Categories: ଖେଳ

ଜାତୀୟ ବକ୍ସିଂ ଚାମ୍ପିୟନଶିପ୍‌: ସେମି ପରାଜୟ ନେଇ ଦୁଆତିଙ୍କ ଚ୍ୟାଲେଞ୍ଜ୍‌

କାନପୁର,୮।୧୨(ପି.ଟି.)- ଇଣ୍ଡିଆ ଓପନ ରୌପ୍ୟ ପଦକ ବିଜୟିନୀ ତଥା ଡିଫେଣ୍ଡିଂ ଚାମ୍ପିୟନ ତଥା ମହିଳା ବକ୍ସର ବନଲାଲ ଦୁଆତି ନିଜର ପରାଜୟ ନେଇ ଅସନ୍ତୋଷ ଥିବା କହିଛନ୍ତି। ଚଳିତ ଜାତୀୟ ବକ୍ସିଂ ଚାମ୍ପିୟନଶିପ୍‌ରେ ସେ ୫୧ କେ.ଜି. ବର୍ଗ ସେମିଫାଇନାଲରେ ହରିୟାଣାର ରିତୁଙ୍କଠାରୁ ୨-୩ ବ୍ୟବଧାନରେ ପରାସ୍ତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲେ। ମ୍ୟାଚ୍‌ର ଫଳାଫଳ ନେଇ ସେ ଅସନ୍ତୋଷ ଥିବାରୁ ଏହି ପରାଜୟ ନେଇ ସେ ଅପିଲ କରିଛନ୍ତି। ୫ଥର ଜାତୀୟ ଚାମ୍ପିୟନଶିପ୍‌ ପଦକ ହାସଲ କରିଥିବା ମିଜୋରାମର ଏହି ମହିଳା ବକ୍ସର ଏହି ପରାଜୟକୁ ଠକାମି ବୋଲି କହିଛନ୍ତି। ମୁଁ ଠକାମିର ଶିକାର ହୋଇଛି। ବକ୍ସିଂ ଫେଡେରେଶନ ଅଫି ଇଣ୍ଡିଆ (ବିଏଫ୍‌ଆଇ) ରବିବାର ସକାଳ ୭ଟାରେ ତାଙ୍କ ଅପିଲ ସଂକ୍ରାନ୍ତରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
ପ୍ରଥମ ରାଉଣ୍ଡର ଠିକ୍‌ ଅନ୍ତିମ ମୁହୂର୍ତ୍ତରେ ଜଜ୍‌ ନିଲମ ପୁନିଆଙ୍କୁ ବଦଳାଯାଇଥିଲା। ତାଙ୍କ ସ୍ଥାନରେ ଡି.ଏସ. ରାଜୁ ଦାୟିତ୍ୱ ନେଇଥିଲେ। ହଠାତ ଜଜ୍‌ଙ୍କୁ ବଦଳାଇବାର କ’ଣ ଆବଶ୍ୟକତା ଥିଲା ଓ ଏ ନେଇ ମଧ୍ୟ କୌଣସି କାରଣ ଦର୍ଶାଯାଇ ନ ଥିଲା। ପୂର୍ବରୁ କ୍ୟାରିୟରରେ ଏକାଧିକ ବାର ପରାଜୟ ବରଣକରିଥିଲେ ମଧ୍ୟ କେବେ ଅଭିଯୋଗ ଆଣି ନ ଥିଲି। କିନ୍ତୁ ଏହି ମ୍ୟାଚ୍‌ରେ ମୋ ପ୍ରତି ଅନ୍ୟାୟ ହୋଇଛି ବୋଲି ସେ କହିଛନ୍ତି।
ରିଭ୍ୟୁ ପାଇଁ ଅପିଲ କରିଛି ଓ ମୋତେ ଏଥିପାଇଁ ୫,୦୦୦ ଟଙ୍କା ଦେବାକୁ ପଡିଛି। ରବିବାର ଫାଇନାଲ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ସକାଳ ୭ଟାରେ ବିଏଫ୍‌ଆଇ ମୋ ସହିତ କଥା ହେବ। ତେଣୁ ଏଥିରେ ଯଥାର୍ଥତା କିଛି ନାହିଁ। ମୋର ମଧ୍ୟ ଆଶା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଥାଉ କି, ଚଳିତ ବର୍ଷ ପ୍ରାରମ୍ଭରେ ଦୁଆତି ଇଣ୍ଡିଆ ଓପନ ଫାଇନାଲରେ ଏମ୍‌ସି ମେରୀକମଙ୍କଠାରୁ ପରାସ୍ତ ହୋଇଥିଲେ। ସେଭଳି କୌଣସି ଜରୁରୀ ନ ଥିଲେ ସାଧାରଣତଃ ଜଜ୍‌ମାନଙ୍କର ପରିବର୍ତ୍ତନ ହୋଇ ନ ଥାଏ। ତେଣୁ ଏହି ମାମଲାରେ ନିୟମର ଠିକ୍‌ ପାଳନ ହୋଇଛି କି ନା ସେ ନେଇ ତଦନ୍ତ ହେବ ବୋଲି ବିଏଫ୍‌ଆଇର ଜଣେ ଅଧିକାରୀ କହିଛନ୍ତି।

Share