Categories: ଖେଳ

ଜାତୀୟ ସବ୍‌ ଜୁନିୟର ବ୍ୟାଡମିଣ୍ଟନ: ଶ୍ୱେତପର୍ଣ୍ଣା ମିକ୍ସଡ ଡବଲ୍ସ ଚାମ୍ପିୟନ

ଭୁବନେଶ୍ୱର,୨୩।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ୟୋନେକ୍ସ- ସନରାଇଜ୍‌ ୩୩ତମ ଜାତୀୟ ସବ୍‌ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ତାମିଲନାଡୁ, ରାଜସ୍ଥାନ, ହରିୟାଣା ଭିନ୍ନ ଭିନ୍ନ ବର୍ଗରେ ଏକାଧିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଶ୍ୱେତପର୍ଣ୍ଣା ପଣ୍ଡା ୧୫ ବର୍ଷରୁ କମ୍‌ ମିକ୍ସଡ ଡବଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ମୋଟ ୧୦ଟି ସ୍ବର୍ଣ୍ଣ ପଦକ ମଧ୍ୟରୁ ତାମିଲନାଡୁ, ରାଜସ୍ଥାନ, ହରିୟାଣାର ଖେଳାଳିମାନେ ୬ଟି ସ୍ବର୍ଣ୍ଣ ଜିତିଛନ୍ତି। ତାମିଲନାଡୁ ୧୭ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ଓ ୧୫ ବର୍ଷରୁ କମ୍‌ ବାଳକ ଡବଲ୍ସ ମ୍ୟାଚ୍‌ରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିବା ସହ ଗୋଟିଏ ରୌପ୍ୟ ପଦକ ମଧ୍ୟ ହାସଲ କରିଛି। ସେହିପରି ହରିୟାଣା ୧୫ ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସ ୧୭ ବର୍ଷରୁ କମ୍‌ ବାଳିକା ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛି। ସେହିପରି ରାଜସ୍ଥାନ ୧୫ ଓ ୧୭ ବର୍ଷରୁ କମ୍‌ ବାଳକ ଡବଲ୍ସ ମ୍ୟାଚ୍‌ରେ ୨ଟି ସ୍ବର୍ଣ୍ଣ ପଦକ ଜିତିଛି।
ଓଡ଼ିଶାର ଶ୍ୱେତପର୍ଣ୍ଣା ପଣ୍ଡା ନିଜ ତେଲଙ୍ଗାନା ପାର୍ଟନର ସାତ୍ତ୍ୱିକ ରେଡ୍ଡୀଙ୍କ ସହ ୧୫ ବର୍ଷରୁ କମ୍‌ ମିକ୍ସଡ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି। ଏହି ଯୋଡି ଫାଇନାଲ ମ୍ୟାଚ୍‌ରେ ପ୍ରତିପକ୍ଷ ଚଣ୍ଡିଗଡ ଓ ହରିୟାଣା ଯୋଡି ସମରବୀର ଓ ରିଜୁଲ ସାଇନିଙ୍କୁ ୨୧-୧୪, ୨୧-୮ରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ଏଥିସହିତ ଶ୍ୱେତପର୍ଣ୍ଣା କୌଣସି ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ଆୟୁଷ ପଟ୍ଟନାୟକ ଓ ତାଙ୍କ କର୍ନାଟକ ପାର୍ଟନର ଭି ସୁବାସ ୧୭ ବର୍ଷରୁ କମ୍‌ ବାଳକ ଡବଲ୍ସରେ ରାଜସ୍ଥାନ ଯୋଡି ହିମାଂଶୁ ଖତାନା ଓ ଶୁଭମ୍‌ ପଟେଲଙ୍କଠାରୁ ୨୧-୧୮, ୨୪- ୨୨ରେ ପରାସ୍ତ ହୋଇ ରନର୍ସଅପ୍‌ ହୋଇଛନ୍ତି। ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର, କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ବିଶାଲ କେ ଦେବ, ପ୍ରତିଯୋଗିତାର କନ୍‌ଭେନର ରାଜେଶ ପ୍ରଭାକର ପାଟିଲ, ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଆଇଏ) ସାଧାରଣ ସଚିବ ଅଭୟ କୁମାର ସିଂହାନିଆ, ଓଡ଼ିଶା ଷ୍ଟେଟ ବ୍ୟାଙ୍କ ଆସୋସିଏଶନ (ଓଏସ୍‌ବିଏ) ଅଧ୍ୟକ୍ଷ ରୋହିତ ପୂଜାରୀ ଓ ସଚିବ ନଳୀନ କୁମାର ପ୍ରମୁଖା ଯୋଗଦେଇ ସଫଳ ପ୍ରତିଯୋଗୀମାନଙ୍କୁ ପଦକ, ଟ୍ରଫି ଓ ନଗଦ ପୁରସ୍କାର ରାଜି ପ୍ରଦାନ କରିଥିଲେ।

Share