ଜାତୀୟ ପତାକାକୁ ଅସମ୍ମାନ, ଥାନାରେ ଅଭିଯୋଗ

ଭଞ୍ଜନଗର,୧୭।୮(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଜେଲ ପଡ଼ିଆରେ ଗୁରୁବାର ଚାଲିଥିଲା। ଏହି ସମୟରେ ସହରର ଜଣେ ବ୍ୟବସାୟୀ ନିଜ ପୋଷା କୁକୁର ବେକରେ ଓ ଚେନରେ ଜାତୀୟ ପତାକା ମାରି ପଡ଼ିଆକୁ ଆଣିଥିଲେ। ଏହାକୁ ନେଇ ପଡ଼ିଆରେ ଉତ୍ତେଜନା ପ୍ରକାଶ ପାଇଥିଲା। ହୋହାଲ୍ଲା ପରେ ବ୍ୟବସାୟୀଜଣଙ୍କ ଚାଲି ଯାଇଥିଲେ। କିନ୍ତୁ ଏତିକିରେ କଥା ଥମିନଥିଲା। ଏନେଇ ବିଶ୍ୱହିନ୍ଦୁ ପରିଷଦ ନେତା ମୂରଲି ପଣ୍ଡା ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଦୋଷୀ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଥାନା ଅଧିକାରୀ ସୁଦୀପ୍ତ ସାହୁ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି। ସରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଅପରପକ୍ଷେ ଚଳିତ ବର୍ଷ ସ୍ବାଧୀନତା ଦିବସ ଉତ୍ସବ ଜେଲ ପଡ଼ିଆରେ ବହୁ ବିଳମ୍ବରେ ଶେଷ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀଦିନରେ ଏହାର ପୁନରାବୃତି ଯେଭଳି ନହେବ ସେଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ସହରର ସଚେତନ ନାଗରିକ ପ୍ରସ୍ତାବ ଦେଇଛନ୍ତି। ଗୁଳିଗୁଳି ଓ ଖରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ସମୟ ଧରି ହେବାଦ୍ୱାରା ଅନେକ ଛାତ୍ରୀଛାତ୍ର ଅସୁସ୍ଥ ଅନୁଭବ କରିଥିଲେ। କେତେଜଣ ଅଚେତ ହୋଇଥିବା ମଧ୍ୟ ଜଣାପଡ଼ିଛି।