Categories: ଖେଳ

ଜାତୀୟ ସବ୍‌ଜୁନିୟର ହକି: ହକି ଗାଙ୍ଗପୁର ବିଜୟୀ

ଭୁବନେଶ୍ୱର, ୧୮।୫(କ୍ରୀଡ଼ା ପ୍ରତିନିଧି)-
ଛତିଶଗଡ଼ର ରାୟପୁରରେ ଚାଲିଥିବା ୯ମ ଜାତୀୟ ସବ୍‌ଜୁନିୟର ହକି(ଡିଭିଜନ-ଏ) ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହକି ଗାଙ୍ଗପୁର ଓଡ଼ିଶା ୪-୨ ଗୋଲରେ ରାଜସ୍ଥାନକୁ ପରାସ୍ତ କରିଛି। ପୁଲ୍‌ ‘ଡି’ ମ୍ୟାଚରେ ହକି ଗାଙ୍ଗପୁର ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୯ମ ମିନିଟରେ ରବି ବାରା ଗୋଲ ଦେଇ ଗାଙ୍ଗପୁରକୁ ଅଗ୍ରଣୀ କରାଇଥିବାବେଳେ ରାଜସ୍ଥାନର ସନ୍ଦୀପ ଯାଦବ ୧୩ତମ ମିନିଟରେ ଏହାକୁ ପରିଶୋଧ କରି ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ପରେ ଅଧିନାୟକ ରଞ୍ଜିତ ଲାକ୍ରା ୩୦ ଓ ରୋଶନଜିତ ମିଞ୍ଜ ୩୬ତମ ମିନିଟରେ ଗୋଲ ଦେଇ ଗାଙ୍ଗପୁରର ଅଗ୍ରଣୀ ବ୍ୟବଧାନକୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୩-୧ରେ ପହଞ୍ଚାଇଥିଲେ। ରାଜସ୍ଥାନର ପ୍ରଦୀପ ସିଂ ନାଥାଓ୍ବତ ୪୬ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିବାବେଳେ ହକି ଗାଙ୍ଗପୁରର ସୁମିତ ବାର୍ଲା ୪୮ତମ ମିନିଟରେ ଗୋଟିଏ ଗୋଲ ଦେଇ ଦଳର ସ୍ଥିତିକୁ ମଜଭୁତ କରିଥିଲେ। ଏହାପରେ ଆଉ ଗୋଲ ହୋଇ ନ ଥିଲା। ଏହି ପୁଲ୍‌ର ଅନ୍ୟଏକ ମ୍ୟାଚରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ୯-୦ ଗୋଲରେ ହକି ମଣିପୁରକୁ ହରାଇ ଦେଇଛି। ବିଜୟୀ ଦଳ ପକ୍ଷରୁ ଅରୁଣ ସାହାଣୀ ୬, ୨୮ ଓ ୪୧ ଏବଂ ମହମ୍ମଦ ଜାଇଦ ଖାଁ ୭, ୧୫ ଓ ୫୯ତମ ମିନିଟରେ ୩ଟି ଲେଖାଏ ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିବାବେଳେ ଦୀପକ ମିଞ୍ଜ ୩ ଓ ୨୬ତମ ମିନିଟରେ ୨ଟି ଏବଂ ସୁରେଶ ମାହାତୋ ୩୫ତମ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ।

Share