ଜରୁରୀକାଳୀନ ପାସ୍‌ ଦେବାକୁ ଡାକ୍ତର ନେଲେ ଲାଞ୍ଚ, ସିଡିଏମ୍‌ଓଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

କାକଟପୁର, ୨୬।୪(ଡି.ଏନ.ଏ): ଲକ୍‌ଡାଉନ ସମୟରେ ବାହାରକୁ ଯିବା ପାଇଁ ଆବଶ୍ୟକ ଜରୁରୀକାଳୀନ ପାସ୍‌ ଦେବାକୁ କାକଟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ସିଡିଏମ୍‌ଓଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ଆଶିଷ ମହାପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, କେତେଜଣ ସାମାଜିକ କର୍ମୀ ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନେବା ପାଇଁ ପାସ୍‌ ଆଣିବାକୁ କାକଟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତର ଜଣଙ୍କ ସନ୍ଧ୍ୟାରେ କ୍ୱାର୍ଟର୍ସକୁ ଆସ, ପାସ୍‌ ନେଇଯିବ ବୋଲି କହିଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତର ତାଙ୍କ କ୍ୱାର୍ଟର୍ସରେ ପାସ୍‌ ଦେବା ବେଳେ ସିଧାସଳଖ ଟଙ୍କା ମାଗିଥିଲେ। ଟଙ୍କା ମାଗିବା ଓ ଗ୍ରହଣ କରିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଏବେ ଘଟଣାଟି ପଦାକୁ ଆସିଛି। ଉକ୍ତ ଭିଡିଓରେ ଲୋକେ ପାସ୍‌ ପାଇଁ ଟଙ୍କା ଦେଉଥିବା ସମ୍ପୃକ୍ତ ଡାକ୍ତର ସ୍ବୀକାର କରିଥିବା ଶୁଣିବାକୁ ମିଳିଛି। ଏଠାରେ ସୂଚନା ଯୋଗ୍ୟ, ୮ମାସ ତଳେ ସମ୍ପୃକ୍ତ ଡାକ୍ତରଙ୍କ ଆଉ ଏକ କାର୍ଯ୍ୟକୁ ନେଇ ହୋହଲ୍ଲା ହେବା ପରେ ତାଙ୍କୁ ବାଲିଦୋକାନ ସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି କରାଯାଇଥିଲା। କିନ୍ତୁ ୬ମାସ ପରେ ପୁଣି ତାଙ୍କୁ କାକଟପୁରରେ ଅବସ୍ଥାପିତ କରାଯାଇଛି। ଏବେ ଲାଞ୍ଚ ଘଟଣାର ତଦନ୍ତ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଆଶିଷ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ କହିଛନ୍ତି।