Categories: ଖେଳ

ଜାତୀୟ ସବ୍‌ଜୁନିୟର ହକି: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର(ଡିଭିଜନ-ଏ) ହକି ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ଶୁଟ୍‌ଆଉଟ୍‌ ୩-୧ ଗୋଲରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ପ୍ରକାଶ ଯୋଗ୍ୟ ଯେ, ଏହାକୁ ମିଶାଇ ଓଡ଼ିଶା ୭ମ ଥରପାଇଁ ଜାତୀୟ ଚାମ୍ପିୟନ ହୋଇ ଇତିହାସ ରଚିଛି।
ଓଡ଼ିଶା-ଉତ୍ତର ପ୍ରଦେଶ ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବାପରେ ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୨୪ତମ ମିନିଟରେ ପେନାଲ୍ଟି କର୍ନରରୁ ଓଡ଼ିଶା ପାଇଁ ଗୋଲ ଦେଇଥିଲେ ଅଧିନାୟକ ଲବନ ଲୁଗୁନ। ତୃତୀୟ କ୍ୱାର୍ଟରରେ ୩୮ତମ ମିନିଟରେ ଉତ୍ତର ପ୍ରଦେଶ ଅଧିନାୟକ ସୌରଭ ଆନନ୍ଦ ଗୋଲ ପରିଶୋଧ କରିବାରୁ ମ୍ୟାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ୪ର୍ଥ କ୍ୱାର୍ଟରରେ କଡ଼ା ଟକ୍କର ହୋଇଥିଲା। ୪୯ତମ ମିନିଟରେ ଅଙ୍କିତ୍‌ ପ୍ରଜାପତିଙ୍କ ଗୋଲ ବଳରେ ଉତ୍ତର ପ୍ରଦେଶ ଅଗ୍ରଣୀ ନେଇଥିଲା। ମାତ୍ର ଦଳର ଖୁସି ବେଶୀସମୟ ତିଷ୍ଠି ନ ଥିଲା। ଏହାର ୩ ମିନିଟ ପରେ ଅର୍ଥାତ୍‌ ୫୨ତମ ମିନିଟରେ ଓଡ଼ିଶାର ପ୍ରବୀନ୍‌ ଇନ୍ଦଓ୍ବାର ଗୋଲ ପରିଶୋଧ କରିବାରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ ସ୍ଥିତିରେ ରହିଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏହି ପର୍ଯ୍ୟାୟରେ ଓଡ଼ିଶା ପକ୍ଷରୁ ଲବନ ଲୁଗୁନ, ରାଜମନ ତେଲି ଓ ରୋଶନ କୁଜୁର ଗୋଲ ଦେଇଥିବାବେଳେ ଉତ୍ତର ପ୍ରଦେଶ ପକ୍ଷରୁ ଚନ୍ଦନ ଯାଦବ ଏକମାତ୍ର ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଅଜୟ ଯାଦବ,ସୁଜିତ କୁମାର ଓ ମହମଦ ହାରିସ ଗୋଲ ଦେବାରେ ବିଫଳ ହେବାରୁ ଓଡ଼ିଶା ବିଜୟ ମୁକୁଟ ପିନ୍ଧିଥିଲା। ହକି ଓଡ଼ିଶା ସଭାପତି ଜଷ୍ଟିସ୍‌ ଏ.ଏସ. ନାଇଡୁ ଓ ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ ଓଡ଼ିଶା ଦଳର ଖେଳାଳି, କୋଚ୍‌ ଓ ମ୍ୟାନେଜରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆକୁ ୩-୦ ଗୋଲରେ ହରାଇ ଝାଡ଼ଖଣ୍ଡ ତୃତୀୟ ସ୍ଥାନ ଅଧିକାର କରିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ବିପକ୍ଷରେ ଝାଡ଼ଖଣ୍ଡ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ବିଜୟୀ ଦଳ ପକ୍ଷରୁ ୯ମ ମିନିଟରେ ଫ୍ଲାବିଅସ ତିର୍କୀ ପ୍ରଥମ ଗୋଲଟି ଦେଇଥିବାବେଳେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। ୪ର୍ଥ କ୍ୱାର୍ଟର ଅର୍ଥାତ୍‌ ୪୮ତମ ମିନିଟରେ ଦୀପକ ସୋରେଙ୍ଗ ଓ ୫୨ତମ ମିନିଟରେ ଜୋସେଫ ଟପ୍ନୋ ଗୋଲ ଦେଇ ଝାଡ଼ଖଣ୍ଡ ଏକପାଖିଆଭାବେ ବିଜୟ ହାସଲ କରିଥିଲା।

Share