Categories: ଖେଳ

ଜାତୀୟ ସିନିୟର ଭଲିବଲ୍‌: ଓଡ଼ିଶାର ବିଜୟଧାରା ରୋକିଲା ଛତିଶଗଡ଼

ଭୁବନେଶ୍ୱର, ୨୯।୧୨ (ସ୍ପୋଟର୍‌ସ ବ୍ୟୁରୋ) – ଓଡ଼ିଶା ଭଲିବଲ୍‌ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ୍‌ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର ଶନିବାର ଥିଲା ୪ର୍ଥ ଦିବସ। ହ୍ୟାଟ୍ରିକ ବିଜୟ ହାସଲ କରି ଦମ୍‌ଦାର ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ପୁରୁଷ ଦଳର ବିଜୟରେ ରୋକ୍‌ ଲାଗିଛି। ଚତୁର୍ଥ ଦିବସର ଏକ ମ୍ୟାଚ୍‌ରେ ଛତିଶଗଡ଼ ୩-୦ ସେଟ୍‌ରେ ଓଡ଼ିଶାକୁ ପରାସ୍ତ କରିଛି। ପୂର୍ବରୁ ତ୍ରିପୁରା, ପଣ୍ଡିଚେରୀ ଓ ଚଣ୍ଡିଗଡ଼କୁ ପରାସ୍ତ କରି ଓଡ଼ିଶା ହ୍ୟାଟ୍ରିକ ବିଜୟ ଲାଭ କରିଥିଲା। ପୁରୁଷ ବିଭାଗରେ ଖେଳାଯାଇଥିବା ଅନ୍ୟ ମୁକାବିଲା ଗୁଡ଼ିକରେ ମହାରାଷ୍ଟ୍ର ୩-୦ରେ ତେଲେଙ୍ଗାନାକୁ, ଗୁଜରାଟ ୩-୦ରେ ଉତ୍ତରାଞ୍ଚଳକୁ, ଦିଲ୍ଲୀ ୩-୦ରେ ବିହାରକୁ, ରାଜସ୍ଥାନ ୩-୧ରେ ମଧ୍ୟପ୍ରଦେଶକୁ, ପଶ୍ଚିମବଙ୍ଗ ୩-୧ରେ ଉତ୍ତର ପ୍ରଦେଶକୁ, ହିମାଚଳ ପ୍ରଦେଶ ୩-୦ରେ ମିଜୋରାମକୁ, ଆସାମ ୩-୦ରେ ମଣିପୁର, ଚଣ୍ଡିଗଡ଼ ୩-୧ରେ ପଣ୍ଡିଚେରୀକୁ ଓ ଜମ୍ମୁ ଓ କଶ୍ମୀର ୩-୦ ସେଟ୍‌ରେ ତ୍ରିପୁରାକୁ ପରାସ୍ତ କରିଛି।
ମହିଳା ବର୍ଗରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଉତ୍ତର ପ୍ରଦେଶ ୩-୨ରେ ଚଣ୍ଡିଗଡ଼କୁ, ରାଜସ୍ଥାନ ୩-୧ରେ ତେଲେଙ୍ଗାନାକୁ, ଆନ୍ଧ୍ର ପ୍ରଦେଶ ୩-୦ରେ ତ୍ରିପୁରାକୁ, ଗୁଜରାଟ ୩-୦ରେ ପଞ୍ଜାବକୁ ଏବଂଯ ଦିଲ୍ଲୀ ୩-୧ ସେଟ୍‌ରେ କର୍ନାଟକକୁ ହରାଇଛି।

Share