Categories: ଖେଳ

ଜାତୀୟ ସିନିୟର ମହିଳା କ୍ୟାମ୍ପ: ୨୫ ଜଣିଆ ସମ୍ଭାବ୍ୟ ଦଳରେ ଲିଲିମା, ଦୀପଗ୍ରେସ, ନମିତା

ନୂଆଦିଲ୍ଲୀ, ୧୬।୨(ପି.ଟି.)- ରବିବାରଠାରୁ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ବେଙ୍ଗାଲୁରୁ କ୍ୟାମ୍ପସରେ ଆରମ୍ଭ ହେବାକୁଥିବା ଜାତୀୟ ସିନିୟର ମହିଳା ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ଏକ ୨୫ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ୨୭ ଦିନ ଧରି ଚାଲିବାକୁ ଥିବା ଏହି ଟ୍ରେନିଂ ଓ କଣ୍ଡିଶନିଙ୍ଗ୍‌ କ୍ୟାମ୍ପରେ ଯୋଗ ଦେବା ପାଇଁ ଖେଳାଳିମାନେ ଭାରତୀୟ ମହିଳା କୋଚ୍‌ ଜୋଏର୍ଡ ମାରିଜନେଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଆଗକୁ ଜୁନରେ ଷଷ୍ଠ ମହିଳା ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ଓ ଜୁଲାଇ- ଅଗଷ୍ଟରେ ୨୦୨୦ ଅଲିମ୍ପିକ୍ସ ଭଳି ମେଗା ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ପ୍ରସ୍ତୁତି ପାଇଁ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉଛି।
ଟୋକିଓ ଅଲିମ୍ପିକ୍ସରେ ଫିଟ୍‌ନେସକୁ ସବୁଠାରୁ ଗୁରୁତ୍ୱ ଦିଆଯାଉଛି ବୋଲି ମାରିଜନେ କହିଛନ୍ତି। ଗତ ନ୍ୟୁଜିଲାଣ୍ଡ ଗସ୍ତରେ ଦଳର ଆମେ କୋତୋଟି ତ୍ରୁଟିକୁ ଚିହ୍ନଟ କରିଛୁ। ଏବେ ଏହାକୁ ସୁଧାରିବା ପାଇଁ ପ୍ରୟାସ କରିବୁ ବୋଲି ମାରିଜନେ କହିଛନ୍ତି। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଫିଟ୍‌ନେସକୁ ଅଗ୍ରାଧିକାର ଦିଆଯିବ। ଟ୍ରେନିଂ ସେସନରେ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ତେଣୁ ଖେଳାଳିଙ୍କୁ ଦକ୍ଷତା ସହିତ ଫିଟ୍‌ନେସ ଉପରେ ଅଧିକ ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି।
ଚଳିତ ବର୍ଷ ଭାରତୀୟ ମହିଳା ଦଳ ବେଶ୍‌ ଭଲ ପ୍ରଦର୍ଶନ କରିଛି। ପ୍ରାୟ ସବୁ ଟୁର୍ନାମେଣ୍ଟରେ ମହିଳା ଦଳ ଆଶାନୁରୂପ ପ୍ରଦର୍ଶନ କରିବାରେ ସଫଳ ହୋଇଛି। ଦଳ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ହିରୋଶିମା ୨୦୧୯, ଜାପାନରେ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ, ଭୁବନେଶ୍ୱରରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ କ୍ୱାଲିଫାୟରରେ ଦଳ ବିଜୟୀ ହୋଇଥିଲା। ଏଥିସହିତ ସ୍ପେନ୍‌, ମାଲେସିଆ, କୋରିଆ ଓ ଇଂଲଣ୍ଡ ଗସ୍ତରେ ମଧ୍ୟ ଦଳ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ନ୍ୟୁଜିଲାଣ୍ଡ ଗସ୍ତରୁ ଭାରତୀୟ ଦଳ ନୂଆବର୍ଷ ଆରମ୍ଭ କରିଥିଲା। ବିଶ୍ୱର ୭ ନମ୍ବର ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ ଓ ବ୍ରିଟେନ ବିପକ୍ଷରେ ଭାରତ ଗୋଟିଏ ମ୍ୟାଚ୍‌ ଖେଳିଥିଲା।
ସମ୍ଭାବ୍ୟ ଦଳ:
ଗୋଲକିପର- ସବିତା, ରଜନୀ ଏଟିମାର୍ପୁ, ବିଛୁ ଦେବୀ ଖରିମ୍ବାମ୍‌।
ଡିଫେଣ୍ଡର୍ସ- ଦୀପ ଗ୍ରେସ୍‌ ଏକ୍କା, ରିନା ଖୋଖାର, ସାଲିମା ଟେଟେ, ମନପ୍ରୀତ କୌର, ଗୁରଜିତ କୌର, ନିଶା।
ମିଡ୍‌ଫିଲ୍ଡର୍ସ- ନିକ୍କି ପ୍ରଧାନ, ମୋନିକା, ନେହା ଗୋଏଲ, ଲିଲିମା ମିଞ୍ଜ, ସୁଶୀଳା ଚାନୁ ପୁଖରାମ୍ବାମ, ସୋନିକା, ନମିତା ଟପ୍ପୋ।
ଫରଓ୍ବାଡର୍‌ସ- ରାନୀ, ଲାଲରେମସିଆମି, ବନ୍ଦନା କାଟାରିଆ, ନବଜୋତ କୌର, ନବନୀତ କୌର, ରାଜବିନ୍ଦର କୌର, ଜ୍ୟୋତି, ଶର୍ମିଲା ଦେବୀ, ଉଦୀତା।

Share