ହରାଇଥିଲା। ପ୍ରଥମଥର ପାଇଁ କୌଣସି ଗସ୍ତରେ ଭାରତୀୟ ଦଳ ସବୁ ମ୍ୟାଚ୍‌ ଜିତି ଏକ ବିରଳ ସଫଳତା ହାସଲ କରିଥିଲା। ଏହି ସଫଳ ଗସ୍ତର ପ୍ରଭାବ ଭାରତୀୟ ଦଳ ଉପରେ ପଡିବ ଓ ଦଳର ଆତ୍ମ ବିଶ୍ୱାସ ବଢିବ। ରୁଷିଆର ଚ୍ୟାଲେଞ୍ଜ୍‌କୁ ପ୍ରତିହତ କରିବାକୁ ଭାରତ ପ୍ରସ୍ତୁତ ରହିଛି ବୋଲି କୋଚ୍‌ ରେଡ କହିଛନ୍ତି। ଗତ ୟୁରୋପ ଗସ୍ତରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲା ଓ ଏହା ଭାରତ ପାଇଁ ଏକ ବଡ଼ ଉପଲବ୍ଧୀ ବୋଲି ସେ କହିଛନ୍ତି। ଭାରତୀୟ ଖେଳାଳିମାନେ ଫିଲ୍ଡ ଗୋଲ କରିବା ସହ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାରେ ମଧ୍ୟ ସଫଳ ହୋଇଥିଲେ। ବେଲଜିୟମ ଓ ସ୍ପେନ ଭଳି କ୍ୱାଲିଟି ଦଳ ବିପକ୍ଷରେ ସବୁ ମ୍ୟାଚ୍‌ରେ ବିଜୟୀ ହେବା ଏକ ବଡ଼ ସଫଳତା। ଶିବିରରେ ଖେଳାଳିମାନେ ପରିବେଶ ସହ ଅଭ୍ୟସ୍ତ ହେବା ସହ ମୁମେଣ୍ଟମ ଉପରେ ଧ୍ୟାନ ଦେବେ ବୋଲି ରେଡ୍‌ କହିଛନ୍ତି।
ଘୋଷିତ ଦଳ: ପି.ଆର. ଶ୍ରୀଜେସ (ଗୋଲ କିପର), କ୍ରିଷ୍ଣନ ବାହାଦୂର ପାଠକ (ଗୋଲ କିପର), ହରମନପ୍ରୀତ ସିଂ, ବରୁଣ କୁମାର, ସୁରେନ୍ଦର କୁମାର, ବୀରେନ୍ଦ୍ର ଲାକ୍ରା, ରୁପିନ୍ଦର ପାଲ ସିଂ, ଗୁରିନ୍ଦର ସିଂ, ଅମିତ ରୋହିଦାସ, କୋଥାଜିତ ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ସିମରନଜିତ ସିଂ, ଆକାଶଦୀପ ସିଂ, ରମନଦୀପ ସିଂ, ଏସ୍‌ଭି ସୁନୀଲ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟୟ, ଗୁରସାହାବଜିତ ସିଂ ଓ ଶମଶେର ସିଂ।

Share