Categories: ଖେଳ

ଜାତୀୟ ଜୁନିୟର ରୋଲ୍‌ବଲରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୪।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଆସାମର ଗୁଆହାଟୀଠାରେ ଚଳିତ ମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଜୁନିୟର ରୋଲ୍‌ବଲ ଚାମ୍ପିୟନଶିପ୍‌ର ତ୍ରୟୋଦଶ ସଂସ୍କରଣ ଅନୁଷ୍ଠିତ ହେବ। ବାଳକ ବିଭାଗରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ୧୨ ଜଣିଆ ଓଡ଼ିଶା ରୋଲ୍‌ବଲ ଟିମ୍‌ ଘୋଷଣା କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲା ଓ ସ୍କୁଲରୁ ଖେଳାଳି ଚୟନ କରାଯାଇ ରାଜ୍ୟ ଟିମ୍‌ ଘୋଷଣା କରାଯାଇଛି। ଏହି ଅବସରରେ ଓଡ଼ିଶା ରୋଲ୍‌ବଲ ଆସୋସିଏଶନ (ଓଆର୍‌ବିଏ) ଓ ଓଡ଼ିଶା ସ୍କେଟିଂ ଏକାଡେମୀ (ଓଏସ୍‌ଏ) ପକ୍ଷରୁ ସୋମବାର ମନୋନୀତ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୋଖରୀପୁଟ ବିଡିଏ ମଧୁସୂଦନ ପାର୍କଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସାମାଜିକ କର୍ମୀ ଆର୍‌.ଏନ୍‌. ଦାଶ, ରାଜ୍ୟ ଆସୋସିଏଶନର ସମ୍ପାଦିକା ସୌଦାମିନୀ ପାତ୍ର ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାର୍ଥ ସାରଥି ଜେନା, ହେମନ୍ତ ସାମନ୍ତରାୟ, ଶ୍ରୀନିବାସ ସାହୁ, ପ୍ରକାଶ ବିଶୋୟୀ, ଶୁଭେନ୍ଦୁ ରାୟସାମନ୍ତରାୟ ଓ ସୁଶାନ୍ତ କୁମାର ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିଥିଲେ।
ଜାତୀୟ ପ୍ରତିଯୋଗିତା ପାଇଁ ଢ଼ମନୋନୀତ ଓଡ଼ିଶା ଦଳ: ଓମ୍‌ ସାଶ୍ୱତ ମହାପାତ୍ର, ଆଦିତ୍ୟ ଭାନୁ ସାହୁ, ବ୍ୟାସଦେବ ମହାପାତ୍ର, ପ୍ରିତିଶ ଆର୍ଯ୍ୟନା ଜେନା, ଆୟୁଷ ଜୈନ, କୌସ୍ତଭ ପଟ୍ଟନାୟକ (ସମସ୍ତେ ଖୋର୍ଦ୍ଧାର), ପ୍ରଭୁ ସମ୍ପଦ, ସଚ୍ଚିଦାନନ୍ଦ ସାହୁ, ଦ୍ୱିବେଶ ଅଗ୍ରଓ୍ବାଲ, ସିଦ୍ଧାର୍ଥ ଦଳାଇ (ସମସ୍ତେ କଟକ), ସ୍ବତନ୍ତ୍ର ସ୍ବରାଜ ସାହୁ (ଗଞ୍ଜାମ) ଓ ଶୁଭଙ୍କର ଖିଲାର (ଭଦ୍ରକ)।

Share