ଜରିଗୋଟାଳି

ସତ୍ୟବ୍ରତ ପାଣିଗ୍ରାହୀ

ଆବର୍ଜନାକୁ ଅଧିକାଂଶ ଅଦରକାରୀ ମନେକରନ୍ତି। କିନ୍ତୁ ଆବର୍ଜନାରେ ଯେ ଏକ ସର୍ଜନାର ବୀଜ ଲୁକ୍କାୟିତ ଥାଏ, ଏହାକୁ ଅନୁଭବ କରିବାର ବେଳ ଏବେ ଆସିଯାଇଛି। ରାସ୍ତାକଡ଼, ରେଳଷ୍ଟେଶନ ଓ ସହର ଉପକଣ୍ଠରେ କୁଢ଼କୁଢ଼ ଆବର୍ଜନା ଆଉ ବ୍ୟବହୃତ ପ୍ଲାଷ୍ଟିକକୁ କିଛି ଲୋକ ବୁଲି ବୁଲି ସଂଗ୍ରହ କରିବା ଦୃଶ୍ୟ ସମସ୍ତେ ଦେଖିଥିବେ। ସାଧାରଣରେ ଆବର୍ଜନା ସଂଗ୍ରହ କରୁଥିବା ଲୋକଟିକୁ ଜରିଗୋଟାଳି କିମ୍ବା କବାଡ଼ିବାଲାର ନାମ ଦିଆଯାଇଛି। କିନ୍ତୁ ଜରିଗୋଟାଳି ଯେ କେବଳ ଆବର୍ଜନା ସଂଗ୍ରହ କରୁନାହିଁ ବରଂ ଏକ ନୂଆ ଜଗତର ନିର୍ମାଣ କରୁଛି। ଆମ ପୁରାଣ ସାହିତ୍ୟକୁ ଗଭୀରତାର ସହ ଅବଲୋକନ କଲେ ଏକଥା ବୁଝାପଡ଼ିବ। ଆବର୍ଜନାରୁ ପୁଣି ନୂଆ ଜଗତର ନିର୍ମାଣ କିଭଳି ସମ୍ଭବପର। ସମ୍ଭବ ଏଇଥିପାଇଁ କାରଣ ଜରିଗୋଟାଳି ବୁଝିଛି ପ୍ରକୃତିର ନିୟମକୁ, ଜ୍ଞାତ ବା ଅଜ୍ଞାତରେ ଈଶ୍ବରଙ୍କ ପଦାଙ୍କ ଅନୁକରଣ କରିଛି ଆଉ ସୃଷ୍ଟିଚକ୍ରର ଗତିକୁ ହିଁ ମାନିଚାଲିଛି। ସୃଷ୍ଟିଚକ୍ରରେ ସାରା ଜଗତର ଉତ୍ପତ୍ତି, ସ୍ଥିତି, ପ୍ରଳୟ ଚକ୍ରାକାର ଗତିରେ ଚାଲିଆସିଛି। ଭାରତୀୟ ଦର୍ଶନ କହେ ସାରା ବ୍ରହ୍ମାଣ୍ଡର ଉତ୍ପତ୍ତି ଏକ ଯଜ୍ଞରୁ ହୋଇଛି। ସୃଷ୍ଟିରେ ପ୍ରତିଟି କୋଣରେ ଅହରହ ଯଜ୍ଞ ସମ୍ପାଦିତ ହେଉଛି। ସୃଷ୍ଟି ପୂର୍ବରୁ ଈଶ୍ବରଙ୍କ ଦ୍ୱାରା ହୋଇଥିବା ଏକ ବିରାଟ ଯଜ୍ଞରୁ ନିର୍ଗତ ତାପଶକ୍ତି ଦ୍ୱାରା ବିସ୍ଫୋରଣରୁ ଏହି ବିଶ୍ୱର ଉତ୍ପତ୍ତି। ଯଜ୍ଞ ଶେଷରେ ଯାହା କିଛି ବଳକା ବା ଅବଶିଷ୍ଟ ଆବର୍ଜନା ରହିଯାଏ, ତାକୁ ବୈଦିକ ସାହିତ୍ୟରେ ‘ଉଚ୍ଛିଷ୍ଟ’କୁହାଯାଏ। ପୁରାଣ ସାହିତ୍ୟ ଅନୁସାରେ ସେହି ଉଚ୍ଛିଷ୍ଟରୁ ହିଁ ଈଶ୍ୱର ସାରା ସୃଷ୍ଟିର ନିର୍ମାଣ କରିଛନ୍ତି। ପଞ୍ଚଭୂତର ସୃଷ୍ଟି ମଧ୍ୟ ଉଚ୍ଛିଷ୍ଟରୁ ହୋଇଛି। କିନ୍ତୁ ସର୍ବଶକ୍ତିମାନ ଈଶ୍ବର କାହିଁକି ଯଜ୍ଞର ଆବର୍ଜନାରୁ ସୃଷ୍ଟି ନିର୍ମାଣ କରିବା କଥା ଚିନ୍ତା କଲେ। ଏହା ପଛରେ ରହିଛି ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବାର୍ତ୍ତା। ରହିଛି ଏକ ବଳିଷ୍ଠ ଯୁକ୍ତି। ସ୍ବୟଂ ଈଶ୍ୱର ମଧ୍ୟ ଯଜ୍ଞ ଆବର୍ଜନା ବା ଉଚ୍ଛିଷ୍ଟକୁ ଅଦରକାରୀ ମନେକରି ନାହାନ୍ତି। ଆବର୍ଜନାକୁ ଏକ ନୂଆ ରୂପ ଦେଇ ଏହି ସୁନ୍ଦର ସୁସଜ୍ଜିତ ମଧୁମୟ ବିଶ୍ୱବ୍ରହ୍ମାଣ୍ଡ ଗଢିଛନ୍ତି। ଆବର୍ଜନାର ପୁନଃବ୍ୟବହାର କରିବା ପାଇଁ ବାର୍ତ୍ତା ଦେଇଛନ୍ତି। ନଚେତ ସାରା ଜଗତ ଆବର୍ଜନାରେ ପୂର୍ଣ୍ଣ ହୋଇଯିବ। ଅଲୋଡ଼ା ହୋଇପଡିଥିବା ଅଳିଆ ଆବର୍ଜନାରେ ନୂତନ ସୃଷ୍ଟିର ସମ୍ଭାବନାକୁ ଦେଖିବାର କଳା ଈଶ୍ୱରଙ୍କ ସମେତ କେବଳ ଜରିଗୋଟାଳି ପାଖରେ ହିଁ ଅଛି। ଆବର୍ଜନାର ରିସାଇକ୍ଲିଂ କରି ସେଥିରୁ ପୁଣିଥରେ ବ୍ୟବହାର ଉପଯୋଗୀ ସାମଗ୍ରୀରେ ପରିଣତ କରିବାର ପ୍ରକ୍ରିୟା ଜରିଗୋଟାଳିର ଅଳିଆ ସଂଗ୍ରହରୁ ଆରମ୍ଭ ହୁଏ। ଯଦି ଜରିଗୋଟାଳି ଆବର୍ଜନା ସଂଗ୍ରହ କରିବ ନାହିଁ, କବାଡିବାଲା ତା’ ନିଜ ଜୀବିକାରୁ ଦୂରେଇ ଯିବ, ତା’ହେଲେ କ’ଣ ହେବ ଏ ପୃଥିବୀର ଅବସ୍ଥା। ରିସାଇକ୍ଲିଂ ନ ହୋଇ ଚାରିଆଡ଼େ ଅଳିଆ କୁଢ଼କୁଢ଼ ହୋଇ ଜମା ରହିବ ଏବଂ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବ। ପରିବେଶ ସୁରକ୍ଷା ପ୍ରତି ସାମାନ୍ୟ ସଚେତନ ଥିବା ଲୋକେ ଏକଥା ବୁଝିପାରିବେ। କିନ୍ତୁ ସେହି ଜରିଗୋଟାଳିଙ୍କ ଜୀବିକା ଏବଂ ରିସାଇକ୍ଲିଂ ଶିଳ୍ପର କର୍ମଚାରୀମାନେ ଅଣସଙ୍ଗଠିତ କର୍ମକ୍ଷେତ୍ରରେ ଅନ୍ତର୍ଭୁକ୍ତ। ଅର୍ଥାତ୍‌ ସେମାନଙ୍କ ଜୀବିକାକୁ ନେଇ ସ୍ବତନ୍ତ୍ର ସଙ୍ଗଠିତ ବ୍ୟବସ୍ଥା ନାହିଁ। ଆବର୍ଜନାରୁ ନୂତନ ଜଗତର ନିର୍ମାଣର ମୂଳଦୁଆ ସ୍ଥାପନ କରୁଥିବା ଏହି କର୍ମଚାରୀଙ୍କ ପାଇଁ ବାସ ଖଣ୍ଡିଏ ନ ଥାଏ। ବିଳାସପୂର୍ଣ୍ଣ ଆଭିଜାତ୍ୟମତ୍ତ ମେଟ୍ରୋ ସହରଗୁଡ଼ିକ ଭିତରେ ଥାଏ କିଛି ବସ୍ତି ଅଞ୍ଚଳ। ଦୁନିଆ ଯାକର ଅଳିଆକୁ ସଫା କରୁଥିବା ଅଧିକାଂଶ କର୍ମଚାରୀଙ୍କ ପାଇଁ ଏହି ବସ୍ତି ହିଁ ବାସସ୍ଥାନ ପାଲଟିଯାଏ। ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବାରୁ ସେମାନଙ୍କ ପାଖରେ ସାମାଜିକ ସୁରକ୍ଷା ନ ଥାଏ କି ପରିଚୟ ପତ୍ର ନ ଥାଏ। ସମାଜ ବୋଧେ ଭାବିନେଇଛି ଯେ ଈଶ୍ବରଙ୍କ ଭଳି ଏହି ମାନବ ଈଶ୍ୱରଙ୍କ ମଧ୍ୟ ପରିଚୟପତ୍ର କ’ଣ ଆବଶ୍ୟକ। ଅନେକ ସମୟରେ ଦେଖିବାକୁ ମିଳେ, ଏମାନେ ସମାଜରେ ଘୃଣାର ପାତ୍ର ହୁଅନ୍ତି ଯଦିଓ ସେମାନେ ମହାନ୍‌ କାର୍ଯ୍ୟ କରୁଛନ୍ତି। ଯଦି ସ୍ବୟଂ ଈଶ୍ୱର ଆବର୍ଜନାରୁ ସୃଷ୍ଟି ନିର୍ମାଣ କରିବା ପାଇଁ କୁଣ୍ଠାବୋଧ କରିନାହାନ୍ତି, ତେବେ ମଣିଷ ମଧ୍ୟ ସେଭଳି ଅଳିଆ ଆବର୍ଜନାର ରିସାଇକ୍ଲିଂ କରିବାରେ କିଛି ଅସୁବିଧା ନାହିଁ କିମ୍ବା ଜରିଗୋଟାଳିକୁ ନୀଚ ଦୃଷ୍ଟିରେ ଦେଖିବାର କିଛି କାରଣ ମଧ୍ୟ ନାହିଁ।
ତଥ୍ୟ ଏବଂ ପରିସଂଖ୍ୟାନ ଅନୁଧ୍ୟାନ କଲେ ଜଣାଯାଏ ଯେ ଭାରତର ପ୍ଲାଷ୍ଟିକ ଅଳିଆର ରିସାଇକ୍ଲିଂ ଶିଳ୍ପ ୨୦୨୨ ସୁଦ୍ଧା ପାଖାପାଖି ୩୭୮୪ ମିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ୨୦୨୩ରୁ ୨୦୨୮ମଧ୍ୟରେ ଏହାର ଅଭିବୃଦ୍ଧି ହାର ରହିଛି ୫.୬ ପ୍ରତିଶତ। ସେହିଭଳି ବିଶ୍ବସ୍ତରରେ ମେଟାଲ ଆବର୍ଜନା ବା ରଦ୍ଦି ଜିନିଷର ବଜାର ମୂଲ୍ୟ ୫୦୦ ବିଲିୟନ ଆମେରିକୀୟ ଡଲାର ଥିବାବେଳେ ସେଥିରେ ଭାରତର ଶେୟାର ମାତ୍ର ୧୧ ବିଲିୟନ ଡଲାର ଅର୍ଥାତ୍‌ ୨.