Categories: ଖେଳ

ଜାତୀୟ ସବ୍‌ଜୁନିୟର ବାସ୍କେଟବଲ୍‌ : ବାଳିକାରେ ତାମିଲନାଡୁ, ବାଳକରେ ମିଜୋରାମ ଚାମ୍ପିୟନ

କଟକ ଅଫିସ,୧୦ା୯- ଜାତୀୟ ସବଜୁନିୟର ବାସ୍କେଟବଲ ଚାମ୍ପିୟନଶିପର ୪୬ତମ ସଂସ୍କରଣ ସୋମବାର ସନ୍ଧ୍ୟାରେ ଏଠାରେ ଉଦ୍‌ଯାପିତ ହୋଇଛି। ବାଳକ ବର୍ଗରେ ମିଜୋରାମ ଓ ବାଳିକା ବର୍ଗରେ ତାମିଲନାଡୁ ଚାମ୍ପିୟନ ହୋଇଛି। ବାଳିକା ବର୍ଗରେ କର୍ନାଟକ ଓ ବାଳିକା ବର୍ଗରେ ମହାରାଷ୍ଟ୍ର ତୃତୀୟ ସ୍ଥାନ ହାସଲ କରିଥିଲେ।
ବାଳକ ବର୍ଗର ଫାଇନାଲରେ ମିଜୋରାମ ପଞ୍ଜାବକୁ ଭେଟିଥିଲା। ଏହି ମ୍ୟାଚ୍‌ଟି ଶେଷ କ୍ବାର୍ଟର ପର୍ଯ୍ୟନ୍ତ ରୋମାଞ୍ଚକର ହୋଇଥିଲା। ପ୍ରଥମ କ୍ବାର୍ଟରରେ ପଞ୍ଜାବ ୧୩-୧୨ ପଏଣ୍ଟରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ କ୍ବାର୍ଟର ମିଜୋରାମ ସପକ୍ଷରେ ଯାଇଥିବା ବେଳେ ଏହି କ୍ବାର୍ଟର ୨୨-୨୧ ପଏଣ୍ଟରେ ଶେଷ ହୋଇଥିଲା । ପୁର୍ନବାର ୩ୟ କ୍ବାର୍ଟରରେ ପଞ୍ଜାବ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବା ସହ ୩୫-୩୪ ପଏଣ୍ଟରେ ଅଗ୍ରଣୀ ନେଇଥିଲା। ଗୋଟିଏ ଲେଖାଏ ପଏଣ୍ଟ ଅଗ୍ରଣୀରେ କ୍ବାର୍ଟର ଗୁଡ଼ିକ ଶେଷ ହେଉଥିବା ବେଳେ ୪ର୍ଥ ତଥା ଅନ୍ତିମ କ୍ବାର୍ଟର ଉଭୟ ଦଳ ପାଇଁ ଅତ୍ୟନ୍ତ ପ୍ରତିଦ୍ୱନ୍ଦିତା ମୂଳକ ପାଲଟିଥିଲା । ହେଲେ ମିଜୋରାମ ଅନ୍ତିମ କ୍ବାର୍ଟରରେ ୧୭ ପଏଣ୍ଟ ସଂଗ୍ରହ କରିବା ସହ ପଞ୍ଜାବକୁ ପଛରେ ପକାଇ ଚାମ୍ପିୟନ ହୋଇଥିଲା । ମ୍ୟାଚ୍‌ଟି ୫୧-୪୬ ପଏଣ୍ଟରେ ଶେଷ ହୋଇଥିଲା । ବାଳିକା ବର୍ଗର ଫାଇନାଲରେ ତାମିଲନାଡୁ ୮୫-୬୭ ପଏଣ୍ଟରେ ମହାରାଷ୍ଟ୍ରକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ପ୍ରଥମ କ୍ବାର୍ଟରରେ ଉଭୟ ଦଳ୧୮-୧୮ ପଏଣ୍ଟ ସଂଗ୍ରହ କରିଥିଲେ । ପରବର୍ତ୍ତୀ ୩ଟି ଯାକ କ୍ବାର୍ଟରରେ ତାମିଲନାଡୁ ଅଗ୍ରଣୀ ନେଇ ବିଜୟୀ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ବାସ୍କେଟବଲ ଆସୋସିଏଶନ ସଭାପତି ଅଶୋକ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ ଦେଇଥିଲେ । ଓଡ଼ିଶା କବାଡ଼ି ଆସୋସିଏଶନ ସଭାପତି ଶରତ କୁମାର ସାହୁ, ସମ୍ପାଦକ ଅଜୟ କୁମାର ବେହେରା, ଓଡ଼ିଶା ଆଥଲେଟିକ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା, ବିଧାୟକ ଇଂ ମହମ୍ମଦ ମୋକିମ, ବାସ୍କେଟବଲ ଫେଡେରେଶନ ଅଫ ଇଣ୍ଡିଆ ସମ୍ପାଦକ ଚନ୍ଦ୍ରମୁଖୀ ଶର୍ମା, କୋଷାଧ୍ୟକ୍ଷ ଡ. ଭି. ରଘୋଥମନ, ଓଡ଼ିଶା ବାସ୍କେଟବଲ ଆସୋସିଏଶନ ସମ୍ପାଦକ ଜ୍ଞାନ ରଞ୍ଜନ ପରିଡ଼ା ଅତିଥି ଭାବେ ଯୋଗ ଦେଇଥିଲେ ।

Share