Categories: ଖେଳ

ଜର୍ମାନୀରେ ବୁଣ୍ଡେସ୍‌ଲିଗା ଆରମ୍ଭ

ବର୍ଲିନ, ୧୭ା୫ (ଏଏଫ୍‌ପି)-ୟୁରୋପର ଅନ୍ୟତମ ଟପ୍‌ ଫୁଟ୍‌ବଲ ଲିଗ୍‌ ବୁଣ୍ଡେସ୍‌ଲିଗା ଶନିବାରଠାରୁ ପୁଣି ଏହାର ମ୍ୟାଚଗୁଡ଼ିକ ଆରମ୍ଭ କରିଛି। କରୋନାଭାଇରସ୍‌ ଲକ୍‌ଡାଉନ୍‌ ଯୋଗୁ ବିନା ଦର୍ଶକରେ ମ୍ୟାଚ ଖେଳାଯିବ। ଖେଳାଳି ଓ କୋଚ୍‌ମାନେ ଏକ ସପ୍ତାହ ହେଲା କ୍ୱାରାଣ୍ଟାଇନ୍‌ରେ ଥିଲେ। ସେମାନଙ୍କୁ ସ୍ବାସ୍ଥ୍ୟାରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ମାନିବାକୁ ପଡ଼ିବ। ବୋରୁସିଆ ଡର୍ଟମୁଣ୍ଡ୍‌ ବନାମ ସ୍କାଲେକ୍‌-୦୪ ମ୍ୟାଚ ରୁର୍‌ ଡର୍ବିଠାରେ ଆୟୋଜିତ ହୋଇଛି। ସିଗ୍‌ନାଲ ଇଡୁନା ପାର୍କଠାରେ ସାଧାରଣତଃ ଏହି ମ୍ୟାଚ ୮୨,୦୦୦ ଦର୍ଶକଙ୍କୁ ଆକର୍ଷିତ କରିଥାଏ। ମାତ୍ର ଦର୍ଶକମାନେ ଏଥର ଷ୍ଟାଡିୟମରେ ଖେଳ ଦେଖିବାରୁ ବଞ୍ଚତ୍ତ ହୋଇଛନ୍ତି। ୟୁରୋପର ଅନ୍ୟ ଦେଶ ତୁଳନାରେ ଜର୍ମାନୀରେ କରୋନାଭାଇରସ୍‌ର ପ୍ରଭାବ କମ୍‌ ରହିଛି। ହେଲେ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଜମିଲେ ଭାଇରସ୍‌ ସଂକ୍ରମଣର ଆଶଙ୍କା ରହିଛି। ରବିବାର ବେୟର୍ନ ମ୍ୟୁନିକ୍‌ କ୍ରମାଗତ ୮ମ ଥର ବୁଣ୍ଡେସ୍‌ଲିଗା ଟାଇଟଲ ଅଭିଯାନ ପୁଣି ଆରମ୍ଭ କରିବ। ରାଜଧାନୀରେ ଏହି ଦଳ ୟୁନିୟନ ବର୍ଲିନକୁ ଭେଟିବ। କରୋନାଭାଇରସ୍‌ ଯୋଗୁ ବୁଣ୍ଡେସ୍‌ଲିଗାକୁ ଗତ ମାର୍ଚ୍ଚ ମାସରେ ସସ୍‌ପେଣ୍ଡ ରଖାଯାଇଥିଲା। ସେତେବେଳେ ବେୟର୍ନ ୪ ପଏଣ୍ଟ ବ୍ୟବଧାନରେ ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନରେ ରହିଥିଲା। ଡର୍ଟମୁଣ୍ଡ ଟିମ୍‌ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦଳରେ ନରଓ୍ବେ ଷ୍ଟ୍ରାଇକର ଏର୍ଲିଙ୍ଗ୍‌ ବ୍ରାଉଟ୍‌ ହଲାଣ୍ଡ ଏବଂ ଇଂଲଣ୍ଡର ବିଚକ୍ଷଣ ଖେଳାଳି ଜାଡନ ସାଞ୍ଚୋ ରହିଛନ୍ତି। ବୁଣ୍ଡେସ୍‌ଲିଗା ଅନ୍ୟ ପ୍ରତିଯୋଗିତାଗୁଡ଼ିକ ପାଇଁ ବ୍ଲପ୍ରିଣ୍ଟ୍‌ ସାବ୍ୟସ୍ତ ହୋଇପାରେ।

Share