Categories: ଖେଳ

ଜାତୀୟ ରୋଲ୍‌ବଲ ଚାମ୍ପିୟନଶିପ୍‌ ପ୍ରଥମଥର ପାଇଁ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)-
ଆସାମର ଗୁଆହାଟୀଠାରେ ଚାଲିଥିବା ୧୩ତମ ଜାତୀୟ ରୋଲ୍‌ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରିଛି। ପ୍ରଥମଥରପାଇଁ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି। ପ୍ରତିଯୋଗିତାରେ ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଜିତିଥିବାବେଳେ ଗୋଟିଏରେ ପରାଜିତ ହୋଇଛି। ପୁଲ୍‌ ‘ସି’ରେ ସ୍ଥାନ ପାଇଥିବା ଓଡ଼ିଶା ୬-୪ ଗୋଲରେ ହରିୟାଣାକୁ ଏବଂ ନାଗାଲାଣ୍ଡକୁ ୭-୨ ଗୋଲରେ ହରାଇଥିବାବେଳେ ଗୁଜରାଟଠାରୁ ୩-୬ ଗୋଲରେ ପରାଜିତ ହୋଇଛି। ପ୍ରିତିଶ ଆର୍ଯ୍ୟନ ଜେନା ସର୍ବାଧକ ୧୧ଟି ଗୋଲ ଦେଇ ଓଡ଼ିଶାକୁ କ୍ୱାର୍ଟର ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଓଡ଼ିଶା ଦଳ ମାତ୍ର ୩ ବର୍ଷ ଧରି ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଅଭିଜ୍ଞତା ରଖିଥିଲେ ହେଁ ଶକ୍ତିଶାଳୀ ଦଳକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ ପାରିଛି। ଓଡ଼ିଶା ରୋଲବଲ୍‌ ଆସୋସିଏଶନ ଓ ଓଡ଼ିଶା ସ୍କେଟିଂ ଏକାଡେମୀ ପକ୍ଷରୁ ଦଳର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଯାଇଛି। ପ୍ରତିଯୋଗିତାର ପୁଲ୍‌ ‘ଏ’ରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଆସାମ, ଜମ୍ମୁ-କଶ୍ମୀର, ତାମିଲନାଡ଼ୁ, ପୁଲ୍‌ ‘ବି’ରେ ଉତ୍ତର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ, କେରଳ, ବିହାର ଏବଂ ପୁଲ୍‌ ‘ଡି’ରେ ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ ଓ ଝାଡ଼ଖଣ୍ଡ ଦଳ ସ୍ଥାନ ପାଇଛନ୍ତି।

Share