୨ ପ୍ରତିଶତ। ଏଫ୍‌ଆଇସିସିଆଇ ସଂସ୍ଥାର ଗବେଷଣା କହୁଛି ଯେ ମେଟାଲ ଆବର୍ଜନାର ରିସାଇକ୍ଲିଂ କରିବା ଦ୍ୱାରା ଜଳବାୟୁ ପ୍ରଦୂଷଣକୁ ୭୬ରୁ ୮୬ ପ୍ରତିଶତ କମାଯାଇପାରିବ ଏବଂ ପ୍ରାକୃତିକ ସମ୍ବଳର ସଂରକ୍ଷଣ ହୋଇପାରିବ। ପ୍ଲାଷ୍ଟିକ ରିସାଇକ୍ଲିଂ କରିବା ଫଳରେ ମୃତ୍ତିକା ପ୍ରଦୂଷଣକୁ ରୋକାଯାଇପାରିବ। ନିକଟ ଅତୀତରେ ଓଡ଼ିଶା ସରକାର ଜରିଗୋଟାଳି ଏବଂ ରିସାଇକ୍ଲିଂ ଶିଳ୍ପରେ କାମ କରୁଥିବା ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ ।
ଆବର୍ଜନାର ପୁନଃବ୍ୟବହାରର ଗୁରୁତ୍ୱକୁ ଉପଲବ୍ଧି କରି ଭାରତ ସରକାର ଗତବର୍ଷ ବଜେଟରେ ରିସାଇକ୍ଲିଂ ଇକୋନୋମି ସମ୍ପର୍କରେ ଉପସ୍ଥାପନା କରିଛନ୍ତି। ଧୀରେ ଧୀରେ ଏହି ଶିଳ୍ପ ଆଗକୁ ବଢୁଥିବା ବେଳେ ଆହୁରି ଅଧିକ ପ୍ରୋତ୍ସାହନ ଏବଂ ତାଲିମର ଆବଶ୍ୟକତା ରହିଛି। ଓଡ଼ିଶାର ବ୍ରହ୍ମପୁର ସହରର ଶିଳ୍ପ ତାଲିମ କେନ୍ଦ୍ର ଏହି କ୍ଷେତ୍ରରେ ଏକ ଉଦାହରଣ। ଏହି ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ଅଲୋଡା ହୋଇପଡିଥିବା ବସ୍ତୁରୁ ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି। ଅତଏବ ରିସାଇକ୍ଲିଂ ଶିଳ୍ପ ମାଧ୍ୟମରେ ଅଧିକ ରୋଜଗାର ସୃଷ୍ଟି ହେବ। ଲୋକଙ୍କୁ ଜୀବନ ଜିଇବା ପାଇଁ ନୂଆ ଜୀବିକା ମିଳିବ। ଆଉ ସେହି ଜୀବିକା ମାଧ୍ୟମରେ କାରିଗର ଅଲୋଡ଼ା ହୋଇପଡ଼ିଥିବା ଆବର୍ଜନାରେ ଭରିଦେବ ନୂଆ ଜୀବନ। ଆବର୍ଜନାରୁ ହେବ ପୁଣି ନୂଆ ଏକ ସର୍ଜନା। ସେଥିପାଇଁ ତ ଜରିଗୋଟାଳି ହେଉ କିମ୍ବା କବାଡିବାଲା, ରିସାଇକ୍ଲିଂ ଶିଳ୍ପରେ କର୍ମରତ ପ୍ରତ୍ୟେକ ଜଣେ ଜଣେ ସ୍ରଷ୍ଟା, ଦ୍ୱିତୀୟ ବିଶ୍ୱକର୍ମା।
ମୋ: ୬୩୭୧୬୮୪୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri